ସାବାସ ବାଲେଶ୍ୱର ପୋଲିସ, ଆମ ରାଜଧାନୀ ଭୁବନେଶ୍ୱରରେ ଇମିତି ହୁଅନ୍ତାନି !!!!

0

ବାଲେଶ୍ୱର ଏସପିଙ୍କ ପଦକ୍ଷେପକୁ ସହରବାସୀଙ୍କ ସ୍ୱାଗତ
 ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର-ବିକୃତ ନମ୍ବର ପ୍ଲେଟ ଖୋଲିଦେଲା ପୋଲିସ

ବାଲେଶ୍ୱର,(ଉଜ୍ଜ୍ଵଳ କର): ସହର ରାସ୍ତାରେ ଅତ୍ୟନ୍ତ ଦ୍ରୁତଗତିରେ ବାଇକ୍ ଚାଳନା ଏବଂ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ବ୍ୟବହାର ଓ ବିକୃତ ଡିଜାଇନ୍ରେ ଲିଖିତ ନମ୍ବର ପ୍ଲେଟ ଉପରେ ଅଂକୁଶ ଲଗାଇବା ଆରମ୍ଭ କରିଛି ବାଲେଶ୍ୱର ଟ୍ରାଫିକ୍ ପୁଲିସ । ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି ଯୁଗଲ କିଶୋର କୁମାରଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ୍ ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରାଫିକ ଥାନା ଏସ ଆଇ ପ୍ରଶାନ୍ତ ରଣସିଂହଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ସହ ଶତାଧିକ ବାଇକ୍ ଚାଳକଙ୍କୁ ଧରିଥିଲା । ଦ୍ରୁତ ଗାଡ଼ି ଚାଳନା ସାଙ୍ଗକୁ ବାଇକରେ ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ସହ ବିକୃତ ଡିଜାଇନରେ  ନମ୍ବର ପ୍ଲେଟ ଲଗାଇବା ସମ୍ପ୍ରତି ଯୁବଗୋଷ୍ଠୀଙ୍କ ପାଇଁ ଫେସନ ହୋଇଯାଇଛି । ଏହାଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟାନ୍ୟ ଯାନବାହାନ ତଥା ପାଦରେ ଯାଉଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ଏହି ଉଦ୍ଭ୍ରାନ୍ତ ଯୁବକମାନେ ସେଥିପ୍ରତି ତିଳେହେଲେ ଦୃଷ୍ଟି ଦେଉ ନାହାନ୍ତି । ଏଭଳି ସ୍ଥିତିକୁ ନେଇ ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ହେବା ପରେ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଟ୍ରାଫିକ୍ ପୁଲିସ ଧରପଗଡ଼ ଆରମ୍ଭ କରିଛି । ବିଶେଷ କରି ବୁଲେଟ, ଆପାଚି, ପଲସର ପ୍ରଭୃତି ଦାମୀ ବାଇକରେ  ଚାଳକମାନେ ୩ ରୁ ୪ ହଜାର ଟଙ୍କା ଖର୍ଚ୍ଚ କରି ଏହିଭଳି ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଲଗାଇଥାନ୍ତି । ଧରପଗଡ଼ ବେଳେ ୭୨ଟି ବାଇକ୍ରୁ  ସାଇଲେନ୍ସର ଖୋଲାଯାଇଥିବା ବେଳେ ୫ଶହଟି ବିକୃତ ନମ୍ବର ପ୍ଲେଟ କାଢ଼ି ନିଆଯଇଛି । ତେବେ ଚାଳକମାନଙ୍କୁ  ତାଗିଦ୍ କରାଯାଇଥିବା ବେଳେ ପୁନର୍ବାର ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର କିମ୍ବା ବିକୃତ ଡିଜାଇନ୍ର ନମ୍ବର ପ୍ଲେଟ ବ୍ୟବହାର କଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଚାଲାଣ କଟାଯିବ ବୋଲି ଚେତାବନୀ ଦିଆଯାଇଛି । ଏପରିକି ଚାଳକମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଧ କରାଯିବ ବୋଲି ଟ୍ରାଫିକ ଏସଆଇ ପ୍ରଶାନ୍ତ ରଣସିଂହ କହିଛନ୍ତି । ତେବେ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ସହିତ ଯାନବାହାନ ଚଳାଚଳର ସୁନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ଥାନା ପକ୍ଷରୁ ଜୁନ୍ ମାସରେ ୧୧୮ ଜଣଙ୍କ ଲାଇସେନ୍ସ ରଦ୍ଦ ସହ ବିଭିନ୍ନ କାରଣ ପାଇଁ ମୋଟ ୩ ଲକ୍ଷ ୭୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି ବୋଲି ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.