ଶରଣକୁଳ ନାରାୟଣ ହାଇସ୍କୁଲରେ ହେବ ଆୟୋଜନ, ପ୍ରସ୍ତୁତି ବୈଠକରେ ଗଠନ ହେଲା ବିଭିନ୍ନ କମିଟି
ଓଡ଼ଗାଁ, ୨୭।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକସ୍ତରୀୟ ବିଜ୍ଞାନମେଳା ଆସନ୍ତା ଡିସେମ୍ବର ୭ ତାରିଖରେ ଶରଣକୁଳସ୍ଥିତ ନାରାୟଣ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏନେଇ ଶୁକ୍ରବାର ନାରାୟଣ ହାଇସ୍କୁଲଠାରେ ଓଡ଼ଗାଁ ବ୍ଳକ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବିଜ୍ଞାନମେଳାର ସୁଚାରୁ ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ବିଭିନ୍ନ ଆଲୋଚନା ସହ ଆବଶ୍ୟକୀୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର କର, ନୟାଗଡ଼ ଜିଲ୍ଲା ଶିକ୍ଷକ ସଂଘର ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ଓଡ଼ଗାଁ ବ୍ଳକ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ଏକ୍ସ କ୍ୟାଡର ସଭାପତି ଜୟକୃଷ୍ଣ ପ୍ରଧାନଙ୍କ ସମେତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ବ୍ଳକର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ବୈଠକରେ ପୂର୍ବବର୍ଷ ଅନୁଷ୍ଠିତ ବିଜ୍ଞାନମେଳାର ଆୟବ୍ୟୟ ବିବରଣୀ ଉପସ୍ଥାପନ କରାଯାଇଥିବା ବେଳେ ଚଳିତ ବର୍ଷର ବିଜ୍ଞାନମେଳାକୁ ସଫଳତାର ସହ ଆୟୋଜନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା।