ନିର୍ବାଚନ କମିଶନରେ ବିଜେପୁର, ବିଜେପି ବିଜେଡି ଝିଙ୍କାଝିଙ୍କି

0

  ଅଫିସରମାନେ ମତଦାନକୁ ପ୍ରଭାବିତ କରିବାକୁ ଷଡଯନ୍ତ୍ର କରୁଛନ୍ତି : ବିଜେପି

 ବିଜେପି ଜାଣିଛି ହାରିବ..ମୁଖଲଜ୍ଜା ଏଡାଇବାକୁ ବାହାନା, କାରଣ ଚୋରମନ ଚୋର ଗଣ୍ଠିରେ : ବିଜେଡି

ଭୁବନେଶ୍ୱର/ନୂଆଦିଲ୍ଲୀ  : ଭୋଟ ଘୋଷଣା ହେବା ପରେ…କୋଡ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ସର୍ବୋପରି ସରକାରୀ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହେବା ପରେ ଏବେ ବିଜେପି ଆଣିଛି ବିଜେଡି ବିରୋଧରେ ଅଭିଯୋଗ । ଆଉ ବିଜେଡି ମଧ୍ୟ ଦେଇଛି ପାଲଟା ଜବାବ । ବିଜେପି ମୂଳରୁ ଜାଣିଛି ଯେ ବିଜେପୁରରେ ହାରିବ, ସବୁ ପ୍ରକାର ଉଦ୍ୟମ କରି ବିଫଳ ହେବା ପରେ ସାହାସ ନକୁଳାଇ ପାରି ଅସ୍ତ୍ରତ୍ୟାଗ କରିସାରିଲାଣି ଯେତେବେଳେ ମୁଖ ଲଜ୍ଜା ଏଡାଇବାକୁ  ଏବେ ଉଦ୍ଭଟ ଅଭିଯୋଗ ଆଣିବା ଛଡା ଆଉ କିଛି ବିକଳ୍ପ ନାହିଁ ବୋଲି ବିଜେଡି ସମ୍ପାଦକ ବିଜୟ ନାୟକ କହିଛନ୍ତି । ସୂଚନାଯୋଗ୍ୟ ଯେ ନିକଟରେ ଗଣମାଧ୍ୟମକୁ ସୂଚନା ଦେଇ ଓଡିଶାରେ ନିର୍ବାଚନ କମିଶନଙ୍କ ପ୍ରତିନିଧି ବା ନୋଡାଲ ଏଜେନ୍ସି ରାଜ୍ୟ ନିର୍ବାଚନ ଅଧିକାରୀ ଡି ଏନ ଗୁପ୍ତା କହିଥିଲେ ଯେ ବିଜେପୁର ନିର୍ବାଚନକୁ ନିରପେକ୍ଷତାର ସହ ପରିଚଳାନା କରାଯିବ  । ସମସ୍ତ ପ୍ରକ୍ରିୟା ନିଷ୍ପ୍ରଭାବୀ ଢଙ୍ଗରେ କରାଯିବ  । ନିର୍ବାଚନ କମିଶନ ମଧ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ, ଯାହାର ପରିଣାମସ୍ୱରୂପ ନିର୍ବାଚନକୁ ପ୍ରଭାବିତ କଲାଭଳି କୌଣସି ବେନିୟମ କାମକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଥିଲେ ମୁଖ୍ୟ ନିର୍ବର୍ାଚନ ଅଧିକାରୀ ଶ୍ରୀ ଗୁପ୍ତା  । 

ହେଲେ ଇତି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ନିର୍ବାଚନ କମିଶନଙ୍କୁ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ, ବରଗଡ ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ କରିଛନ୍ତି ଅଭିଯୋଗ  । ଫେବ୍ରୁଆରୀ ୨୪ରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ନିର୍ବାଚନ ଜିତିବା ପାଇଁ ବିଜେଡ଼ି ଶାସନ କଳର ଅପବ୍ୟବହାର କରୁଛି ବୋଲି ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି । ଏହି ନିର୍ବାଚନମଣ୍ଡଳୀର ସବୁ ବୁଥକୁ ସଂବେଦନଶୀଳ ଘୋଷଣା କରିବାକୁ ଦଳ ଦାବି କରିଛି  ଓ  ଆହୁରି ମଧ୍ୟ ପ୍ରାୟ ୧୫ଶହ କୋଟି ଟଙ୍କାର ପାଣ୍ଠି ବିନା ଟେଣ୍ଡରେ ଖର୍ଚ୍ଚ କରିବା ପାଇଁ ଯୋଜନା ·ଲିଛି, ଯାହାକି ରାଜନୈତିକ ଉଦେ୍ଧଶ୍ୟରେ ବ୍ୟବହାର କରାଯିବ ବୋଲି ଦଳ ଆଶଙ୍କା କରିଛି । ଏଣୁ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଯାଉ ବୋଲି ଦାବି କରିଛନ୍ତି  । ଏହି ପ୍ରତିନିଧି ମଣ୍ଡଳରେ ଦଳର ମୁଖପାତ୍ର ସଂବିତ ପାତ୍ର, ଭୁପେନ୍ଦ୍ର ଯାଦବ, ଓମ ପାଠକ ଓ ଅରୁଣ ସିଂ ଥିଲେ  । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସଂବିତ ପାତ୍ର କହିଛନ୍ତି ଯେ ବିଜେପୁରରେ ଜନମତ ଏବେ ବିଜେପି ସପକ୍ଷରେ ଅଛି   । ଏକଥା ଶାସକ ବିଜେଡ଼ି ଜାଣିଥିବାରୁ ଶାସନକଳର ଅପବ୍ୟବହାର କରିବା ଆରମ୍ଭ କରିଛି  । ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ନିୟମିତ ଭାବେ ବିଜେପୁର ଗସ୍ତ କରି ବିଜେଡ଼ି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି  । ଏଣୁ ନିରପେକ୍ଷ ନିବାଚନ ପାଇଁ ବରଗଢ଼ ଜିଲ୍ଲାପାଳ ଓ ଏସପିଙ୍କୁ ତୁରନ୍ତ ବଦଳି କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

 ହେଲେ ବିଜେପି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେଡି ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, ଯିଏ ଯେଉଁ ରଙ୍ଗର ଚଷମା ଲଗାଇଥାଏ ତାକୁ ଦୁନିଆ ସେହିରଙ୍ଗ ଦେଖାଯାଏ  । ତେଣୁ ଯିଏ ଯେଉଁ ଚରିତ୍ରର ତାକୁ ଦୁନିଆଯାକର ଲୋକ ସେଇ ଚରିତ୍ରର ବୋଲି ଭାବନ୍ତି  । ବିଜେପି ଯେତେ ବାହାସ୍ପଟ ମାରିଲେ ବି ସେ ଜାଣିଛି ବିଜେପୁରରେ ତାଙ୍କର ପରାଜୟ ଅବଶ୍ୟମ୍ଭାବୀ । କଳେବଳେ କୌଶଳେ ବିଜେପୁର ହାତେଇବା ପାଇଁ ନିର୍ବାଚନ ତାରିଖ ଘୋଷଣା ଗଡାଇଗଡାଇ ଚାଲିବା ସତ୍ୱେ  ଏବେ ଆଉ କିଛି ଉପାୟ ନପାଇ ଅଫିସରଙ୍କ ବିରୋଧରେ ଅମୂଳକ ଅଭିଯୋଗ କରିଛି ନିର୍ବାଚନ କମିଶନଙ୍କ ଆଗରେ  । ନିଶ୍ଚିତ ପରାଜୟର କାରଣକୁ (ନିଜ ଅପାରଗତାକୁ) ଢାଙ୍କିବା ପାଇଁ ଅଫିସରଙ୍କ ବିରୋଧରେ ଯେଉଁ ମିଥ୍ୟା ଅଭିଯୋଗର ନାଟକବାଜୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଭାରୀ ଅରୁଣ ସିଂହ ଚଳାଇଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜୁ ଜନତାଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ  । ଶ୍ରୀ ନାୟକ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ଅଭିଯୋଗ ଉପସ୍ଥାପନ କରିଛି ତାହା ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ । ଭାରତୀୟ ଜନତା ପାର୍ଟି ବିଜେପୁର ଉପ-ନିର୍ବାଚନରେ ହାରିବା ନିଶ୍ଚିତ ଜାଣି ନାଟକବାଜି କରୁଛି ଓ ଆଗକୁ ହତାଶ ହୋଇ ଏଭଳି ଅନେକ ଡ୍ରାମା କରିବ । ଏହା ଲୋକମାନଙ୍କୁ ଭଳେଇ ପାରିବ ନାହିଁ । ଭାରତୀୟ ଜନତା ପାର୍ଟି ଯେ ଯୁଦ୍ଧ ପୂର୍ବରୁ ପଛଘୁଞ୍ଚା ଦେଇ ପଳାୟନ ପନ୍ଥୀ ହୋଇଛି ତାହା ବିଜେପିର ଆଚରଣ ଓ ଉଚ୍ଚାରଣରୁ ଜଣାପଡୁଛି । ବିଜେପିର ବିଜେପୁର ନିର୍ବାଚନକୁ ବହୁତ ଡର । ବାହାସ୍ଫଟ ମାରି ଆସୁଥିବା ବିଜେପି ନିଶ୍ଚିତ ପରାଜୟ ଆଶଙ୍କାରେ  ନିର୍ବାଚନକୁ ବିଳମ୍ବିତ କରିବା ପାଇଁ ଆଗରୁ ବହୁ କୌଶଳ ପ୍ରୟୋଗ କରିଥିଲା ବେଳେ ପ୍ରବଳ ଚାପ ଓ ଲୋକମତ ପାଇଁ ବିଜେପୁର ନିର୍ବାଚନ ତାରିଖ ଘୋଷଣା ହୋଇଛି । ତେବେ ଏବେଠୁ ବିଜେପି ପରାଜୟର ଗ୍ଲାନିରେ ଭୟାଭୀତ ହୋଇ ଏମିତି ମନଗଢ଼ା ଅଭିଯୋଗ ଆଣିଛି । ସରକାରୀ ଅଫିସରଙ୍କ ବିରୋଧରେ ଉପର ଠାଉରିଆ ଅଭିଯୋଗ ଆଣିବା ଉଚିତ୍ ନୁହେଁ । ଯଦି କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ଥାଏ, ତେବେ ସପ୍ରମାଣ ଉପସ୍ଥାପନ କରିଥିଲେ ଭଲ ହୋଇଥାନ୍ତା । କିନ୍ତୁ ବିଜେପି ପାଖରେ ଏପରି ତଥ୍ୟ କିଛି ନାହିଁ । ମିଥ୍ୟା ତଥ୍ୟ ଦେଇ ବିଜେପି କେବଳ ଅନ୍ଧାରରେ ବାଡ଼ି ବୁଲାଉଛି ଏବଂ ଶେଷରେ ନିଜର ବାଡ଼ି ପାହାରରେ ନିଜେ ହିଁ ଆହତ ହେବ । ଏଭଳି ନିର୍ବାଚନ କମିଶନଙ୍କ ଜରିଆରେ ସରକାରୀ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଲୋକମତକୁ ନିଜ ପକ୍ଷକୁ ଆଣିବାର ନିମ୍ନ ସ୍ତରର ପ୍ରୟାସ ଗଣତନ୍ତ୍ରରେ ଶୋଭାପାଏ ନାହିଁ । ବିଜେପୁରରେ ଏମିତି କିଛି ଘଟଣା ଘଟିନାହିଁ ଯେ ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ନେତାମାନେ କମିଶନଙ୍କ ଆଗରେ ଫେରାଦ ହେବେ । ବିଜେପୁରରେ ପରାଜୟ ପରେ କେନ୍ଦ୍ର ମନ୍ତ୍ରୀଙ୍କ କାଟତି ପଦାରେ ପଡିଯିବା ଆଶଙ୍କାରେ କେନ୍ଦ୍ର ନେତୃତ୍ୱଙ୍କ ଆଗରେ ନିଜର ଆଶଙ୍କିତ ମୁଖଲଜ୍ଜା ନିଜକୁ ବର୍ତ୍ତାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏପରି ଚାଲ୍ବାଜି କରୁଛନ୍ତି । ଏହି କାର୍ଯ୍ୟକ୍ରମ ନିହାତି ହାସ୍ୟାସ୍ପଦ ଓ ଉଦ୍ଦେଶ୍ୟ ପ୍ରଣୋଦିତ ସର୍ବୋପରି ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଉପରେ କୁଠାରାଘାତ  । କଥାରେ ଅଛି ଚୋର ମନ ଚୋର ଗଣ୍ଠିରେ, ଯିଏ ଯାହା କରୁଥାଏ ତାକୁ ସମସ୍ତେ ସେଭଳି ଲାଗିବେ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଶ୍ରୀ ନାୟକ କହିଛନ୍ତି ।

Leave A Reply

Your email address will not be published.