ବାତ୍ୟା ‘ଆକୱ୍ବାନ’ ମୁକାବିଲାରେ ପୁରୀ ପ୍ରଶାସନ ସଫଳ

44

୪୭୩ ରିଲିଫ୍ ଶିବିରରେ ଆଶ୍ରୟ ନେଲେ ୫୮,୦୫୮ ଜଣ, ୨୨୫ ଗର୍ଭବତୀ ସ୍ଥାନାନ୍ତର

ପୁରୀ, ୨୦/୧୧: ପୂର୍ବ ପ୍ରସ୍ତୁତି, ସମନ୍ୱିତ ପରିଚାଳନା ଓ ତ୍ୱରିତ ପଦକ୍ଷେପ ଯୋଗୁଁ ସମ୍ଭାବ୍ୟ ବାତ୍ୟା ‘ଆକୱ୍ବାନ’ର ସଫଳ ମୁକାବିଲା କରିଛି ପୁରୀ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାର ୧୧ଟି ବ୍ଲକ ଅନ୍ତର୍ଗତ ୧୬୯ଟି ପଞ୍ଚାୟତର ୭୮୦ଟି ଗ୍ରାମ ଏବଂ ୪ଟି ସହରାଞ୍ଚଳର ୪୫ଟି ୱାର୍ଡରୁ ମୋଟ ୧,୧୪,୬୮୮ ଜଣଙ୍କୁ ସମ୍ଭାବ୍ୟ ପ୍ରଭାବିତ ଭାବେ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୫୮,୦୫୮ ଜଣଙ୍କୁ ୪୭୩ଟି ରିଲିଫ୍ ଶିବିରରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଥିଲା।
ଜିଲ୍ଲା କାର୍ଯ୍ୟାଳୟ ସମେତ ସମସ୍ତ ବିଡିଓ, ତହସିଲଦାର, ସହରାଞ୍ଚଳ ଓ ବିଭିନ୍ନ ଲାଇନ୍ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିଲା।
ବରିଷ୍ଠ ଅଧିକାରୀଙ୍କ ତଦାରଖ
ବାତ୍ୟା ପରିଚାଳନାରେ ସହଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଚ୍ଚଶିକ୍ଷା ସଚିବ ତଥା ପୁରୀର ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀ ଅଗ୍ରୱାଲ ଜିଲ୍ଲାରେ ପହଞ୍ଚି ପ୍ରଶାସନ ସହ ଆଲୋଚନା ଓ ସମୀକ୍ଷା କରିବା ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାସହ ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ଏସ୍‌ପି ପ୍ରତୀକ ସିଂ ମଧ୍ୟ ବିଭିନ୍ନ ବ୍ଲକ ପରିଦର୍ଶନ କରି ବିପଦସଂକୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପ୍ରେରିତ କରିଥିଲେ।
୪୭୩ ରିଲିଫ୍ ଶିବିରରେ ୫୮ ହଜାରରୁ ଊର୍ଦ୍ଧ୍ୱ ଲୋକ
ବିପଦସଂକୁଳ ଅଞ୍ଚଳରୁ ସ୍ଥାନାନ୍ତର ହୋଇଥିବା ୫୮,୦୫୮ ଜଣଙ୍କୁ ୪୭୩ଟି ରିଲିଫ୍ ଶିବିରରେ ରଖାଯାଇଥିଲା। ଶିବିରରେ ରହୁଥିବା ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ ପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଆବଶ୍ୟକ ସ୍ଥଳରେ ୯୮ ସିଟ୍ ପଲିଥିନ୍ ମଧ୍ୟ ବଣ୍ଟନ କରାଯାଇଥିଲା।
ସ୍କୁଲ, ଅଙ୍ଗନବାଡ଼ି ଓ ପର୍ଯ୍ୟଟନସ୍ଥଳୀ ବନ୍ଦ
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବାତ୍ୟା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ସମସ୍ତ ସମୁଦ୍ର ବେଳାଭୂମିକୁ ନ ଯିବା ପାଇଁ ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହୋଟେଲ ମାଲିକମାନଙ୍କୁ ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂତନ ବୁକିଂ ବନ୍ଦ ରଖିବାକୁ କୁହାଯାଇଥିଲା। ସେହିପରି ଚିଲିକା ସମେତ ସମସ୍ତ ଜଳଉତ୍ସରେ ଡଙ୍ଗା ଓ ଫେରି ସେବାକୁ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ କୋଣାର୍କ ସୂର୍ଯ୍ୟମନ୍ଦିର ଓ ସଂଗ୍ରହାଳୟକୁ ମଧ୍ୟ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।
୨୨୫ ଗର୍ଭବତୀ ସ୍ଥାନାନ୍ତର, ୯୧ ଜଣଙ୍କ ପ୍ରସବ
ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ପ୍ରସବ ଆସନ୍ନ ୨୨୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମାତୃଗୃହ ଓ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୧ ଜଣ ସୁରକ୍ଷିତ ଭାବେ ସନ୍ତାନ ଜନ୍ମ ଦେଇଛନ୍ତି। ରିଲିଫ୍ ଶିବିରରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
୩ ଓଡ୍ରାଫ୍, ୨ ଏନ୍‌ଡିଆର୍‌ଏଫ୍ ଟିମ୍ ନିୟୋଜିତ
ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲାରେ ୩ଟି ଓଡ୍ରାଫ୍ ଓ ୨ଟି ଏନ୍‌ଡିଆର୍‌ଏଫ୍ ଟିମ୍ ନିୟୋଜିତ ହୋଇଥିଲେ। ଏହାସହ ଅଗ୍ନିଶମ ବିଭାଗର ୧୮ଟି ୟୁନିଟ୍ ମଧ୍ୟ କାର୍ଯ୍ୟକ୍ଷମ ରହିଥିଲା। ଅସ୍ତରଙ୍ଗ ଅଞ୍ଚଳରେ ଗଛ ପଡ଼ିବା ଘଟଣା ପରେ ତୁରନ୍ତ ଗଛ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା।
ରିଲିଫ୍ ସାମଗ୍ରୀ ବଣ୍ଟନ, ଦୁଇଟି ଘର କ୍ଷତିଗ୍ରସ୍ତ
ପ୍ରଭାବିତ ଲୋକଙ୍କୁ ୨୧୮.୧୫ କୁଇଣ୍ଟାଲ ଚୁଡ଼ା ଓ ୩୪.୪୪ କୁଇଣ୍ଟାଲ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଗୋରୁଗାଈଙ୍କ ପାଇଁ ୩୮.୩୫ କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇ ଦିଆଯାଇଥିଲା। ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁଯାୟୀ, ପ୍ରାଥମିକ ଆକଳନରେ ଜିଲ୍ଲାରେ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଛି।
ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ
ବାତ୍ୟା ମୁକାବିଲାରେ ସରକାର, ବରିଷ୍ଠ ଅଧିକାରୀ, ଜିଲ୍ଲାର ଲୋକପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ, ସୁରକ୍ଷା କର୍ମଚାରୀ, ପର୍ଯ୍ୟଟକ ଓ ହୋଟେଲ ମାଲିକଙ୍କ ସହଯୋଗକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ପ୍ରଶଂସା କରିବା ସହ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.