ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ନିରାଶ କରିଛି : ଦାସବର୍ମା :: କେବଳ ସାଧାରଣ ଲୋକଙ୍କୁ ଭଣ୍ଡିବା ପାଇଁ : ବିଜୟ

0

ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ନିରାଶ କରିଛି : ଦାସବର୍ମା 

ଭୁବନେଶ୍ୱର: ବଜେଟ୍‍ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କେବେ ହେବ ତା’ର କୌଣସି ନିର୍ଦ୍ଧିଷ୍ଟ ସୂଚନା ନାହିଁ । ଜଳସେଚନ ପାଇଁ ଅର୍ଥର ବରାଦ କରାଯାଇନାହିଁ । ଚାଷୀମାନଙ୍କୁ କେବଳ କଥାରେ ଆଶ୍ୱାସନା ଦିଆଯାଉଛି । ଚଳିତ ବଜେଟ୍‍ଟି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ନିରାଶ କରିଛି ବୋଲି ବିଜୁ ଜନତା ଦଳ ସାଧାରଣ ସଂପାଦକ ତଥା ବିଧାୟକ ସଂଜୟ କୁମାର ଦାସବର୍ମା କହିଛନ୍ତି ।

ବଜେଟ୍‍ ସଂପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ଦାସବର୍ମା କହିଛନ୍ତି ଯେ ଆୟକର ସୀମା ବୃଦ୍ଧି ନହେବା ମଧ୍ୟବିତ୍ତ ପରିବାରବର୍ଗଙ୍କୁ ନିରାଶ କରିଛି । ବଜେଟ୍‍ରେ କେବଳ ସ୍ୱପ୍ନ ଦେଖାଯାଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କେବଳ ପ୍ରତିଶ୍ରୁତିର ଗୋଲାପି ଚିତ୍ର ଅଙ୍କାଯାଇଛି । ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ କୌଣସି ଠୋସ୍‍ ପଦକ୍ଷେପ ନିଆଯାଇ ନାହିଁ । ଫଳରେ ସେମାନେ ନିରାଶ ହୋଇଛନ୍ତି । ୨୦୨୨କୁ ଲକ୍ଷ୍ୟ ରଖି ବଜେଟ୍‍ରେ ପ୍ରସ୍ତାବ ରଖାଯାଇଛି । ଏହା ସମସ୍ତଙ୍କୁ ହତାଶ କରିଛି । ଏହା ଏକ ବାସ୍ତବଧର୍ମୀ ବଜେଟ୍‍ ନୁହେଁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

 

୪ ବର୍ଷ ବିତିଗଲା କଲେନାହିଁ, ଏହି ବଜେଟ ଘୋଷଣା କେବଳ  ସାଧାରଣ ଲୋକଙ୍କୁ ଭଣ୍ଡିବା ପାଇଁ : ବିଜୟ 

 ସଂସଦରେ ୨୦୧୮-୧୯ ଆର୍ଥôକ ବର୍ଷ ପାଇଁ ଆଗତ କରାଯାଇଥିବା ବଜେଟ୍‍ରେ ସାଧାରଣ ବର୍ଗଙ୍କୁ ବିଜେପି ସରକାର ଭଣ୍ଡେଇବା ସହ ‘କମନ୍‍ମ୍ୟାନ୍‍’ଙ୍କୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତିର ଦିବାସ୍ୱପ୍ନ ଦେଖାଇଛନ୍ତି ବୋଲି ବିଜେଡି ସଂପାଦକ ବିଜୟ ନାୟକ କହିଛନ୍ତି ।

ଶ୍ରୀ ନାୟକ  ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଏମ୍‍ଏସ୍‍ପି ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବା ଓ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ୍‍ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । କିନ୍ତୁ ବଜେଟ୍‍କୁ ପ୍ରଚାର ସର୍ବସ୍ୱ କରିବା ବିଜେପିର ଚିରାଚରିତ ଅଭ୍ୟାସ । ଅତୀତରେ ଏହି ଦଳର ପ୍ରଚାର ସମୟରେ ୨୦୧୪ରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବୁଲି ବୁଲି ସବୁ ନିର୍ବାଚନୀ ସଭାରେ କହିଥିଲେ, ସେ ପ୍ରଧାନମନ୍ତ୍ରୀ ହେଲେ ବିଦେଶରୁ କଳାଟଙ୍କା ଦେଶକୁ ଆସିବ ଓ ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଜମା କରାଯିବ, ଯାହା ଆଜି ପର୍ଯ୍ୟନ୍ତ କେବଳ ସ୍ୱପ୍ନରେ ରହିଗଲା । ସେପରି ସ୍ଥଳେ ଆଜି ବଜେଟ୍‍ରେ ଯେପରି ଭାବେ ୧୦ କୋଟି ଗରିବ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା କରିବା ଓ ୨୦୨୨ ସୁଦ୍ଧା ଦେଶର ସବୁ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଇବାକୁ କୁହାଯାଇଛି, ତାହା ମଧ୍ୟ ବିଜେପି ଆଜି ଦେଖାଇଥିବା ଆଉ କିଛି ଦିବାସ୍ୱପ୍ନ । ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷେ ଥିବାବେଳେ ଉପରୋକ୍ତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାକୁ କେତେବର୍ଷ ଲାଗୁଛି ତାହା ଦେଖିବାର କଥା । ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ମୂଲ୍ୟ ବଢାଇବାର ପ୍ରତିଶ୍ରୁତି ଦେଇ ୪ବର୍ଷ ଭଣ୍ଡାଇ ଆସିବା ପରେ ଏବେ ଆଗକୁ ଥିବା ଭୋଟ ପୂର୍ବରୁ ଭୋଟରଙ୍କୁ ଭୁତେଇବା ପାଇଁ ଏକ ଭେଳିକି | ଘୋଷଣା ଓ ଆନ୍ତରିକତା ଭିତରେ ବହୁତ ବ୍ୟବଧାନ ରହିଛି | ନୀରିହଁ ଚାଷୀ ଓ  ଗରିବଙ୍କୁ ଭୂତାଇ ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ଲକ୍ଷ୍ୟରେ ବିଜେପି ଏପରି ପ୍ରତିଶ୍ରୁତି ମୂଳକ ବଜେଟ୍‍ ଉପସ୍ଥାପନ କରିଛି । ମଧ୍ୟ ବିଜେପିର ଦୁର୍ଗ କୁହାଯାଉଥିବା ରାଜସ୍ଥାନର ଅଲୱେର ଓ ଆଜମେର୍‍ ଲୋକସଭା ଆସନ ସମେତ ମାଣ୍ଡେଲ୍‍ଗଡ଼ ବିଧାନସଭା ଆସନର ଉପ ନିର୍ବାଚନ ଫଳାଫଳରେ ୩ଟି ଯାକ ଆସନରୁ ବିଜେପି ଶୋଚନୀୟ ଭାବେ ହାରିଯାଇଛି । ଆଗକୁ ହେବାକୁ ଥିବା ବିଜେପୁର ଉପ ନିର୍ବାଚନରେ ମଧ୍ୟ ବିଜେପି ହାରିବା ନିଶ୍ଚିତ । ସେପରିସ୍ଥଳେ ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ପୁଣି କ୍ଷମତାକୁ ଫେରିବାର ଦିବାସ୍ୱପ୍ନ ଦେଖୁଥିବାରୁ ଆଜି ବଜେଟ୍‍ରେ ଗରିବମାନଙ୍କୁ ମିଛ ଭେଳିକି ଦେଖାଇଛନ୍ତି । ଏହି ବଜେଟ୍‍ରେ ନୂତନ ଟ୍ରେନ୍‍ ଚଳାଚଳ ବ୍ୟବସ୍ଥା କରାଯାଇନଥିବା ଓ କେବିକେକୁ ଗୁରୁତ୍ୱ ଦିଆଯାଇନଥିବା ଓଡ଼ିଶାବାସୀଙ୍କୁ ନିରାଶ କରିଛି ବୋଲି ଶ୍ରୀ ନାୟକ କହିଛନ୍ତି ।

Leave A Reply

Your email address will not be published.