ଓଡ଼ଗାଁ, ୨୭।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଡ଼ିପଲ୍ଲୀସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶିଥିବା ଅଭିଯୋଗ ହୋଇଛି। ଏନେଇ ରଙ୍ଗଣୀପାଟଣା ଗ୍ରାମର ଗିରିଧାରୀ ସାହୁ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଗିରିଧାରୀ ସାହୁ ନଭେମ୍ବର ୨୭ ତାରିଖ ସକାଳ ପ୍ରାୟ ୯ଟା ୩୦ ମିନିଟରେ ଗୋଡ଼ିପଲ୍ଲୀସ୍ଥିତ ଉକ୍ତ ପେଟ୍ରୋଲ ପମ୍ପରେ ନିଜ ବାଇକ୍ (ଓଡି ୨୩ ୮୯୯୨)ରେ ୬୬୦ ଟଙ୍କାର ପେଟ୍ରୋଲ ଭରିଥିଲେ। ପେଟ୍ରୋଲ ପମ୍ପରୁ ପ୍ରାୟ ୧୦୦ ମିଟର ଦୂର ଯିବା ପରେ ତାଙ୍କ ବାଇକ୍ ହଠାତ୍ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ପରେ ଗାଡ଼ିକୁ ଗ୍ୟାରେଜ୍ରେ ଯାଞ୍ଚ କରାଇବା ସମୟରେ ଇନ୍ଧନରେ ପାଣି ମିଶିଥିବା ଜଣାପଡ଼ିଥିଲା। ଏକ ଲିଟର ବୋତଲରେ ସଂଗୃହିତ ତରଳ ପଦାର୍ଥରେ ପ୍ରାୟ ୯୦୦ ମିଲିଲିଟର ପାଣି ଓ ୧୦୦ ମିଲିଲିଟର ପେଟ୍ରୋଲ ଥିବା ଦେଖାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହି ଘଟଣାକୁ ନେଇ ଅଭିଯୋଗକାରୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ପାଣି ମିଶ୍ରିତ ଇନ୍ଧନକୁ ପୋଲିସର ଜିମା ଦେଇଛନ୍ତି। ଅଭିଯୋଗ ସମ୍ପର୍କରେ ଜାଣିବା ପରେ ପେଟ୍ରୋଲ ପମ୍ପ ମାଲିକ ମଧ୍ୟ ଓଡ଼ଗାଁ ଥାନାରେ ନିଜ ପକ୍ଷ ରଖିଥିବା ଜଣାପଡ଼ିଛି। ପୋଲିସର ନିର୍ଦ୍ଦେଶକ୍ରମେ ଉକ୍ତ ପେଟ୍ରୋଲ ପମ୍ପରେ ତେଲ ବିକ୍ରୟ ସାମୟିକ ଭାବେ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀକୁ ସୂଚନା ଦିଆଯାଇଥିବା ବେଳେ କମ୍ପାନୀ ପକ୍ଷରୁ ଅନଲାଇନ ମାଧ୍ୟମରେ ଯାଞ୍ଚ କରାଯାଉଛି। ଏବଂ ଆବଶ୍ୟକ ସ୍ଥଳେ ବୈଷୟିକ ଦଳ ଟାଙ୍କିରେ ପହଁଞ୍ଚି ତଦନ୍ତ କରିବା ପରେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଜଣାପଡିଛି।