ଡାକ୍ତରମାନେ ବ୍ୟବସାୟିକ ମନୋବୃତ୍ତି ନୁହେଁ, ରୋଗୀ କଲ୍ୟାଣକୁ ପ୍ରାଥମିକତା ଦିଅନ୍ତୁ : ଡା. ଚଣ୍ଡୀ ଦାସ
ପୁରୀ,୨୧/୧୧: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁରୀ ସହରକୁ ଆଉ ଏକ ନୂତନ ଚିକିତ୍ସା ସୁବିଧା ମିଳିଛି। ଜନସାଧାରଣଙ୍କୁ ଉନ୍ନତମାନର ତଥା ଆଧୁନିକ ଦନ୍ତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ଗୋପୀନାଥପୁରସ୍ଥିତ ଗୋପୀନାଥଜୀ ମନ୍ଦିର ନିକଟରେ ନୂତନ ଡେଣ୍ଟାଲ୍ କ୍ଲିନିକ୍ ‘ଡେଣ୍ଟିଓରା’ (DENTIORA) ଶନିବାର ଶୁଭ ଉଦ୍ଘାଟିତ ହୋଇଛି। ଏହି କ୍ଲିନିକ୍ର ଶୁଭାରମ୍ଭ ଫଳରେ ସହରବାସୀଙ୍କୁ ଦନ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରିବାର ଏକ ନୂତନ ସୁଯୋଗ ସୃଷ୍ଟି ହୋଇଛି।
ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଭାରତର ସୁନାମଧନ୍ୟ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଡାକ୍ତର ଚଣ୍ଡୀ ଦାସ ଯୋଗଦେଇ ଚିକିତ୍ସା ସେବାର ମୂଳ ଲକ୍ଷ୍ୟ ରୋଗୀଙ୍କ କଲ୍ୟାଣ ହେବା ଉଚିତ ବୋଲି ମତପ୍ରକାଶ କରିଥିଲେ। ଡାକ୍ତରମାନେ କେବଳ ବ୍ୟବସାୟିକ ମନୋବୃତ୍ତି ନ ରଖି ମାନବିକତା ଓ ସେବା ମନୋଭାବ ନେଇ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଆବଶ୍ୟକ। ରୋଗୀଙ୍କ ଆର୍ଥିକ ସ୍ଥିତି ଅପେକ୍ଷା ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଅଧିକ ଗୁରୁତ୍ୱ ଦେବା ଡାକ୍ତରଙ୍କ ପ୍ରକୃତ ଦାୟିତ୍ୱ ବୋଲି ସେ ମତ ରଖିଥିଲେ।
ସମାରୋହରେ ସ୍ୱତନ୍ତ୍ର ଅତିଥି ଭାବେ ମହୀପ୍ରକାଶ ମଠର ମଠାଧୀଶ ସ୍ୱାମୀ ଶୁଭାନନ୍ଦ ପୁରୀ ମହାରାଜ ଯୋଗଦେଇ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଶୃଙ୍ଖଳିତ ଜୀବନଶୈଳୀ ସହ ଆଧ୍ୟାତ୍ମିକ ଚିନ୍ତାଧାରାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଶରୀରର ସୁସ୍ଥତା ସହ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଚେତନାର ସମନ୍ୱୟ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ସେ ମତ ଦେଇଥିଲେ।
ଏହି ନୂତନ କ୍ଲିନିକ୍ରେ ଅତ୍ୟାଧୁନିକ ଦନ୍ତ ଚିକିତ୍ସା ପଦ୍ଧତି ଓ ଉନ୍ନତ ସେବା ମାଧ୍ୟମରେ ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବାର ଯୋଜନା ରହିଛି। ଦାନ୍ତ ଓ ମୁଖ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ସହ ଦନ୍ତ ସ୍ୱାସ୍ଥ୍ୟର ଯତ୍ନ, ନିୟମିତ ଦନ୍ତ ପରୀକ୍ଷା ଏବଂ ମୁଖ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଅନୁଷ୍ଠାନର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଡେଣ୍ଟିଓରାର ପ୍ରତିଷ୍ଠାତା ଡାକ୍ତର ପ୍ରିୟଙ୍କର ରାୟ କହିଥିଲେ। ଆଗାମୀ ଦିନରେ ଲୋକଙ୍କୁ ସୁଲଭ ଓ ଉନ୍ନତମାନର ଦନ୍ତ ଚିକିତ୍ସା ସେବା ଯୋଗାଇବା ସହ ସ୍ୱାସ୍ଥ୍ୟ ସଚେତନତା ଦିଗରେ କ୍ଲିନିକ୍ କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ ଓଡ଼ିଶା ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. କୈଳାସ ଚନ୍ଦ୍ର ଟିକାୟତ ରାୟ, ନାଲ୍କୋର ପୂର୍ବତନ ସିଏମ୍ଡି ତପନ କୁମାର ଚାନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଦୀପ କୁମାର ସରକାର, ସାମାଜିକ ଅନୁଷ୍ଠାନ ‘ଦ ବେଲ୍’ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ବରିଷ୍ଠ ସାମ୍ବାଦିକ ନାରାୟଣ ଦାସ ଏବଂ ‘ଶିଶୁ ସମାଚାର’ର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
ଅତିଥିମାନେ ନୂତନ କ୍ଲିନିକ୍ର ଶୁଭାରମ୍ଭକୁ ସ୍ୱାଗତ କରିବା ସହ ପୁରୀବାସୀଙ୍କୁ ଉନ୍ନତ ଦନ୍ତ ଚିକିତ୍ସା ସେବା ଯୋଗାଇବା ଦିଗରେ ଏହି ଅନୁଷ୍ଠାନ ସଫଳ ହେବ ବୋଲି ଶୁଭକାମନା ଜଣାଇଥିଲେ। ଏହି ଉଦ୍ଘାଟନୀ ସମାରୋହରେ ସହରର ବହୁ ବୁଦ୍ଧିଜୀବୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।