ଝିଞ୍ଜିରିବନ୍ଧ ଜଳାଶୟ: ରୋଗ ବାଂଟୁଛି, ଜଳ ଓ ବାୟୁ ପ୍ରଦୂଷଣର ଏକ ଉତ୍ସ ବି ପାଲଟିଛି

0

ବାରିପଦା,(ଅରବିନ୍ଦ ଦାସ)- ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ବାରିପଦା ପୌରପରିଷଦରେ ଭୂତଳ ଜଳ ଉତ୍ସ ସହ ବାୟୁମଣ୍ଡଳ ତାପମାତ୍ରାରେ ସନ୍ତୋଳନ ରକ୍ଷା ନିମନ୍ତେ ଅନେକଗୁଡ଼ିଏ ଜଳଉତ୍ସ ନିର୍ମାଣ କରିଥିଲେ । ବର୍ଷାଦିନେ ବଳକା ପାଣି ନିଷ୍କାସନ ନିମନ୍ତେ ଉକ୍ତ ଜଳଉତ୍ସଗୁଡ଼ିକୁ ପରସ୍ପର ସହ ସଂଯୋଗ କରାଇଥିଲେ । ଶେଷରେ ରାଜପ୍ରାସାଦ ସଂଗଲଗ୍ନ ଝିଞ୍ଜିରିବନ୍ଧ ଜଳାଶୟ ଦେଇ ଏହା ବୁଢ଼ାବଳଙ୍ଗ ନଦୀରେ ମିଶୁଥିଲା । ବର୍ତ୍ତମାନ ବାରିପଦା ପୌରପରିଷଦ ନାମରେ ରେକଡର଼୍ଭୂକ୍ତ ବାରିପଦା ତହସିଲ ଅଧୀନ ଆରଆଇ-୧, ମୌଜା ଅମ୍ବିକାସାହି, ଖାତାନମ୍ବର ୭୪ ଓ ପ୍ଲଟ ନଂ ୨୩୦- ଏ ୫.୫୯  ଡେମି. ଓ ପ୍ଲଟ ନଂ-୨୨୨ ଏ୭.୪୪ ଡେମି. ମୋଟ ୧୩.୦୩ ଏକର ପରିମିତ ଜମି  ଉପରେ ରହିଥିବା ବିଶାଳକାୟ ଝିଞ୍ଜିରିବନ୍ଧ ଜଳାଶୟ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ରୋଗ ବାଣ୍ଟୁଛି ଏବଂ ବାରିପଦା ପୌରପରିଷଦ ନିମନ୍ତେ ବିପଦର କାରଣ ପାଲଟିବାକୁ ବସିଛି । କେବଳ ଏତିକି ନୁହେଁ ବୁଢ଼ାବଳଙ୍ଗ ନଦୀର ପାଣିକୁ ଜହରରେ ପରିଣତ କରାଉଛି । ବାରିପଦା ପୌରପରିଷଦର ପରିବେଶକୁ ପ୍ରଦୂଷିତ କରାଉଥିବା ପ୍ରଦୋଷଣ ବୋଡର଼୍ , ସରକାର ଓ ପୌରପରିଷଦ ଏହାର ପ୍ରତିକାର କ୍ଷେତ୍ରରେ ନିଘା ନାହିଁ କି ପଘା ନାହିଁ ନ୍ୟାୟକୁ ଆପଣେଇ ନେଇଥିବାର କୁହାଯାଉଛି ।
              ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜାମାନେ ମନୋରଞ୍ଜନ ନିମନ୍ତେ ଝିଞ୍ଜିରିବନ୍ଧ ଜଳାଶୟରେ ନୌକାବିହାର ସହ ଫିସିଂ କରୁଥିଲେ । ରାଜତନ୍ତ୍ର ଶାସନ ବିଲୋପ ଘଟିବାର ପରବର୍ତ୍ତି ସମୟରେ ଝିଞ୍ଜିରିବନ୍ଧ ଜଳାଶୟ ବାରିପଦା ପୌରପରିଷଦ ନାମରେ ରେକଡର଼୍ ଭୁକ୍ତ ହେଲା ଏବଂ ପୌରପରିଷଦ ଦୀର୍ଘ ବର୍ଷ ଧରି ମାଛଚାଷ ନିମନ୍ତେ ନିଲାମ ଦେଇ ଅର୍ଥ ଉପାର୍ଜନ କରି ଆସୁଥିଲା ।  କିନ୍ତୁ, ପ୍ରାୟ ୧୫/୧୬ ବର୍ଷ ପୂର୍ବେ ନିଲାମରେ ନେଇଥିବା ବ୍ୟକ୍ତି ମାଛ ଚୋରୀ ରୋକିବା ଅଥବା ଅନ୍ୟ କୌଣସି କାରଣରୁ ବିଶାଳକାୟ ଝିଞ୍ଜିରିବନ୍ଧ ଜଳାଶୟରେ ଦଳ ପକାଇଦେଇଥିଲା ଏବଂ ପୌରପରିଷଦର ଅପାରଗତା, ଖାମଖିଆଲି ମନୋଭାବ ଫଳରେ ଉକ୍ତ ଦଳକୁ ସଫା କରାନଯିବାରୁ ଆସ୍ତେ ଆସ୍ତେ କାୟା ବିସ୍ତାର କରି ଆଜି ଏକ ସବୁଜ ପଡ଼ିଆର ଭ୍ରମ ସୃଷ୍ଟିକରାଇ ଆସୁଛି  । ସେହିପରି, ବାରିପଦା ପୌରପରିଷଦର ତୃଟିପୂର୍ଣ୍ଣ ଟାଉନ ପ୍ଲାନିଂ ସହ ବୈଷୟିକ ଦୂରଦୃଷ୍ଟିର ଅଭାବ ବନ୍ଧର ପାଣିକୁ ଜହରରେ ପରିଣତ କରାଇ ଦେଇଛି । ପୌରପରିଷଦର ବିଭିନ୍ନ ୱାଡର଼୍ର ଡ୍ରେନ ପାଣିକୁ ଝିଞ୍ଜିରିବନ୍ଧ ସହ ଯୋଡ଼ି ଦିଆଗଲା । ଫଳରେ ନାଳ ନର୍ଦ୍ଧମାରେ ମିଶୁ ଥିବା ପାଇଖାନା ପାଣି, ଗାଧୁଆ ଓ ଲୁଗା ସଫା ପାଣି ଆଦି ଅପରିଷ୍କାର ଦୂଷିତ ପାଣି ଝିଞ୍ଜିରିବନ୍ଧ ଜଳାଶୟରେ ମିଶିଲା । ସେହିପରି ଦିନ ପରିବା ମାର୍କେଟର ଛେଳି , କୁକୁଡ଼ା ଓ ମାଛ ବଜାର ସହ ପରିବା ବଜାରରୁ ବାହାରୁଥିବା ଅଳିଆ ଆବର୍ଜନା ମଧ୍ୟ ଜଳାଶୟରେ ମିଶିଲା । ଆସ୍ତେ ଆସ୍ତେ ଝିଞ୍ଜିରିବନ୍ଧ ଜଳାଶୟ ପ୍ରଦୂଷଣ ହୋଇ ବର୍ତ୍ତମାନ ଏପରି ଅବସ୍ଥାରେ ପହଁଞ୍ଚିଯାଇଛି , ସନ୍ଧ୍ୟା ଓ ପ୍ରାତଃ ସମୟରେ ଉକ୍ତ ରାସ୍ତାରେ ଚଳପ୍ରଚଳ କରିବା କଷ୍ଟଦାୟକ ହୋଇପଡ଼ିଛି । ମିଥେନ ଗ୍ୟାସ ଭଳି ଦୁର୍ଗନ୍ଧ ବାହାରୁଛି । ମିଥେନ ଗ୍ୟାସ ବା ମାର୍ସ ଗ୍ୟାସ ଉପôନ୍ନ ହୋଇ ବାୟୁମଣ୍ଡଳକୁ ନିର୍ଗତ ହେଉଛି । ଜୈବିକ ବା ସବୁଜ ଗୃହ ଗ୍ୟାସ ଭାବେ ବାୟୁ ମଣ୍ଡଳରେ ଅନ୍ୟାନ୍ୟ ପ୍ରଦୂଷକମାନଙ୍କ ସହ ମିଶି ଅନେକ ପ୍ରକାରର ଅନର୍ଥର କାରଣ ପାଲଟୁଛି । ବାୟୁ ମଣ୍ଡଳରେ ଏହାର ପରିମାଣ ବୃଦ୍ଧି କାରଣରୁ ତାପମାତ୍ରାରେ ବୃଦ୍ଧି ଘଟିବା ସହ ଟ୍ରାପୋମଣ୍ଡଳକୁ ପାର କରି ଷ୍ଟ୍ରାଟୋମଣ୍ଡଳରେ ପହଁଞ୍ଚି ଓଜନସ୍ତରକୁ କ୍ଷତି ପହଁଞ୍ଚାଉଥିବାର ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି । ସେହିପରି ଝିଞ୍ଜିରିବନ୍ଧସାହିର ଅଧିବାସୀମାନଙ୍କର ଜୀବନଧାରଣ ଦୁର୍ବିସହ ହୋଇପଡ଼ିଛି । ଜ୍ୱର, କାଶ ଆଦି ବିଭିନ୍ନ ପ୍ରକାରର ରୋଗ ପ୍ରାୟତଃ ପ୍ରତ୍ୟେକ ପରିବାର ସହ ବନ୍ଧୁବାନ୍ଧି ସାରିଛି । ବାରିପଦା ପୌର ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରି ଜଣାଇ ଆସୁଥିଲେ ମଧ୍ୟ ଏମାନଙ୍କ ସମସ୍ୟା ବୁଝିବା ନିମନ୍ତେ କାହାରି ପାଖରେ ସମୟନଥିବା ଭଳି ମନେ ହେଉଛି । ଗ୍ରୀନ ଟ୍ରିବୁ୍ୟନାଲର ନିଦେ୍ର୍ଧଶକୁ ବାରିପଦା ପୌରପରିଷଦ ପକ୍ଷରୁ କାର୍ଯ୍ୟକାରୀ କରାଯାଉ ନାହିଁ । ଝିଞ୍ଜିରିବନ୍ଧର ପାଣିକୁ ଶୋଧନ କରାଯାଇ ବୁଢ଼ାବଳଙ୍ଗ ନଦୀକୁ ଛାଡ଼ିବା ନିମନ୍ତେ ଏକ ଶୋଧନାଗାର(ଫିଲଟର ପ୍ଲାଣ୍ଟ) ବସାଇବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣେଇ ଚାଲିଛି ବାରିପଦା ପୌରପରିଷଦ । ପ୍ରଦୂଷଣ ବୋଡର଼୍ ଏଦିଗରେ ଧ୍ରୁତରାଷ୍ଟ୍ର ସାଜି କିଛି ନଦେଖିବା ଭଳି ଅଭିନୟ କରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କର ବିଭିନ୍ନ ସମୟରେ ବାରିପଦା ଗସ୍ତରେ ଆସୁଥିବା ବେଳେ ଝିଞ୍ଜିରିବନ୍ଧର ପୁର୍ନଉଦ୍ଧାର କରାଯିବ ବୋଲି ଘୋଷଣା କରିଚାଲିଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଛଉପଡ଼ିଆଠାରେ ସାଧାରଣ ସଭାରେ ମଧ୍ୟ ଝିଞ୍ଜିରିବନ୍ଧ ପୁର୍ନଉଦ୍ଧାର କରାଯିବାର ଘୋଷଣା କରିବା ପରେ ୨୦୧୯ ଫେବୃଆରୀ ୧୨ରେ ପୌରପାଳ ବବିତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନ୍ଧର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣର ଭିତ୍ତପ୍ରସ୍ତର ସ୍ଥାପନ କରାଇଥିଲେ । ଏହାପରେ ବାରିପଦା ପୌରପରିଷଦ ପକ୍ଷରୁ ପତ୍ର ସଂଖ୍ୟା ୧୦୫୮୪/୨୬.୧୨.୨୦୧୮ ଅନୁସାରେ ୩ କୋଟି ୯୯ଲକ୍ଷ ୭୬ ହଜାର ଟଙ୍କା ବ୍ୟୟ ଅଟକଳର ଏକ ଡିପିଆର ଆପ୍ରୋଭାଲ ନିମନ୍ତେ ଭୂବନେଶ୍ୱର ନଗର ଉନ୍ନୟନ ବିଭାଗକୁ ପଠାଇଥିବାର ଜଣାପଡ଼ିଛି । ତେବେ ଏହା ମଧ୍ୟରେ ୭ ମାସ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ଭୂବନେଶ୍ୱର ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ଉତ୍ତର ଆସିପାରି ନାହିଁ । ପୁଣି, ବାରିପଦା ପୌରପରିଷଦ ପକ୍ଷରୁ ଝିଞ୍ଜିରିବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ଲାନ ଏଷ୍ଟିମେଣ୍ଟରେ ହୋଇଥିବା ଅଟକଳକୁ ନେଇ ପ୍ରଶ୍ନ ଉଠିଛି । ପୌରପରିଷଦର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ପ୍ଲାନ ଓ ଏଷ୍ଟିମେଣ୍ଟ ମାଧ୍ୟମରେ ଅଟକଳ କରାଯାଇଥିବା ଅର୍ଥରେ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ କଣ ସମ୍ଭବ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ପୁଣି, ପ୍ରତ୍ୟେକ ଦିନ ବଜାରର ଦରରେ ବୃଦ୍ଧି ଘଟୁଥିବା ବେଳେ କାର୍ଯ୍ୟ ଆରମ୍ଭ ସମୟରେ ଇଞ୍ଜିନିୟରିଂ ବିଭାଗ ପ୍ଲାନ ଓ ଏଷ୍ଟିମେଣ୍ଟ ଅନୁସାରେ ବଜାର ମୂଲ୍ୟ ସ୍ଥିର ରହିଥିବା କି ବୋଲି ପ୍ରଶ୍ନ ଉଠିଛି । ତେବେ ଝିଞ୍ଜିରିବନ୍ଧର ଜଳ ଉତ୍ସ ଆମ ପରିବେଶ ଓ ପୌରବାସୀଙ୍କ ପାଇଁ ବିପଦର କାରଣ ପାଲଟିଯାଇଥିବା ବେବେ ସରକାର, ପ୍ରଶାସନ ଓ ପୌରପରିଷଦ ଏଦିଗରେ ଅଧିକ ଯତ୍ନବାନ ନହେଲେ ଭବିଷ୍ୟତରେ ଜନସାଧାରଣଙ୍କ ଜୀବନହାନୀର ସମ୍ଭାବନାକୁ ଏଡ଼ାଇଯାଇ ହେବନାହିଁ ।
            ଉକ୍ତ ଜଳ ଉତ୍ସ ମିଥେନ ଗ୍ୟାସ ଫର୍ମେଶନ କରାଉଛି । ମାଛ ଓ ମାଂସ ମାର୍କେଟରୁ ବାହାରୁଥିବା ପରିତ୍ୟକ୍ତ ଆବର୍ଜନା ଓ ପାଣି ମିଶି ଏନ୍ଏରୋବିକ୍  ରିଏକସନ ମାଧ୍ୟମରେ ଏହି ଗ୍ୟାସ ଉପôନ କରାଉଛି । ସେହିପରି ସମୟ ସମୟରେ ମୃତ ଜୀବଜନ୍ତୁ ମଧ୍ୟ  ବନ୍ଧରେ ପଡ଼ୁଥିବାର ଦେଖିବାକୁ ମିଳିଥାଏ । ଝିଞ୍ଜିରିବନ୍ଧ ଜଳ ଉତ୍ସର ଉପର ଅଂଶ ଦଳରେ ଆଚ୍ଛାଦିତ ହୋଇଥିବା ଫଳରେ ସୂର୍ଯ୍ୟାଲୋକ ପାଣିକୁ ସ୍ପର୍ଶ କରିନପାରିବା ଫଳରେ ବିଘନ ଘଟି ମିଥେନ ଗ୍ୟାସ ସୃଷ୍ଟି କରାଉଥିବାର ସନେ୍ଦହ କରାଯାଉଛି । ଫଳରେ ଏହା ସ୍ଥାନୀୟ ବସ୍ତିବାସିନ୍ଦା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ  ହାଜାଡ଼ସ ପରିସ୍ଥିତି ସୃଷ୍ଟି କରାଇବାର ସମ୍ଭାବନା ଅଧିକ ରହିଛି । ବନ୍ଧରୁ ପ୍ରବାହିତ ଜଳ ଉତ୍ସ ବୁଢ଼ାବଳଙ୍ଗ ନଦୀରେ ମିଶୁ ଥିବାରୁ ଏହା ନଦୀରେ ଥିବା ଜଳଚର ପ୍ରାଣୀ, ଉଦ୍ଭିିିଦ  ଉପରେ କୁପ୍ରଭାବ ପକାଉଥିବା ବେଳେ ପାଣିରେ ସ୍ନାନ କରୁଥିବା  ବ୍ୟକ୍ତିଙ୍କ ଶରୀରରେ ଚର୍ମ ରୋଗ ସହ ଅଥବା ବ୍ୟବହାର କରୁଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପକାଇବ । ସେହିପରି ନଦୀର ମାଛକୁ ଖାଉଥିବା ବ୍ୟକ୍ତିଙ୍କ ଶରୀରରେ ଟକସିକ୍ ପ୍ରକ୍ରିୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ପରିବେଶର ସୁରକ୍ଷା ସହ ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଝିଞ୍ଜିରିବନ୍ଧର ପାଣିକୁ ବିଶୋଧନ କରାଯିବାର ଆବଶ୍ୟକତା ରହିଛି । ଉକ୍ତ ବନ୍ଧ ଉପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କେମେଷ୍ଟ୍ରି, ବାଇଓ-କେମେଷ୍ଟ୍ରି ବିଭାଗ ପକ୍ଷରୁ ଗବେଷଣା କରାଗଲେ ଅଧିକ ତଥ୍ୟ ମିଳିପାରନ୍ତା ବୋଲି କେନ୍ଦୁଆ ମହାବିଦ୍ୟାଳୟର ବୋଟାନୀ ବିଭାଗର ଅଧ୍ୟାପକ ରାଜେଶ କୁମାର ମିଶ୍ର କହିଛନ୍ତି ।

 

Leave A Reply

Your email address will not be published.