ଲାଇକେରାରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ସଭା

3


୯ ଦଫା ଦାବି ନେଇ ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗକୁ ଟାର୍ଗେଟ, ବାଇକ୍ ରାଲିରେ ଜନସଚେତନତା


ଝାରସୁଗୁଡ଼ା: : ଗଣତନ୍ତ୍ର, ସମ୍ବିଧାନ ଓ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଲାଇକେରା ବ୍ଲକରେ ‘ସମ୍ବିଧାନ ବଞ୍ଚାଅ’ ସଭା ଅନୁଷ୍ଠିତ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ସଭାରେ ଆସନ୍ତା ୨୬ ନଭେମ୍ବରରେ ଭୁବନେଶ୍ୱରଠାରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ରାଲି’ ଓ ‘ଭୁବନେଶ୍ୱର ଚାଲ’ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା।

ଏହି ଅବସରରେ କଂଗ୍ରେସ ପକ୍ଷରୁ ନଅ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ହୋଇଥିବା ନିର୍ବାଚନ ବାତିଲ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫଦାରି, ବାଲଟ୍ ପେପରରେ ନିର୍ବାଚନ କରାଇବା, ଏମ୍‌ଏମ୍‌ଡିଆର୍‌ ଆଇନ ୨୦୨୬କୁ ରଦ୍ଦ କରିବା ଆଦି ରହିଛି।

ସେହିପରି ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଥିବା ଅଭିଯୋଗ କରି ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, କୋଟିଆବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା, ପ୍ରସ୍ତାବିତ ନରାଜ ଡାଟା ସେଣ୍ଟର ପ୍ରକଳ୍ପ ବାତିଲ, ବନ୍ୟାର ସ୍ଥାୟୀ ପ୍ରତିକାର ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି ଦାବି ରଖାଯାଇଥିଲା।

ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ, ପିସିସି ସାଧାରଣ ସମ୍ପାଦକ ସୁଧୀର ପଣ୍ଡା, ସମ୍ପାଦକ ସଞ୍ଜୟ ମହାପାତ୍ର, ଜିଲ୍ଲା ଉପସଭାପତି ଅଲେଖ କୁମାର ଓ ଶୁକଦେବ ବାଗ, ନଗର ସଭାପତି ତଥା ରାଜ୍ୟ ଓବିସି ସାଧାରଣ ସମ୍ପାଦକ ଦେବାନନ୍ଦ ବାରିକ, ଲାଇକେରା ବ୍ଲକ ସଭାପତି ସମ୍ବାରୁ ରୋହିଦାସ ଏବଂ ଜୋନ୍ ସଭାପତି ସନ୍ତୋଷିନୀ କିସାନଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଯୋଗଦେଇଥିଲେ।

ବକ୍ତାମାନେ ନିଜ ଅଭିଭାଷଣରେ ସମ୍ବିଧାନର ମୂଳ ଆଦର୍ଶ, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ସମସ୍ତ ନାଗରିକଙ୍କ ସମାନ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଦଳର ପ୍ରତ୍ୟେକ କର୍ମୀ ଓ ନେତା ଏକଜୁଟ ହୋଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢ଼ାଇବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ କଂଗ୍ରେସ ପକ୍ଷରୁ ଏକ ବାଇକ୍ ରାଲି ଆୟୋଜନ କରାଯାଇ ଲୋକଙ୍କୁ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ନେତୃବୃନ୍ଦ କହିଥିଲେ ଯେ, ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଏହା ଦେଶର ଗଣତନ୍ତ୍ର, ଏକତା ଓ ଅଖଣ୍ଡତାର ମୂଳଭିତ୍ତି। ତେଣୁ ଏହାର ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ସଚେତନ ହେବା ଆବଶ୍ୟକ।

କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ କଂଗ୍ରେସର ବିଭିନ୍ନ ପଦାଧିକାରୀଙ୍କ ସହ ଯୁବକ, ଛାତ୍ର, ମହିଳା ଓ ଶତାଧିକ କଂଗ୍ରେସ କର୍ମୀ ଏବଂ ଗ୍ରାମବାସୀ ଯୋଗଦେଇଥିଲେ।

Leave A Reply

Your email address will not be published.