ଗଜଉଦ୍ଧାରଣ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଭକ୍ତିମୟ ହେଲା ମନ୍ଦିର ପରିବେଶ,
ଓଡ଼ଗାଁ, ୨୧।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପ୍ରସିଦ୍ଧ ବିଷ୍ଣୁ କ୍ଷେତ୍ର ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପବିତ୍ର କାର୍ତ୍ତିକ ମାସର ବଡ଼ ଏକାଦଶୀ ତଥା ଦେବୋତ୍ଥାପନ ଏକାଦଶୀ ଅବସରରେ ପଞ୍ଚୁକ ପର୍ବର ଶୁଭାରମ୍ଭ ହୋଇଛି। ପଞ୍ଚୁକର ପ୍ରଥମ ଦିବସରେ ମହାପ୍ରଭୁ ଶ୍ରୀ ରଘୁନାଥ ଜିଉ ମନଲୋଭା ଗଜଉଦ୍ଧାରଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ମନ୍ଦିର ପରିସର ହରିନାମ ସଂକୀର୍ତ୍ତନ ଓ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ପାଳିଆ ପଣ୍ଡା ବେଣୁଧର ନନ୍ଦଙ୍କ ଦ୍ୱାରା ପୂଜାବିଧି ସମ୍ପନ୍ନ ହୋଇଥିବା ବେଳେ ଦାଶ ଓ ବାହିନୀପତି ବଂଶର ସେବାୟତମାନେ ଶ୍ରୀଜିଉଙ୍କୁ ଗଜଉଦ୍ଧାରଣ ବେଶରେ ସୁସଜ୍ଜିତ କରିଥିଲେ। ସନ୍ଧ୍ୟାରେ ମନ୍ଦିରର ଦ୍ୱାର ଫିଟାଯିବା ପରେ ପ୍ରଭୁଙ୍କ ନିକଟରେ ଜଳ, ଚନ୍ଦନ, ତୁଳସୀ, ପୁଷ୍ପମାଲ୍ୟ ଓ ସନ୍ଧ୍ୟାଭୋଗ ଅର୍ପଣ କରାଯାଇଥିଲା। ଏଥିସହ କର୍ପୂର ଆଳତି, ବନ୍ଦାପନା, ମହାଆଳତି, ଆଲଟ ଓ ଚାମର ସେବା ଆଦି ପାରମ୍ପରିକ ନୀତିକାନ୍ତି ଶ୍ରଦ୍ଧା ଓ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା।
ପୌରାଣିକ କଥାବସ୍ତୁ ଅନୁଯାୟୀ, ଗଜଉଦ୍ଧାରଣ ଲୀଳା ଭଗବାନ ଶ୍ରୀବିଷ୍ଣୁଙ୍କ ଅପାର କରୁଣା, ଭକ୍ତବତ୍ସଳତା ଓ ଶରଣାଗତରକ୍ଷାର ଏକ ମହାନ ଉଦାହରଣ। ଥରେ ଗଜରାଜ ତୃଷା ମେଣ୍ଟାଇବା ପାଇଁ ଏକ ଗଭୀର ଜଳାଶୟକୁ ପ୍ରବେଶ କରିଥିବାବେଳେ ଏକ କୁମ୍ଭୀର ତାଙ୍କ ଗୋଡ଼କୁ ଧରି ଟାଣିଥିଲା। ଦୀର୍ଘ ସମୟ ଧରି କୁମ୍ଭୀର କବଳରୁ ମୁକ୍ତି ପାଇବାକୁ ଗଜରାଜ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଶେଷରେ ସମସ୍ତ ଉପାୟ ହରାଇ ସେ ଅନନ୍ୟୋପାୟ ହୋଇ ପରମ ଆରାଧ୍ୟ ପ୍ରଭୁ ଶ୍ରୀହରିଙ୍କୁ ଆକୁଳ ଚିତ୍ତରେ ସ୍ମରଣ କରିଥିଲେ। ଭକ୍ତ ଗଜରାଜଙ୍କ ଆତୁର ଡାକ ଓ ଶରଣାଗତିରେ ଭଗବାନ ଶ୍ରୀବିଷ୍ଣୁ ବିଳମ୍ବ ନକରି ମାତା ଲକ୍ଷ୍ମୀଙ୍କ ସହ ଗରୁଡ଼ ବାହନରେ ବୈକୁଣ୍ଠରୁ ଧରାପୃଷ୍ଠକୁ ଅବତରଣ କରିଥିଲେ। ନିଜର ସୁଦର୍ଶନ ଚକ୍ର ପ୍ରୟୋଗ କରି କୁମ୍ଭୀରକୁ ବିନାଶ କରିବା ସହ ଗଜରାଜଙ୍କୁ ଉଦ୍ଧାର କରିଥିଲେ। ଏହି ଲୀଳା ମାଧ୍ୟମରେ ପ୍ରଭୁ ଜଣାଇଥିଲେ ଯେ, ନିଷ୍କପଟ ଭକ୍ତି ଓ ଏକାନ୍ତ ଶରଣାଗତି ନିକଟରେ ଭଗବାନ ସଦା ସହାୟ ହୋଇଥାନ୍ତି। ଭକ୍ତର ଆର୍ତ୍ତ ଡାକ ପ୍ରଭୁଙ୍କୁ ନିଶ୍ଚିତ ଭାବେ ଆକର୍ଷିତ କରେ। ଗଜଉଦ୍ଧାରଣ ବେଶ ଏହି ମହାନ ଆଧ୍ୟାତ୍ମିକ ବାର୍ତ୍ତାକୁ ସ୍ମରଣ କରାଇଥାଏ।
ଅନ୍ୟପକ୍ଷରେ ବଡ଼ ଏକାଦଶୀ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ଏକାଦଶୀ ବେଢ଼ା ଓ ଅନ୍ୟାନ୍ୟ ପାରମ୍ପରିକ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ହରିଉତ୍ଥାପନ ଏକାଦଶୀଠାରୁ ଶୁଭକାର୍ଯ୍ୟ, ବିବାହ ଓ ବ୍ରତାଦି ମଙ୍ଗଳ କାର୍ଯ୍ୟର ଶୁଭାରମ୍ଭ ହେବାର ପରମ୍ପରା ରହିଛି। ପାଳିଆ ପଣ୍ଡାଙ୍କ ସମେତ ପୂଜକ ପରିଷଦ ଓ ସୁଆର ସେବକ ପରିଷଦର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନଙ୍କ ସହଯୋଗରେ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିଥିଲେ।