ଓଡିଶାରେ ପରିବାର ନିୟୋଜନର ସଫଳତା : ଟିଏଫ୍‍ଆର ସ୍ତର ୧.୯

0

 ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଭୁବନେଶ୍ୱର, (ଶାସକ ପ୍ରଶାସକ): ସମଗ୍ର ଦେଶରେ ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା (ଟୋଟାଲ ର୍ଟିଲିଟି ରେଟ୍‍) ୨.୨ ରହିଥିବାବେଳେ ସଳ ପରିବାର ନିୟୋଜନ କାର୍ଯ୍ୟକ୍ରମ ଯୋଗୁଁ ଆମ ରାଜ୍ୟରେ ତାହା ୧.୯ ରେ ପହଞ୍ଚି ପାରିଛି । ସେହିଭଳି ପରିବାର ନିୟୋଜନର ଆବଶ୍ୟକତା ଓଡିଶାରେ ୧୬ ପ୍ରତିଶତରୁ ହ୍ରାସ ପାଇ ୧୩.୬ରେ ପହଞ୍ଚିଛି । ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଆଜି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।
ସ୍ଥାନୀୟ ସ୍ୱାସ୍ଥ୍ୟ ମିଶନ ସଭାଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ସାଧାରଣ ଲୋକଙ୍କ ଭରସା ବୃଦ୍ଧି ପାଉଥିବାରୁ ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା (ଟୋଟାଲ ଫର୍ଟିଲିଟି ରେଟ୍‍) କ୍ଷେତ୍ରରେ ଏଭଳି ସଫଳତା ମିଳିପାରିଛି । ପରିସଂଖ୍ୟାନ ଦର୍ଶାଉଛି ଯେ ପରିବାର ନିୟୋଜନ କାର୍ଯ୍ୟକ୍ରମ ମାତୃ ମୃତ୍ୟୁହାରକୁ ଏକ ତୃତୀୟାଂଶ ହ୍ରାସ କରିଥାଏ । ବିଗତ ବର୍ଷ ଗୁଡିକରେ କଠିନ ପ୍ରୟାସ ଯୋଗୁଁ ଆମ ରାଜ୍ୟରେ ଏହି ମୃତ୍ୟୁହାର ଆଶାତୀତ ଭାବେ ହ୍ରାସ ପାଇଛି । ରାଜ୍ୟ ସରକାର ଏବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମକୁ ସୁଦୃଢ କରି ଦମ୍ପତ୍ତିଙ୍କ ହାତ ପାଆନ୍ତାରେ ପରିବାର ନିୟୋଜନ ସେବା, ପରାମର୍ଶ ଏବଂ ସାମଗ୍ରୀ ପହଞ୍ଚାଇବାର ଲକ୍ଷ୍ୟ ନେଇ କେତେ ଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି ।  ସେଥି ମଧ୍ୟରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ପରିବାର ନିୟୋଜନ ସେବା, ଜିଲ୍ଲାର ଆବଶ୍ୟକତାକୁ ଚିହ୍ନଟ କରି  ପରିବାର ନିୟୋଜନ ଯୋଜନା ପ୍ରସ୍ତୁତ ଓ ଏହାକୁ କାର୍ଯ୍ୟକାରୀ କରିବା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାର ସ୍ୱାସ୍ଥ୍ୟ ଅନୁଷ୍ଠାନ  ଓ ଗୋଷ୍ଠୀ  ସ୍ତରରେ ପରିବାର ନିୟୋଜନ ସ୍ୱାସ୍ଥ୍ୟସେବା ଯୋଗାଣ, ସେବା ପରବର୍ତ୍ତୀ କୌଣସି ଜଟିଳତା କିମ୍ବା ଅଘଟଣ ଘଟିଲେ ହିତାଧିକାରୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉଛି । ସେହିଭଳି ରାଜ୍ୟର ନିଜସ୍ୱ ଅଭିନବ ଦକ୍ଷେ ଜରିଆରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଏବଂ ଗୋଷ୍ଠୀ  ସ୍ତରରେ ପରିବାର ନିୟୋଜନ ସାମଗ୍ରୀକୁ ପହଞ୍ଚାଇ ଦିଆଯାଇଛି । ଏହାର ସଫଳତାକୁ ଦେଖି ଭାରତ ସରକାର ମଧ୍ୟ ଏହି ଯୋଜନାକୁ ସମଗ୍ର  ଦେଶରେ କାର୍ଯ୍ୟକାରୀ କରୁଛନ୍ତି ।
ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅର୍ନ୍ତଗତ ୮୫ଟି ପ୍ରାଥମିକ ଏବଂ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଉଭୟ ପରିବାର ନିୟୋଜନ ପରାମର୍ଶ ଓ ସେବା ପ୍ରଦାନ କରାଯାଉଛି । ପରିବାର ନିୟୋଜନ ପାଇଁ ତିନିଟି ନୂତନ ଗର୍ଭନିରୋଧକ ପଦ୍ଧତି କାର୍ଯ୍ୟକାରୀ ହେଉଥିବାବେଳେ ଲୋକେ ଏହାକୁ ଗ୍ରହଣ କରିବାପାଇଁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଜନସଂଖ୍ୟା ବୃଦ୍ଧିରେ ସ୍ଥିରତା ସକାଶେ ପରିବାର ନିୟୋଜନ କାର୍ଯ୍ୟକ୍ରମ ପ୍ରୟାସରେ ସମସ୍ତେ ସାମିଲ ହେବାପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ । ଆଜିର ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା, ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ପରିବାର କଲ୍ୟାଣ ନିର୍ଦ୍ଦେଶକ  ଡାକ୍ତର ସରୋଜ କୁମାର ନାୟକଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।  ଏହି ଅବସରରେ ଅତିଥିମାନେ ପରିବାର କଲ୍ୟାଣ ସମ୍ପର୍କିତ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.