ହସ୍ପିଟାଲରେ ମହିଳାଙ୍କ ଆତ୍ମସମ୍ମାନ ଅସୁରକ୍ଷିତ!

2

ଖୋଲା ଓ ଅବ୍ୟବସ୍ଥିତ ଶୌଚାଳୟରେ ନମୁନା ସଂଗ୍ରହ, ନିଦାବିଷ୍ଣୁ ହସ୍ପିଟାଲ କର୍ତ୍ତୃପକ୍ଷ!

ସମ୍ବଲପୁର, ୨୩/୧୧ (ଲିପନ ନାଏକ): ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଦାୟିତ୍ୱ ନେଇଥିବା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କ ସୁରକ୍ଷା ଓ ଆତ୍ମସମ୍ମାନ ଏବେ ପ୍ରଶ୍ନବାଚୀ ହୋଇଛି। ହସ୍ପିଟାଲର ସେଣ୍ଟ୍ରାଲ ଲାବୋରେଟୋରୀ ନିକଟରେ ଥିବା ରୋଗୀଙ୍କ ଶୌଚାଳୟର ଦୟନୀୟ ଅବସ୍ଥା ହସ୍ପିଟାଲର ପରିମଳ ଓ ମୌଳିକ ସୁବିଧା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ପ୍ରତିଦିନ ଏଠାକୁ ଶତାଧିକ ରୋଗୀ ରକ୍ତ ଓ ପରିସ୍ରା ନମୁନା ପରୀକ୍ଷା ପାଇଁ ଆସୁଥିବା ବେଳେ ମହିଳାଙ୍କ ପାଇଁ ସୁରକ୍ଷିତ ଓ ସ୍ୱତନ୍ତ୍ର ଶୌଚାଳୟର ସୁବିଧା ନଥିବା ଅଭିଯୋଗ ହୋଇଛି। ଶୌଚାଳୟରେ ଠିକ୍‌ ଭାବେ କବାଟ ନାହିଁ, ଆଲୋକ ବ୍ୟବସ୍ଥା ନାହିଁ କିମ୍ବା ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ୍‌ ଶୌଚାଳୟର ସୂଚନା ଫଳକ ଥିଲେ ମଧ୍ୟ ବାସ୍ତବରେ ସେହି ଅନୁସାରେ ବ୍ୟବସ୍ଥା ନଥିବା ଅଭିଯୋଗ ହେଉଛି। ଶୌଚାଳୟ ଭିତରେ ଅନ୍ଧାର, ଲାଇଟ୍‌ର ଅଭାବ ଏବଂ ଅପରିଷ୍କାର ପରିବେଶ ସହିତ ଉପରୁ ଲତା ଝୁଲୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।
ଏଭଳି ପରିସ୍ଥିତିରେ ଜଣେ ମହିଳା ଶୌଚାଳୟ ବ୍ୟବହାର କରୁଥିବା ସମୟରେ ଅନ୍ୟ କେହି ଭିତରକୁ ପ୍ରବେଶ କଲେ ତାଙ୍କ ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତାର ଦାୟିତ୍ୱ କିଏ ନେବ? ଏହା କେବଳ ପରିମଳ ସମସ୍ୟା ନୁହେଁ, ବରଂ ମହିଳାଙ୍କ ମର୍ଯ୍ୟାଦା ଓ ସମ୍ମାନ ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ।
ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ଏଭଳି ଅସୁରକ୍ଷିତ ପରିବେଶ ଯୋଗୁଁ ଅନେକ ମହିଳା ନମୁନା ଦେବାକୁ ଅସୁବିଧା ଅନୁଭବ କରୁଛନ୍ତି। ଲଜ୍ଜା ଓ ଭୟରେ କେତେକ ମହିଳା ଫେରିଯାଉଥିବାରୁ ଆବଶ୍ୟକୀୟ ପରୀକ୍ଷା ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ରହିଛି।
ଜିଲ୍ଲାର ଏକ ପ୍ରମୁଖ ସରକାରୀ ଚିକିତ୍ସାଳୟରେ ଯଦି ମହିଳାଙ୍କ ପାଇଁ ସୁରକ୍ଷିତ ଶୌଚାଳୟ ବ୍ୟବସ୍ଥା ନାହିଁ, ତେବେ ସାଧାରଣ ରୋଗୀଙ୍କ ମୌଳିକ ସୁବିଧା ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷ କେତେ ଯତ୍ନବାନ, ତାହା ସହଜରେ ଅନୁମାନ କରାଯାଇପାରେ।
ତେଣୁ ରୋଗୀ ଓ ସାଧାରଣ ଲୋକଙ୍କ ପକ୍ଷରୁ ତୁରନ୍ତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର, ସୁରକ୍ଷିତ ଓ କବାଟଯୁକ୍ତ ଶୌଚାଳୟ ନିର୍ମାଣ ସହ ଆଲୋକ, ପାଣି ଓ ନିୟମିତ ସଫେଇ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏଥିସହ ସିଡିଏମ୍‌ଓ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଉଠିଛି।
ପ୍ରଶ୍ନ ଉଠୁଛି, ରୋଗୀଙ୍କୁ ସୁସ୍ଥ କରିବାର ଦାୟିତ୍ୱ ନେଇଥିବା ହସ୍ପିଟାଲ ଯଦି ମହିଳାଙ୍କ ମର୍ଯ୍ୟାଦା ଓ ଗୋପନୀୟତାର ସୁରକ୍ଷା ଦେଇପାରୁନାହିଁ, ତେବେ ଏହି ଅବହେଳା ପାଇଁ ଦାୟୀ କିଏ?

Leave A Reply

Your email address will not be published.