ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ୍ ସମ୍ମିଳନୀ କକ୍ଷ ଠାରେ ଡେପୁଟି କଲେକ୍ଟର ଶ୍ରୀ ବିନାୟକ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାରେ ଆଧାର ପଞ୍ଜୀକରଣ ଓ ଆଧାର କାର୍ଡ ଅପଡେଟ୍ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ବ୍ୟକ୍ତି ୧୦ ବର୍ଷରେ ଆଧାର କାର୍ଡରେ ଥିବା ବ୍ୟକ୍ତିଗତ ଓ ଠିକଣା ସମ୍ବନ୍ଧୀୟ ତଥ୍ୟ ଅପଡେଟ୍ କରିବା ଆବଶ୍ୟକ। ଏଥିପାଇଁ ଜିଲ୍ଲାରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମଧ୍ୟ ଆଲୋଚନା କରାଯାଇଛି । ସେହିପରି ବ୍ୟାଙ୍କ ଖାତା ଖୋଲିବା , ରାସନ କାର୍ଡ , ଛାତ୍ରବୃତ୍ତି ଏବଂ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇବା କ୍ଷେତ୍ରରେ ଆଧାର କାର୍ଡର ଗୁରୁତ୍ୱ ରହିଛି। ଏଥିସହ ରାସନ କାର୍ଡ ବ୍ୟବସ୍ଥା , ବ୍ୟାଙ୍କ ଋଣ ଆବେଦନ ଓ ଆୟକର ରିଟର୍ଣ୍ଣ ଦାଖଲ ଆଦି କ୍ଷେତ୍ରରେ ମଧ୍ୟ ଆଧାରର ଆବଶ୍ୟକତା ରହିଛି। ତେଣୁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ କରିବା ସହ ଆବଶ୍ୟକୀୟ ତଥ୍ୟ ଅପଡେଟ୍ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
ଆଧାର କାର୍ଡ ଅପଡେଟ୍ ପାଇଁ ଜନସାଧାରଣ http://myaadhaar.uidai.gov.in ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ରେ ଆବେଦନ କରିପାରିବେ। ଏଥିସହ ଜିଲ୍ଲାର ବିଭିନ୍ନ ଜନସେବା କେନ୍ଦ୍ର ସମେତ ଡାକଘର , ବିଭିନ୍ନ ବ୍ୟାଙ୍କ , ବ୍ଲକ କାର୍ଯ୍ୟାଳୟ , ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆଧାର ସମ୍ବନ୍ଧୀୟ ସେବା ଉପଲବ୍ଧ ରହିଛି।
ଜିଲ୍ଲାର ୦ରୁ ୫ ବର୍ଷ ବୟସର ଶିଶୁମାନଙ୍କ ଆଧାର ପଞ୍ଜୀକରଣ ହାର ବୃଦ୍ଧି କରିବା ସହ ୫ ବର୍ଷ ଓ ୧୫ ବର୍ଷ ବୟସରେ ଆବଶ୍ୟକୀୟ ବାୟୋମେଟ୍ରିକ୍ ଅପଡେଟ୍ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆଧାର ପଞ୍ଜୀକରଣ ଓ ଅପଡେଟ୍ ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରତ୍ୟେକ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିର ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା। ଏଥିସହ ମୋବାଇଲ ନମ୍ବର ସଂଯୋଗ , ବାୟୋମେଟ୍ରିକ୍ ଓ ଆବଶ୍ୟକୀୟ ଦସ୍ତାବିଜ ଅପଡେଟ୍ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଡିଏସପି ଶ୍ରୀ ଠାକୁରଦାସ ମୁର୍ମୁ , ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଅଭିଷେକ ମିଶ୍ର , ଜିଲ୍ଲା ଜିଲ୍ଲା ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୁଁୟା , ଶ୍ରୀ ଚିରଞ୍ଜୀବୀ ଦୋରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଆଧାର କେନ୍ଦ୍ରର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.