ପାଞ୍ଚୁକରେ ପାଞ୍ଚ ଦିନରେ ପାଞ୍ଚ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
ଓଡ଼ଗାଁ, ୧୭।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଗୁପ୍ତ ଅଯୋଧ୍ୟା ଭାବେ ପରିଚିତ ଓଡ଼ଗାଁ ସ୍ବର୍ଣ୍ଣକଳସ କ୍ଷେତ୍ର ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ବେଳେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଉତ୍ସବ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରେ। ଅଁଳାନବମୀଠାରୁ ଶ୍ରୀ ରଘୁନାଥଜୀଉଙ୍କ ବିଭିନ୍ନ ଆକର୍ଷଣୀୟ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ବୁଧବାର ଅଁଳାନବମୀ ଅବସରରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଯେପରି ଭକ୍ତମାନେ ରାଧାପାଦ ଦର୍ଶନ କରିଥାନ୍ତି, ସେହିପରି ଓଡ଼ଗାଁ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ମା’ ସୀତାଙ୍କ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବେ ଦର୍ଶନାର୍ଥୀ । ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି। ପଞ୍ଚୁକ ଅବସରରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଗୁରୁବାର ଓ ଶୁକ୍ରବାର ସନ୍ଧ୍ୟାରେ ରାଇଦାମୋଦର ବେଶ, ଶନିବାର ସନ୍ଧ୍ୟାରେ ଗଜଉଦ୍ଧାରଣ ବେଶ, ରବିବାର ସନ୍ଧ୍ୟାରେ ମତ୍ସ୍ୟ-କଚ୍ଛପ ବେଶ, ସୋମବାର ସନ୍ଧ୍ୟାରେ କୃଷ୍ଣ-ବଳରାମ ବେଶ ଏବଂ ମଙ୍ଗଳବାର ପୂର୍ଣ୍ଣିମା ଦିନ ସକାଳେ କାଞ୍ଚି ଅଭିଯାନ ବେଶରେ ଶ୍ରୀ ରଘୁନାଥଜୀଉ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳକ ଓ ପୁଜକ ପରିଷଦ ସଭାପତି ଠାରୁ ସୂଚନା ମିଳିଛି। ‘ଯିଏ ରାମ, ସେ ହିଁ ଜଗନ୍ନାଥ, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି’ ଭାବଧାରାକୁ ଆଧାର କରି ଏହି ପୀଠରେ ପଞ୍ଚୁକ ଉତ୍ସବ ପାଳିତ ହୋଇଥାଏ। ବିଶେଷକରି ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସମ୍ଭବ ହୋଇପାରୁ ନଥିବା ହବିଷ୍ୟାଳୀମାନେ ଓଡ଼ଗାଁରେ ଏହି ଦର୍ଶନର ସୁଯୋଗ ଲଭିବେ। ପୂର୍ଣ୍ଣିମା ସକାଳେ କଳା ଓ ଧଳା ଘୋଡ଼ାରେ ରାମ-ଲକ୍ଷ୍ମଣଙ୍କ ଆରୋହଣ ସହ କାଞ୍ଚି ଅଭିଯାନ ବେଶରେ ଜଗନ୍ନାଥ ଓ ବଳରାମଙ୍କ ଦିବ୍ୟ ରୂପ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ। ପଞ୍ଚୁକର ଏହି ପାଞ୍ଚଦିନ ଶ୍ରୀ ରଘୁନାଥଜୀଉଙ୍କ ବିଭିନ୍ନ ବେଶ ଓ ଆଧ୍ୟାତ୍ମିକ ପରମ୍ପରା ଓଡ଼ଗାଁର ପରିବେଶକୁ ଭକ୍ତିମୟ କରିଦେଇଥାଏ ।