ବେଲଗୁଣ୍ଠା,୧୮/୧୧,-(ଶିବରାମ ଚୌଧୁରୀ )-ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀ ଅବସରରେ ବେଲଗୁଣ୍ଠାର ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଠାକୁରଙ୍କ ରାଧାକୃଷ୍ଣ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରାଧାପାଦ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଆଧ୍ୟାତ୍ମିକ ଆବେଗ ପରିଲକ୍ଷିତ ହୋଇଥିଲା।ଅନ୍ୟପକ୍ଷରେ ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରର ପଛପଟେ ଥିବା ଅଁଳା ଗଛ ମୂଳେ ହବିଷ୍ୟାଳିମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। କାର୍ତ୍ତିକ ମାସର ଧାର୍ମିକ ପରମ୍ପରା ଅନୁସାରେ ଅଁଳା ବୃକ୍ଷ ପୂଜା କରି ହବିଷ୍ୟାଳିମାନେ ନିଜର ବ୍ରତ ଓ ଉପାସନା ପାଳନ କରିଥିଲେ।ଏହି ଅବସରରେ ହବିଷ୍ୟାଳିମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ଓ ସୁଦାମାଙ୍କ ଭକ୍ତି, ବନ୍ଧୁତା ଓ ନିଷ୍ଠା ଉପରେ ଆଧାରିତ କାହାଣୀକୁ ନାଟକୀୟ ଅଭିନୟ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏଥିସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଦିନତମାମ ଉଭୟ ମନ୍ଦିର ପରିସରରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ପରିବେଶ ରହିଥିବା ବେଳେ ବହୁ ଜନସମାଗମ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।