ରୁଫ୍‌ଟପ୍ ସୋଲାର ସ୍ଥାପନକୁ ପ୍ରୋତ୍ସାହନ ଲାଗି ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ପଶ୍ଚିମ ଓଡ଼ିଶାର ୩୮୪ଟି ସ୍ୱାୟତ୍ତ ଶାସନ ସଂସ୍ଥାକୁ ୨୦.୦୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ 

12

ନଅଟି ଜିଲ୍ଲାର ୩୮୪ଟି ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ସଂସ୍ଥାକୁ ନିଜ ଅଞ୍ଚଳରେ ପ୍ରତିଟି ଘରୋଇ ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ।

ବୁର୍ଲା, ୨୧ ନଭେମ୍ବର ୨୦୨୬: ସବୁଜ ଶକ୍ତି ଦିଗରେ ଅଗ୍ରସର ହେବା ପ୍ରକ୍ରିୟାରେ ସଂପ୍ରଦାୟର ସକ୍ରିୟ ଅଂଶଗ୍ରହଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ରେ ପଶ୍ଚିମ ଓଡ଼ିଶାର ନଅଟି ଜିଲ୍ଲାର ୩୮୪ଟି ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ଘରୋଇ ରୁଫ୍‌ଟପ୍ ସୋଲାର ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ମୋଟ ୨୦.୦୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE) ପକ୍ଷରୁ ମଞ୍ଜୁର ହୋଇଥିବା ଅର୍ଥରୁ ଏହି ରାଶି ପ୍ରଦାନ କରାଯାଇଛି । ୨,୦୦୦ରୁ ଅଧିକ ଘରେ ରୁଫ୍‌ଟପ୍ ସୋଲାର ସ୍ଥାପନକୁ ଏହା ଅନ୍ତର୍ଭୁକ୍ତ କରୁଥିବା ବେଳେ ସୋଲାର ଶକ୍ତିର ପ୍ରସାରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ଅବଦାନକୁ ଏହା ସ୍ୱୀକୃତି ପ୍ରଦାନ କରୁଛି ।

ଏହି ପଦକ୍ଷେପ ଅନୁଯାୟୀ, ଯୋଗ୍ୟ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳ ସଂସ୍ଥାକୁ ନିଜ ନିଜ ଅଞ୍ଚଳରେ ପ୍ରତିଟି ଘରୋଇ ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଅଛି । ଏହା ମାଧ୍ୟମରେ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ନିଜ ଅଞ୍ଚଳରେ ରୁଫ୍‌ଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଲୋକଙ୍କୁ ଏଥିରେ ସାମିଲ କରିବା ଏବଂ ଘରୋଇ ସୋଲାର ବ୍ୟବସ୍ଥାର ପ୍ରସାର ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି ।

ପ୍ରୋତ୍ସାହନ ରାଶି ପ୍ରଦାନ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସର୍ବାଗ୍ରେ ରହିଛି । ଜିଲ୍ଲାର ୭୭ଟି ଗ୍ରାମ ପଞ୍ଚାୟତକୁ ୪.୯୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବରଗଡ଼ ଜିଲ୍ଲାର ୭୧ଟି ଗ୍ରାମ ପଞ୍ଚାୟତକୁ ୨.୭୧ ଲକ୍ଷ ଟଙ୍କା ଏବଂ ବଲାଙ୍ଗୀର ଜିଲ୍ଲାର ୪୭ଟି ଗ୍ରାମ ପଞ୍ଚାୟତକୁ ୨.୪୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅବଶିଷ୍ଟ ପ୍ରୋତ୍ସାହନ ରାଶି ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୋନପୁର ଓ ଦେବଗଡ଼ ଜିଲ୍ଲାରେ ବଣ୍ଟନ କରାଯାଇଛି । ଆର୍ଥିକ ବର୍ଷ ୨୦୨୫-୨୬ରେ ଯୋଗ୍ୟ ରୁଫ୍‌ଟପ୍ ସୋଲାର ସ୍ଥାପନ ଲାଗି ପ୍ରୋତ୍ସାହନ ରାଶି, ମନ୍ତ୍ରାଳୟ ପକ୍ଷରୁ ସମ୍ପୃକ୍ତ ଅର୍ଥ ମଞ୍ଜୁର ହେବା ପରେ ପୃଥକ୍ ଭାବେ ପ୍ରଦାନ କରାଯିବ ।

ଗତ ୨୦ ନଭେମ୍ବର ୨୦୨୬ ସୁଦ୍ଧା ଟିପିଡବ୍ଲ୍ୟୁଓଡିଏଲ୍ ନିଜ କାର୍ଯ୍ୟକ୍ଷେତ୍ରରେ ମୋଟ ୭୯,୮୧୭ଟି ରୁଫ୍‌ଟପ୍ ସୋଲାର ସ୍ଥାପନରେ ସହଯୋଗ କରିଛି । ଏଥିମଧ୍ୟରୁ ୩୬,୪୩୫ଟି ସ୍ଥାପନ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ULA) ମଡେଲ୍ ଅଧୀନରେ ହୋଇଛି । ଏହି ମଡେଲ୍ ମାଧ୍ୟମରେ ଯୋଗ୍ୟ ପରିବାରମାନେ ମାତ୍ର ୧,୮୭୫ ଟଙ୍କା ନିଜସ୍ୱ ଅଂଶଦାନରେ ୧ କିଲୋୱାଟ୍ କ୍ଷମତା ବିଶିଷ୍ଟ ରୁଫ୍‌ଟପ୍ ସୋଲାର ବ୍ୟବସ୍ଥା ସ୍ଥାପନ କରିପାରୁଛନ୍ତି । ଫଳରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ପାଇଁ ସ୍ୱଚ୍ଛ ଶକ୍ତିର ବ୍ୟବହାର ଅଧିକ ସହଜ ଓ ସୁଲଭ ହୋଇପାରିଛି ।

ଏହି ୭୯,୮୧୭ଟି ରୁଫ୍‌ଟପ୍ ସୋଲାର ସ୍ଥାପନ ସହ ଟିପିଡବ୍ଲ୍ୟୁଓଡିଏଲ୍ ଓଡ଼ିଶାର ଚାରିଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହା ସହିତ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା ଅଧୀନରେ ଜାତୀୟ ସ୍ତରରେ ସପ୍ତମ ସ୍ଥାନରେ ଥିବା ଓଡ଼ିଶାର ରୁଫ୍‌ଟପ୍ ସୋଲାର ଅଭିଯାନକୁ ମଧ୍ୟ ଏହି ସଫଳତା ଆଗକୁ ବଢ଼ାଇଛି । ବ୍ୟାପକ ସ୍ତରରେ ସୋଲାର ସ୍ଥାପନ ସହ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ସକ୍ରିୟ ସହଯୋଗକୁ ଯୋଡ଼ି ଟିପିଡବ୍ଲ୍ୟୁଓଡିଏଲ୍ ପଶ୍ଚିମ ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାରକୁ ତ୍ୱରାନ୍ୱିତ କରୁଛି ।

ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ଆଗ୍ରହୀ ଗ୍ରାହକମାନେ ଯୋଗ୍ୟତା ଓ ସ୍ଥାପନ ସମ୍ପର୍କିତ ମାର୍ଗଦର୍ଶନ ପାଇଁ ନିକଟସ୍ଥ ଟିପିଡବ୍ଲ୍ୟୁଓଡିଏଲ୍ ସେକ୍ସନ୍ କାର୍ଯ୍ୟାଳୟ କିମ୍ବା କମ୍ପାନୀର ସୋଲାର ସେଲ୍‌- ୯୦୭୮୬୮୨୮୯୪ ନମ୍ବରରେ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.