ଏକାଠି ହେଉଛନ୍ତି ପୁରାତନ ଛାତ୍ର ଓ ବିଭିନ୍ନ ସଂଗଠନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଅନ୍ୟତମ ପୁରାତନ ଓ ଐତିହାସିକ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନେଇ ପ୍ରୟାସ ଆରମ୍ଭ ହୋଇଛି।
ଆଜି ଅପରାହ୍ନ ୪ଟାରେ ପୁରାତନ ଛାତ୍ର ସଂଜୟ କୁମାର ରାଉତ , ରାକେଶ ସ୍ୱାଇଁ , ଲୋକନାଥ ମିଶ୍ର ଓ ସଂଜୟ ଜେନା କଲେଜ ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ଏବଂ କିଛି ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ।
କଲେଜର ଶିକ୍ଷାଗତ ଦକ୍ଷତା , ଅଧ୍ୟାପକ , ଭିତ୍ତିଭୂମି , ୟୁଜିସି ନିୟମାବଳୀ ଓ ବିଶ୍ୱବିଦ୍ୟାଳୟ ଗଠନର ଆବଶ୍ୟକୀୟ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ନିଜେ ଏହି କଲେଜର ପୁରାତନ ଛାତ୍ର ଅଧ୍ୟକ୍ଷ ମଧ୍ୟ ଏହି ପ୍ରସ୍ତାବ ପ୍ରତି ଆଗ୍ରହ ପ୍ରକାଶ କରି ସହଯୋଗର ଆଶ୍ୱାସନ ଦେଇଥିଲେ। ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଏହି ଐତିହାସିକ ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇନଥିବା ବେଳେ ଅନ୍ୟ କେତେକ ଜୁନିୟର କଲେଜ ମଧ୍ୟ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛନ୍ତି। ତେଣୁ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟଶାସିତ ମହାବିଦ୍ୟାଳୟକୁ ଉପଯୁକ୍ତ ମାନ୍ୟତା ଓ ନୂତନ ପରିଚୟ ଦେବା ପାଇଁ ପୁରାତନ ଛାତ୍ର ସଂଘ , ବାର୍ ଆସୋସିଏସନ୍ , ଜନପ୍ରତିନିଧି , ଗଣମାଧ୍ୟମ ଓ ସମସ୍ତ ବୁଦ୍ଧିଜୀବୀ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ଏହା କେବଳ ଏକ କଲେଜର ଉନ୍ନତି ନୁହେଁ, ଗଜପତି ଜିଲ୍ଲାର ଶିକ୍ଷାଗତ ଭବିଷ୍ୟତ ଓ ସମ୍ମାନର ପ୍ରଶ୍ନ।