ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଅଁଳାନବମୀ ପାଳିତ

21


ମାତା ସୀତାଙ୍କ ପାଦ ଦର୍ଶନ ସହ ଖାଣ୍ଟି ଓଡ଼ିଆଣୀ ବେଶ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଓଡ଼ଗାଁ, ୧୮।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପବିତ୍ର ତଥା ପ୍ରତିଷ୍ଠିତ ବିଷ୍ଣୁକ୍ଷେତ୍ର ଓଡ଼ଗାଁସ୍ଥିତ ଶ୍ରୀରଘୁନାଥ ଜିଉଙ୍କ ପୀଠରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ଅଁଳାନବମୀ ପର୍ବ ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ମାତା ସୀତାଙ୍କ ସ୍ୱତନ୍ତ୍ର ଖାଣ୍ଟି ଓଡ଼ିଆଣୀ ବେଶ ସହ ପାଦ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ପରମ୍ପରା ଅନୁଯାୟୀ, ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟାଯାଇ ଶୋଧନ ନୀତି ସମ୍ପନ୍ନ ହୋଇଥିଲା। ସକାଳ ୫ଟାରେ ମଙ୍ଗଳ ଆଳତି, ଅବକାଶ, ପଞ୍ଚାମୃତ ସ୍ନାନ, ମଇଲମ, ତଡ଼ପଲାଗି ଓ ଖଟଣୀ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ପାଳିଆ ପଣ୍ଡା ମାତା ସୀତାଙ୍କୁ ପାରମ୍ପରିକ ଓଡ଼ିଆଣୀ ବେଶରେ ସଜ୍ଜିତ କରିଥିଲେ। ମାତାଙ୍କ ମସ୍ତକରେ ଓଢ଼ଣା, ନାସାରେ ନାକଗୁଣା, ପାଦରେ ପାହୁଡ଼, ହାତରେ ଖଡ଼ୁ ଇତ୍ୟାଦି ସ୍ବର୍ଣ୍ଣ ଅଳଙ୍କାର ସହ କଣ୍ଠରେ ଅଁଳା ଓ ପୁଷ୍ପମାଳା ଶୋଭା ପାଉଥିଲା। ଏଥିସହ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମଧ୍ୟ ମନୋରମ ବେଶରେ ସଜ୍ଜିତ କରାଯାଇଥିଲା। ଭୋର ସମୟରୁ ହିଁ ପ୍ରଭୁଙ୍କ ଦର୍ଶନ ଓ ମାତା ସୀତାଙ୍କ ଅପୂର୍ବ ବେଶ ଦେଖିବା ପାଇଁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଭକ୍ତ ମନ୍ଦିରରେ ପହଞ୍ଚିଥିଲେ। ଅଁଳାନବମୀ ଅବସରରେ ରାଧାରାଣୀଙ୍କ ପାଦ ଦର୍ଶନର ଧାର୍ମିକ ମହତ୍ତ୍ୱ ରହିଥିବା ବେଳେ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ମାତା ସୀତାଙ୍କ ଓଡ଼ିଆଣୀ ବେଶ ଓ ପାଦ ଦର୍ଶନର ସୁଯୋଗ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ। ପାଳିଆ ପଣ୍ଡା ବେଣୁଧର ନନ୍ଦ, ପୂଜକ ପରିଷଦର କର୍ମକର୍ତ୍ତା, ମନ୍ଦିର ପରିଚ୍ଛା ଓ ମନ୍ଦିର ପରିଚାଳକଙ୍କ ସହଯୋଗରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସେହିପରି ଓଡ଼ଗାଁର ରାଧାକାନ୍ତ ମଠ, ରାଧାକାନ୍ତ ମନ୍ଦିର (ରଙ୍ଗଣୀପାଟଣା), ପାଇକ ପନ୍ତିଖାରୀସ୍ଥିତ ରାଧାକୃଷ୍ଣ ମନ୍ଦିର ସମେତ ଅଞ୍ଚଳର ବିଭିନ୍ନ ମଠ ଓ ମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ରାଧାରାଣୀଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.