ବେହେରାପାଟ ମୁଣ୍ଡାପଡ଼ାରେ ପୂଜାର୍ଚ୍ଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଲହଣ୍ଡାବୁଡ଼ରେ ସମ୍ବର୍ଦ୍ଧିତ
ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ଏଚ୍ କଣ୍ଟାପାଲି ଗ୍ରାମପଞ୍ଚାୟତର ବେହେରାପାଟ ମୁଣ୍ଡାପଡ଼ାଠାରେ ସୋମବାର ସନ୍ଧ୍ୟାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତିମୟ ପରିବେଶରେ ପୂଜାର୍ଚ୍ଚନା ଓ ସାଂସ୍କୃତିକ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗଦେଇ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଅଞ୍ଚଳବାସୀଙ୍କ ସହ ଉତ୍ସବର ଆନନ୍ଦ ବାଣ୍ଟିଥିଲେ।
ଏହି ଅବସରରେ ବିଧିବିଧାନ ଅନୁଯାୟୀ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜାର୍ଚ୍ଚନା କରାଯିବା ସହ ପୁରାଣ ପାଠ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସମାଗମରେ ଉତ୍ସବଟି ବେଶ୍ ଉତ୍ସାହ ଓ ଭକ୍ତିଭାବର ସହ ପାଳିତ ହୋଇଥିଲା।
ନିଜ ବକ୍ତବ୍ୟରେ ଦୀପାଳି ଦାସ କହିଥିଲେ ଯେ, କାର୍ତ୍ତିକ ମାସ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ପବିତ୍ର ତଥା ଧର୍ମମୟ ମାସ। ଏହି ମାସରେ ଭଗବାନଙ୍କ ଆରାଧନା, ବ୍ରତ, ପୁରାଣ ପାଠ ଓ ଦାନଧର୍ମ ମଣିଷକୁ ସତ୍ପଥରେ ଚାଲିବାକୁ ପ୍ରେରଣା ଯୋଗାଇଥାଏ। କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ରତା ଏବଂ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ଭରିଦେଉ ବୋଲି ସେ କାମନା କରିଥିଲେ।
ସେହିପରି ଲହଣ୍ଡାବୁଡ଼ଠାରେ ଆୟୋଜିତ କାର୍ତ୍ତିକ ଚତୁର୍ଦ୍ଦଶୀ ଉତ୍ସବରେ ମଧ୍ୟ ଦୀପାଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଜୟ ଜଗନ୍ନାଥ କଳା ପରିଷଦ ପକ୍ଷରୁ ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଚିତ୍ରାଣୀ ପଟେଲଙ୍କ ସମେତ କଳା ପରିଷଦର ବହୁ କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।