ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫ୍ ପକ୍ଷରୁ ପରିବାରଭିତ୍ତିକ ଯତ୍ନ ଓ ଶିଶୁଙ୍କ ପରିବାର ବିଚ୍ଛିନ୍ନତା ନିରାକରଣ ଉପରେ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ

7

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ ୟୁନିସେଫ୍‌ର ବୈଷୟିକ ସହଯୋଗରେ ଶିଶୁମାନଙ୍କ ପାଇଁ ପରିବାରଭିତ୍ତିକ ଯତ୍ନ ଏବଂ ପରିବାରଠାରୁ ଶିଶୁଙ୍କ ଅନାବଶ୍ୟକ ବିଚ୍ଛିନ୍ନତାକୁ ରୋକିବା ଉଦ୍ଦେଶ୍ୟରେ ଏକ ଆଞ୍ଚଳିକସ୍ତରୀୟ ପରାମର୍ଶ କର୍ମଶାଳା ୧୭ ନଭେମ୍ବର ୨୦୨୬ ରେ କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାରେ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଅଧ୍ୟକ୍ଷତା କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପାୱାର ସଚିନ ପ୍ରକାଶ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନଏବଂ ଏଡ୍ ଏଟ୍ ଆକ୍ସନ୍ (ଇଣ୍ଡିଆ)ର ପ୍ରୋଗ୍ରାମ ମ୍ୟାନେଜର (ମାଇଗ୍ରେସନ୍ ଆଣ୍ଡ ଏଜୁକେସନ୍) ସରୋଜ କୁମାର ଉପସ୍ଥିତ ଥିଲେ।

ଓଡ଼ିଶାରେ ପରିବାରଭିତ୍ତିକ ଯତ୍ନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ସମନ୍ୱିତ ରାଜ୍ୟସ୍ତରୀୟ ରଣନୀତି ପ୍ରସ୍ତୁତି ନିମନ୍ତେ ଆୟୋଜିତ ହେଉଥିବା ନଅଟି ଆଞ୍ଚଳିକ ପରାମର୍ଶ କର୍ମଶାଳା ମଧ୍ୟରୁ ଏହା ଅନ୍ୟତମ।

ଉଦ୍‌ଘାଟନୀ ଅଭିଭାଷଣରେ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଶିଶୁମାନଙ୍କୁ ସେମାନଙ୍କ ପରିବାରଠାରୁ ଅନାବଶ୍ୟକ ଭାବେ ଅଲଗା ନକରିବା ଏବଂ ପରିବାରଭିତ୍ତିକ ଯତ୍ନ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଷ୍ଠାନଭିତ୍ତିକ ଯତ୍ନକୁ କେବଳ ଶେଷ ବିକଳ୍ପ ଭାବେ ଗ୍ରହଣ କରିବା ସହିତ ପରିବାରକୁ ସୁଦୃଢ଼ କରିବା, ପରିବାରରେ ରହିବାକୁ ଅସମର୍ଥ ଶିଶୁମାନଙ୍କ ପାଇଁ ପାଳନ ପୋଷଣ ଯତ୍ନ (Foster Care) ଏବଂ ଆତ୍ମୀୟ ସମ୍ପର୍କୀୟଙ୍କ ଦ୍ୱାରା ଯତ୍ନ (Kinship Care) ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଶିଶୁ ମାନଙ୍କର ଥଇଥାନ ଏବଂ ବିକାଶ ପାଇଁ କେବଳ ଉଦ୍ଦିଷ୍ଟ ସରକାରୀ ବ୍ୟବସ୍ଥା ବ୍ୟତୀତ ପଂଚାୟତ ସ୍ତରୀୟ ମୁକ୍ତ ପାଣ୍ଠିର ବିନିଯୋଗ କରି ଶିଶୁମାନଙ୍କର ଆବଶ୍ୟକୀୟ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ନିର୍ଦେଶ ଦେଲେ।

ୟୁନିସେଫ୍ ଓଡ଼ିଶାର ଶିଶୁ ସୁରକ୍ଷା ପରାମର୍ଶଦାତା ଅଙ୍କିତ କେଶରୀଙ୍କ ଦ୍ୱାରା ପରିଚାଳିତ ବୈଷୟିକ ଅଧିବେଶନରେ ଶିଶୁ ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ପରିବାର ବିଚ୍ଛିନ୍ନତା ନିରାକରଣ, ପରିବାର ସହାୟତା ସେବାକୁ ସୁଦୃଢ଼ କରିବା, ଶିଶୁ ଯତ୍ନ ଅନୁଷ୍ଠାନ (CCI)ର ଭୂମିକା, ପାଳନପୋଷଣ ଯତ୍ନ ଓ ଆତ୍ମୀୟ ସମ୍ପର୍କୀୟଙ୍କ ଯତ୍ନ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ଅନୁଷ୍ଠାନିକ ଯତ୍ନରୁ ବାହାରୁଥିବା ଶିଶୁମାନଙ୍କ ପୁନର୍ବାସ, ସହାୟତା ଓ ଆଫ୍ଟରକେୟାର୍ ସେବାର ଉନ୍ନତି ଉପରେ ଆଲୋକପାତ କରାଯାଇଥିଲା।

ଏହି ପରାମର୍ଶ କର୍ମଶାଳାରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରୁ ପ୍ରାୟ ୮୦ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀ, ଶିଶୁ ସୁରକ୍ଷା କାର୍ଯ୍ୟକର୍ତ୍ତା, ବୈଧାନିକ ସଂସ୍ଥାର ପ୍ରତିନିଧି, ପୋଲିସ ବିଭାଗ ଓ ଅନ୍ୟାନ୍ୟ ସହଯୋଗୀ ବିଭାଗର ଅଧିକାରୀ, ବେସରକାରୀ ସଂଗଠନ ଏବଂ ଶିଶୁ ଅଧିକାର ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାର ସାମିଲ ହୋଇଥିଲେ।

ଏହି କର୍ମଶାଳାରୁ ମିଳିଥିବା ଆଲୋଚନା ଓ ପରାମର୍ଶଗୁଡ଼ିକ ଓଡ଼ିଶା ସରକାରଙ୍କ ନିକଟରେ OSCPCR ପକ୍ଷରୁ ଉପସ୍ଥାପନ ହେବାକୁ ଥିବା ରାଜ୍ୟସ୍ତରୀୟ ପରିବାରଭିତ୍ତିକ ଯତ୍ନ ରଣନୀତି ପ୍ରସ୍ତୁତିରେ ସହାୟକ ହେବ। ଏହି ରଣନୀତିର ମୁଖ୍ୟ ଲକ୍ଷ୍ୟ ହେଉଛି ପରିବାର ଓ ସମୁଦାୟଭିତ୍ତିକ ସହାୟତା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଶିଶୁମାନଙ୍କୁ ଅନାବଶ୍ୟକ ପରିବାର ବିଚ୍ଛିନ୍ନତାରୁ ରକ୍ଷା କରିବା ଏବଂ ରାଜ୍ୟରେ ଶିଶୁମାନଙ୍କ ପାଇଁ ବିକଳ୍ପ ଯତ୍ନ ବ୍ୟବସ୍ଥାର ପରିସର ଓ ଗୁଣବତ୍ତା ବୃଦ୍ଧି କରିବା।

ଶେଷରେ କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଶୈଳେନ୍ଦୁ ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.