୪ ମାସ ହେଲା ଅନ୍ଧାରରେ ଚୋରଖୋଲ ଗାଁ

8


ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲିଖିତ ପ୍ରତିଶ୍ରୁତି ପରେ ଗ୍ରାମକୁ ପୁନଃସ୍ଥାପନ ହେବ


ଓଡ଼ଗାଁ, ୧୭।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧୀନ ଚୋରଖୋଲ ଗାଁ ଗତ ୪ ମାସ ଧରି ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇ ଅନ୍ଧାରରେ ପଡ଼ିରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଅବୈଧ ଶିକାର ରୋକିବା ନେଇ ଗ୍ରାମବାସୀମାନେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ ପରେ ଗାଁକୁ ପୁନର୍ବାର ବିଦ୍ୟୁତ୍‌ ଯୋଗାଣ ପାଇଁ ରାସ୍ତା ଫିଟିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଚୋରଖୋଲ ଗାଁ ନିକଟସ୍ଥ ଚାଷଜମିରେ କେତେକ ଶିକାରୀ ବେଆଇନ ଭାବେ ବିଦ୍ୟୁତ୍ ସଂଲଗ୍ନ ଜୀବନ୍ତ ତାରରେ ହୁକ୍‌ ପକାଇ ବନ୍ୟପ୍ରାଣୀ ଶିକାର କରୁଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ବନ ବିଭାଗ ଏକାଧିକ ଥର ଚଢ଼ାଉ କରି ବିଦ୍ୟୁତ୍‌ ତାର ଜବତ କରିବା ସହ କେତେକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଖସିଯାଉଥିବା ବେଳେ ବେଆଇନ ଶିକାର ଉପରେ ରୋକ୍‌ ଲାଗିପାରୁ ନଥିବା କୁହାଯାଉଛି। ଅନ୍ୟପକ୍ଷରେ ଜୀବନ୍ତ ବିଦ୍ୟୁତ୍‌ ତାର ବିଛାଇବା ଦ୍ୱାରା କେବଳ ବନ୍ୟପ୍ରାଣୀ ନୁହେଁ, ଚାଷଜମିକୁ ଯାଉଥିବା ଚାଷୀ ଓ ସାଧାରଣ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦରେ ରହୁଛି। ଏଭଳି ସ୍ଥିତିରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ଗ୍ରାମବାସୀଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ଅବୈଧ ଶିକାରକୁ ରୋକିବା ପାଇଁ ଗାଁର ବିଦ୍ୟୁତ୍‌ ଯୋଗାଣ ବନ୍ଦ କରାଯାଇଥିଲା। ଫଳରେ ଗାଁରେ ଶିକାରୀଙ୍କ ଏଭଳି କାର୍ଯ୍ୟକଳାପ ହ୍ରାସ ପାଇଥିବା କୁହାଯାଉଛି। ବର୍ତ୍ତମାନ ଗ୍ରାମବାସୀମାନେ ଏହି ସମସ୍ୟାର ସମାଧାନ ନିମନ୍ତେ ଆଗକୁ ବାହାରିଛନ୍ତି। ଗାଁରେ କୌଣସି ଶିକାରୀଙ୍କୁ ବେଆଇନ ଭାବେ ବିଦ୍ୟୁତ୍‌ ହୁକ୍‌ ପକାଇ ଜୀବନ୍ତ ତାର ବିଛାଇବାକୁ ଦିଆଯିବ ନାହିଁ ଏବଂ ଏଭଳି ଉଦ୍ୟମ ସମ୍ପର୍କରେ ଜଣାପଡ଼ିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦିଆଯିବ ବୋଲି ସେମାନେ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଗ୍ରାମବାସୀଙ୍କ ଏହି ପ୍ରତିଶ୍ରୁତି ପରେ ଚୋରଖୋଲ ଗାଁକୁ ପୁନଃ ବିଦ୍ୟୁତ୍‌ ଯୋଗାଣ ଆରମ୍ଭ ହେବା ନେଇ ଆଶା ସଞ୍ଚାର ହୋଇଛି। ତେବେ କେତେକ ଶିକାରୀଙ୍କ ପାଇଁ ଦୀର୍ଘ ୪ ମାସ ଧରି ସମସ୍ତ ଗ୍ରାମବାସୀଙ୍କୁ ଅନ୍ଧାରରେ ରହିବାକୁ ପଡିଥିବା ବେଳେ କେବେ ଗ୍ରାମକୁ ସ୍ୱାଭାବିକ ବିଦ୍ୟୁତ୍‌ ସେବା ମିଳିବ, ତାହାର ଅପେକ୍ଷାରେ ଗ୍ରାମବାସୀ।

Leave A Reply

Your email address will not be published.