ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ଅବସରପ୍ରାପ୍ତ ସେନା କର୍ମଚାରୀ ରଙ୍କନିଧି ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ସହ ଶେଷ ବିଦାୟ
ବେଲଗୁଣ୍ଠା, ୨୭/୧୧-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ନିକଟସ୍ଥ ବିଶ୍ୱନାଥବିହାର ଛକଠାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଗୋଠଳି ଗ୍ରାମର ଅବସରପ୍ରାପ୍ତ ଭାରତୀୟ ସେନା କର୍ମଚାରୀ ରଙ୍କନିଧି ପ୍ରଧାନ (୫୮)ଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣା ସମ୍ପର୍କରେ ଅବଗତ ହେବା ପରେ
ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ପକ୍ଷରୁ ଜେସିଓ ରଞ୍ଜିତ କୁମାର, ନାଏକ ଆନନ୍ଦ ଯାଦବ, ନାଏକ ସୁନିଲ ଯାଦବ ଏବଂ ଲାନ୍ସ ନାଏକ ରୋହିତ ଜାଟ ରଙ୍କନିଧିଙ୍କ ନିଜଗ୍ରାମ ଗୋଠଳୀ ରେ ଉପସ୍ଥିତ ରହି ଦିବଂଗତ ରଙ୍କନିଧି ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ଏହା ତାଙ୍କର ଦୀର୍ଘଦିନର ସାମରିକ ସେବା ଓ ଦେଶ ପ୍ରତି ଅବଦାନକୁ ସମ୍ମାନ ଜଣାଇବାର ଏକ ଭାବପୂର୍ଣ୍ଣ ଅବସର ଥିଲା।
ଏହି ଅବସରରେ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ନାଏକ ବଳରାମ ନାୟକ, ପାଟୁଳିସାହି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଦିନବନ୍ଧୁ ପରିଡ଼ା ଓ ସୁରାନଥ ପ୍ରଧାନ, ଗୋଠଳି ଗ୍ରାମର ସୁବେଦାର ମେଜର ପୀତବାସ ଜେନା ଏବଂ ସିପାହୀ ମନୋଜ କୁମାର ପ୍ରଧାନଙ୍କ ସମେତ ବହୁ ପୂର୍ବତନ ସେନା କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଦିବଂଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ମହତ୍ କାର୍ଯ୍ୟ ମାଧ୍ୟମରେ ଭାରତୀୟ ସେନାର ଶୃଙ୍ଖଳା, ସହଯୋଗ ଓ ମାନବିକତାର ଏକ ଉତ୍କୃଷ୍ଟ ନିଦର୍ଶନ ପ୍ରତିଫଳିତ ହୋଇଛି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପ୍ରତି ସେନାବାହିନୀର ଏହି ସମ୍ମାନ ଦେଶ ପାଇଁ ନିଜ ଜୀବନର ମୂଲ୍ୟବାନ ସମୟ ଉତ୍ସର୍ଗ କରିଥିବା ପ୍ରତ୍ୟେକ ସୈନିକଙ୍କ ପ୍ରତି କୃତଜ୍ଞତାର ପ୍ରତୀକ। ବୋଲି ଉପସ୍ଥିତ ସେନା କର୍ମଚାରୀମାନେ ପ୍ରକାଶ କରିଥିଲେ l