ନୟାଗଡ଼ ସରକାରୀ ପଲିଟେକନିକ୍‌ର ଏକାଦଶତମ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଉଦ୍‌ଘାଟିତ

12

ଓଡ଼ଗାଁ, ୧୭।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ସରକାରୀ ପଲିଟେକନିକ୍‌ର ଏକାଦଶତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ମଙ୍ଗଳବାର ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ତଥା କ୍ରୀଡ଼ା କମିଟି ସଭାପତି ସୁଧାଂଶୁ ଶେଖର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଏବଂ ନୟାଗଡ଼ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଉତ୍ସବର ପ୍ରଥମ ଦିନରେ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ। ଭଲିବଲ୍‌ ପ୍ରତିଯୋଗିତାରେ ଇଲେକ୍ଟ୍ରିକାଲ୍‌ ବିଭାଗ ବିଜେତା ହୋଇଥିବା ବେଳେ ମେକାନିକାଲ୍‌ ବିଭାଗ ଉପବିଜେତା ହୋଇଥିଲା। ସେହିପରି ଫୁଟବଲ୍‌ରେ ସିଭିଲ୍‌ ବିଭାଗ ବିଜେତା ଏବଂ ଇଲେକ୍ଟ୍ରିକାଲ୍‌ ବିଭାଗ ଉପବିଜେତା ହୋଇଥିଲା। ବାଳିକା ବିଭାଗ କବାଡ଼ିରେ ସିଭିଲ୍‌ ବିଭାଗ ବିଜୟୀ ହୋଇଥିବା ବେଳେ ଇଲେକ୍ଟ୍ରିକାଲ୍‌ ବିଭାଗ ଉପବିଜେତା ହୋଇଥିଲା। ବାଳିକା ବିଭାଗ ଏକକ ବ୍ୟାଡମିଣ୍ଟନ୍‌ରେ ବର୍ଷା ସାହୁ ବିଜୟିନୀ ହୋଇଥିଲେ।
ଉତ୍ସବରେ କ୍ରିକେଟ୍‌, ଫୁଟବଲ୍‌ ଓ ଭଲିବଲ୍‌ ପ୍ରତିଯୋଗିତା କେବଳ ବାଳକ ବିଭାଗ ପାଇଁ ରଖାଯାଇଛି। ଅନ୍ୟପକ୍ଷରେ ଖୋ-ଖୋ, ବ୍ୟାଡମିଣ୍ଟନ୍‌, ଟଗ୍‌ ଅଫ୍‌ ୱାର୍‌, ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼, ରିଲେ ରେସ୍‌, ଡିସକସ୍‌ ଥ୍ରୋ, ସଟ୍‌ପୁଟ୍‌ ଓ ଜାଭେଲିନ୍‌ ଥ୍ରୋ ଆଦି ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବିଭାଗରେ ପୃଥକ୍‌ ଭାବେ ଅନୁଷ୍ଠିତ ହେବ। ସେହିପରି ସାଂସ୍କୃତିକ ବିଭାଗରେ କ୍ଲାସିକାଲ୍‌ ସଙ୍ଗୀତ, କଣ୍ଟେମ୍ପରାରୀ ସଙ୍ଗୀତ, ସୋଲୋ ଡ୍ୟାନ୍ସ, ମଡର୍ଣ୍ଣ ଡ୍ୟାନ୍ସ, ଫୋକ୍‌ ଓ କ୍ଲାସିକାଲ୍‌ ଗ୍ରୁପ୍‌ ଡ୍ୟାନ୍ସ, ମନୋ ଆକ୍ଟିଂ ଏବଂ ଡ୍ରାମା ଆଦି ପ୍ରତିଯୋଗିତା ଆୟୋଜିତ ହେବ। କ୍ରୀଡ଼ା ସଂଗଠନର ଉପସଭାପତି ତଥା ଅଧ୍ୟାପକ ଅମ୍ଳାନ ନାୟକ ଏବଂ କ୍ରୀଡ଼ା ସମ୍ପାଦକ ତଥା ଛାତ୍ର ପ୍ରତିନିଧି ସୋନୁ ନାୟକ ମଞ୍ଚ ପରିଚାଳନା କରିଥିଲେ। ଆସନ୍ତା ୧୯ ତାରିଖ ଅପରାହ୍ନରେ ଉତ୍ସବର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ।

Leave A Reply

Your email address will not be published.