“ମାନସିକ ଓ ଶାରୀରିକ ପ୍ରସ୍ତୁତି ସହ ଅଧ୍ୟବସାୟ ହିଁ ସଫଳତାର ମୂଳମନ୍ତ୍ର”
ବଲାଙ୍ଗୀର,ତା.୧୭/୧୧/୨୦୨୬:ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ରୀମାନଙ୍କୁ ଶିକ୍ଷାବିତ୍ ପୀତବାସ ପଣ୍ଡା ଶିକ୍ଷା ଓ ସଫଳତାର ମନ୍ତ୍ର ପ୍ରଦାନ କରିବା ସହ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ଦିଗଦର୍ଶନ ଦେଇଥିଲେ।ଚଳିତ ଶିକ୍ଷାବର୍ଷରେ କିପରି ନିଜକୁ ସୁପରିକଳ୍ପିତ ଭାବରେ ପ୍ରସ୍ତୁତ କରିବେ,ପାଠପଢ଼ାରେ କିପରି ନିୟମିତତା ଓ ଶୃଙ୍ଖଳା ବଜାୟ ରଖିବେ,ସେ ସମ୍ପର୍କରେ ସେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ।କେବଳ ପାଠ୍ୟପୁସ୍ତକରେ ସୀମିତ ନରହି ମାନସିକ ଓ ଶାରୀରିକ ସ୍ତରରେ ମଧ୍ୟ ନିଜକୁ କିପରି ପ୍ରସ୍ତୁତ କରିବାକୁ ହେବ,ସେ ଦିଗରେ ଗୁରୁତ୍ୱ ଦେଇଥିଲେ।ପରୀକ୍ଷା ସମୟରେ ଆତ୍ମବିଶ୍ୱାସ, ଏକାଗ୍ରତା ଓ ଧୈର୍ଯ୍ୟ ରକ୍ଷା କରିବା ସହ ନିୟମିତ ଅଭ୍ୟାସ, ସମୟର ସଠିକ୍ ଉପଯୋଗ, ପର୍ଯ୍ୟାପ୍ତ ବିଶ୍ରାମ ଓ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ।ପରୀକ୍ଷାକୁ ଭୟ ନକରି ଏକ ସୁଯୋଗ ଭାବରେ ଗ୍ରହଣ କରିବା ସହ ନିଜର ଲକ୍ଷ୍ୟ ପ୍ରତି ଦୃଢ଼ ସଂକଳ୍ପବଦ୍ଧ ହେବାକୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଶିକ୍ଷାବିତ୍ ଶ୍ରୀ ପଣ୍ଡା ଦଶମ ଶ୍ରେଣୀର ଇଂରାଜୀ ବ୍ୟାକରଣ ବିଷୟରେ ମଧ୍ୟ ଶିକ୍ଷାଦାନ କରିଥିଲେ। ବ୍ୟାକରଣର ବିଭିନ୍ନ ଦିଗକୁ ସରଳ ଓ ସହଜ ଉପାୟରେ ବୁଝାଇବା ସହ ଛାତ୍ରୀମାନଙ୍କୁ ଅଭ୍ୟାସ ମାଧ୍ୟମରେ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ।ତାଙ୍କର ଏହି ମାର୍ଗଦର୍ଶନ ଛାତ୍ରୀମାନଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଆଗାମୀ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ହାସଲ ପାଇଁ ପ୍ରେରଣା ଯୋଗାଇଥିଲା।ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା,ବରିଷ୍ଠ ଶିକ୍ଷୟତ୍ରୀ ନୂତନ ନାୟକ,ଶିକ୍ଷୟତ୍ରୀ ଦେବସ୍ମିତା ପାଣିଗ୍ରାହୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।