ବେଲଗୁଣ୍ଠା, ୨୦/୧୧:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଦେଇ ପ୍ରବାହିତ ବୋଡ଼ାନଦୀରେ ଜଗନ୍ନାଥପ୍ରସାଦ ପଟୁ ଅଧିକ ପରିମାଣରେ ଜଳ ପ୍ରବେଶ କରିବାରୁ ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାକୁ ନେଇ ନଦୀକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବେଲଗୁଣ୍ଠା ଏନ୍ଏସିର ୩ ନମ୍ବର ୱାର୍ଡ ଏବଂ ଚଢ଼ିଆପଲ୍ଲୀ ଗ୍ରାମର ଶତାଧିକ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।ସେହିପରି ପୁରୁଣା ଉଢ଼ୁରା ଗ୍ରାମରେ ମଧ୍ୟ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଦିନବେଳେ ପ୍ରାୟ ୧୫୦ ଜଣଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇଥିବା ବେଳେ ରାତିରେ ଆଉ ପାଖାପାଖି ୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ପରିସ୍ଥିତିର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ବେଲଗୁଣ୍ଠା ବିଡିଓ ସିଙ୍ଗାପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ ରେବତୀ ଶବର, ଏସ୍ଆଇ ସବ୍ୟସାଚୀ ପରିଡ଼ା ଏବଂ ବ୍ଲକ୍ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରମୋଦ ପ୍ରଧାନଙ୍କ ସମେତ ପଞ୍ଚାୟତସ୍ତରୀୟ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।ଅନ୍ୟପକ୍ଷରେ ନଦୀର ଜଳସ୍ରୋତ ଉପରେ ନିରନ୍ତର ନଜର ରଖାଯିବା ସହ ଆବଶ୍ୟକ ସ୍ଥାନରେ ବାଲିବସ୍ତା ମହଜୁଦ ରଖିବାର ବ୍ୟବସ୍ଥା କରାଯାଇଛି। ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଥିବା ବେଳେ ସମଗ୍ର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।