ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ୩-୧ ଗୋଲ୍‌ରେ ବରଗଡ଼ ବିଜୟୀ

7


ଓଡ଼ଗାଁ,ଶରଣକୁଳ, ୧୭।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶରଣକୁଳ ଲଡ଼ୁକେଶ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୬୫ତମ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଜାରି ରହିଛି। ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ସି.କେ.ପି. ଝାଡ଼ଖଣ୍ଡ ଓ ୟୁନାଇଟେଡ୍ ସ୍ପୋର୍ଟ୍ସ କ୍ଲବ୍, ବରଗଡ଼ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ଏଥିରେ ବରଗଡ଼ ଦଳ ୩-୧ ଗୋଲ୍‌ରେ ବିଜୟୀ ହୋଇଥିଲା।
ଖେଳର ପ୍ରଥମାର୍ଦ୍ଧ ବେଶ୍ ସଂଘର୍ଷପୂର୍ଣ୍ଣ ଓ ଚିତ୍ତାକର୍ଷକ ଥିଲା। ଉଭୟ ଦଳ ପରସ୍ପର ବିପକ୍ଷରେ ଗୋଲ୍ ସ୍କୋର କରିବାକୁ ଜୋରଦାର ଉଦ୍ୟମ କରିଥିଲେ। ତେବେ ଖେଳର ୧୨ତମ ମିନିଟ୍‌ରେ ବରଗଡ଼ ଦଳର ୭ ନମ୍ବର ଜର୍ସିଧାରୀ ଖେଳାଳି ଲେନ୍ ଆରିକ୍ ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ସେ ୩୪ତମ ଓ ୩୮ତମ ମିନିଟ୍‌ରେ ଆଉ ଦୁଇଟି ଗୋଲ୍ ଦେଇ ନିଜ ଦଳର ସ୍ଥିତିକୁ ମଜଭୁତ କରିଥିଲେ।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଖେଳ ବେଶ୍ ରୋମାଞ୍ଚକର ହୋଇଥିଲା। ଏହି ସମୟରେ ଝାଡ଼ଖଣ୍ଡ ଦଳର ୧୧ ନମ୍ବର ଜର୍ସିଧାରୀ ଖେଳାଳି ଆଦିତ୍ୟ ମୁଖାର୍ଜୀ ଗୋଟିଏ ଗୋଲ୍ ସ୍କୋର କରି ପରାଜୟ ବ୍ୟବଧାନ କମାଇଥିଲେ। ଶେଷରେ ବରଗଡ଼ ଦଳ ୩-୧ ଗୋଲ୍‌ରେ ବିଜୟ ହାସଲ କରିଥିଲା। ବରଗଡ଼ ଦଳର ଲେନ୍ ଆରିକ୍‌ଙ୍କୁ ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା। ଜନ ସଂଗ୍ରାମ ପ୍ରେସ୍ ଓ ଜେରକ୍ସ ପକ୍ଷରୁ ତାଙ୍କୁ ୧ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌କୁ ଏମ୍.ଡି. ସାକଲିମ୍ ପରିଚାଳନା କରିଥିବା ବେଳେ ପ୍ରସନ୍ନ ନାୟକ ଓ ଜଗନ୍ନାଥ ପରିଡ଼ା ଲାଇନ୍ ରେଫରି ଭାବେ ସହାୟତା କରିଥିଲେ। ରାଜେନ୍ଦ୍ର ବାରିକ ଚତୁର୍ଥ ରେଫରି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ସୁବାସ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ ଓ ସଂଯୁକ୍ତା ପଢ଼ିଆରୀ ଅତିଥି ଭାବେ ଯୋଗଦେଇଥିଲେ।

Leave A Reply

Your email address will not be published.