ବାତ୍ୟା ଅକୱାନର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ

52

  • ସମଗ୍ର ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ତରଫରୁ ୬,୪୭୪ କର୍ମଚାରୀ ନିୟୋଜିତ
  • ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୪ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବଷ୍ଟେସନ୍, ୩୫୮ଟି ଗାଡ଼ି, ୨୫ଟି ଆସ୍କା ଲାଇଟ୍, ୧୯ଟି ଡିଜି ସେଟ୍ ଏବଂ ୧୬ଟି ଟ୍ରାଞ୍ଜିଟ ଷ୍ଟୋର୍ ପ୍ରସ୍ତୁତ

ବ୍ରହ୍ମପୁର, ୧୭ ନଭେମ୍ବର ୨୦୨୬: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକୱାନ’ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ) ଏହାର ୮ଟି ଜିଲ୍ଲାର କାର୍ଯ୍ୟକ୍ଷେତ୍ରରେ ପ୍ରସ୍ତୁତିକୁ ଜୋରଦାର କରିଛି । କମ୍ପାନୀ ତରଫରୁ ‘ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା’ କାର୍ଯ୍ୟକାରୀ କରାଯାଇଛି। ବିଦ୍ୟୁତ ଭିତ୍ତିଭୂମିର ସୁରକ୍ଷା ଏବଂ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ କର୍ମଚାରୀ, ଜରୁରିକାଳୀନ ଉପକରଣ, ଆବଶ୍ୟକୀୟ ସାମଗ୍ରୀ ଏବଂ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।

ଗତ ଅକ୍ଟୋବର ମାସରେ ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ଭୟଙ୍କର ବନ୍ୟା ସମୟର ଅଭିଜ୍ଞତାକୁ ଆଧାର କରି ଟିପିଏସ୍ଓଡିଏଲ୍ କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିଛି। ଏଥିରେ ମାନବ ସମ୍ବଳ ନିୟୋଜନ, ଜରୁରିକାଳୀନ ସାମଗ୍ରୀ ପରିବହନ, ଉପକରଣ ମୁତୟନ, ନେଟୱର୍କ ତଦାରଖ ଏବଂ ଗ୍ରାହକ ସହାୟତା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଟିପିଏସ୍ଓଡିଏଲ୍ ଏହାର କାର୍ଯ୍ୟକ୍ଷେତ୍ରରେ ୬,୪୭୪ ଜଣ କର୍ମଚାରୀଙ୍କୁ ନେଇ ଏକ ଡିଭିଜନ-ସ୍ତରୀୟ ନିୟୋଜନ ଯୋଜନା ପ୍ରସ୍ତୁତ କରିଛି। ଏହା ବ୍ୟତୀତ ପ୍ରାୟ ୮୦୦ କୁଶଳୀ ଓ ଅଣକୁଶଳୀ ପ୍ରୋଜେକ୍ଟ କର୍ମଚାରୀ ଉପଲବ୍ଧ ଅଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ଯୋଗଦେବା ପାଇଁ ଆଉ ୪୦୦ କର୍ମଚାରୀଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି। ଆବଶ୍ୟକ ହେଲେ ଓଡ଼ିଶାରେ ଥିବା ଅନ୍ୟ ଟାଟା ପାୱାର ବିତରଣ କମ୍ପାନୀଗୁଡ଼ିକରୁ ମଧ୍ୟ ଅତିରିକ୍ତ କର୍ମଚାରୀ ଅଣାଯାଇପାରିବ।

ଏହି ନିୟୋଜନ ଯୋଜନା ଟିପିଏସ୍ଓଡିଏଲ୍ ଅଧୀନରେ ଥିବା ସମସ୍ତ ୮ଟି ଜିଲ୍ଲା— ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଏବଂ ବୌଦ୍ଧକୁ ଅନ୍ତର୍ଭୁକ୍ତ କରୁଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କର୍ମଚାରୀମାନଙ୍କୁ ଶୀଘ୍ର ପହଞ୍ଚାଇବା ଏବଂ ପାଣିପାଗ ଓ ପରିସ୍ଥିତି ଅନୁକୂଳ ହେବା ମାତ୍ରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଫିଲ୍ଡ ଟିମ୍ ଏବଂ ଅପରେସନାଲ ୟୁନିଟ୍‌ଗୁଡ଼ିକ ମଧ୍ୟରେ ସମନ୍ୱୟ ରଖାଯାଉଛି।

ଜରୁରିକାଳୀନ ମୁକାବିଲା କ୍ଷମତା ବୃଦ୍ଧି କରିବା ପାଇଁ ଟିପିଏସ୍ଓଡିଏଲ୍ ୪ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବଷ୍ଟେସନ୍ ଏବଂ ୩୫୮ଟି ଗାଡ଼ି ପ୍ରସ୍ତୁତ ରଖିଛି। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ଅସ୍ଥାୟୀ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାରେ ଏହି ମୋବାଇଲ୍ ସବଷ୍ଟେସନ୍‌ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ।

ଜରୁରିକାଳୀନ ଉପକରଣ ମଧ୍ୟରେ ରାତି ସମୟରେ କାର୍ଯ୍ୟ କରିବା ପାଇଁ ୨୫ଟି ଆସ୍କା ଲାଇଟ୍, ୧୯ଟି ଡିଜେଲ୍ ଜେନେରେଟର ସେଟ୍ ଏବଂ ଉପୁଡ଼ି ପଡ଼ିଥିବା ଗଛର ଡାଳ ଓ ଅନ୍ୟାନ୍ୟ ପ୍ରତିବନ୍ଧକ ହଟାଇବା ପାଇଁ ୬୯୬ଟି ମାନୁଆଲ୍ ଓ ମୋଟରଚାଳିତ ଗଛ କଟା ଯନ୍ତ୍ର ରଖାଯାଇଛି। ଏହା ସହିତ ୧୧ କେଭି ଏବଂ ୩୩ କେଭି ନେଟୱର୍କରେ ତ୍ରୁଟି ଚିହ୍ନଟ କରିବା ଏବଂ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକ କେବୁଲ୍ ଫଲ୍ଟ ଲୋକେଟର୍ ମଧ୍ୟ ଉପଲବ୍ଧ ରଖାଯାଇଛି।

କ୍ଷତିଗ୍ରସ୍ତ ନେଟୱର୍କ ଭିତ୍ତିଭୂମିର ମରାମତି ଓ ପରିବର୍ତ୍ତନ ପାଇଁ ଟିପିଏସ୍ଓଡିଏଲ୍ ପର୍ଯ୍ୟାପ୍ତ ପରିମାଣର ବୈଦ୍ୟୁତିକ ସାମଗ୍ରୀ ମହଜୁଦ ରଖିଛି। ଏହି ସାମଗ୍ରୀ ତାଲିକାରେ ୩୦ଟି ପାୱାର ଟ୍ରାନ୍ସଫର୍ମର, ୧୭୬ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର, ୨,୮୦୫ ସର୍କିଟ୍ କିଲୋମିଟର ବେୟାର କଣ୍ଡକ୍ଟର, ୨୫୪ ସର୍କିଟ୍ କିଲୋମିଟର ଏଲ୍‌ଟି ଏରିଆଲ୍-ବଞ୍ଚଡ୍ କେବୁଲ୍ ଏବଂ ୧୧୩ ସର୍କିଟ୍ କିଲୋମିଟର ଏଚ୍‌ଟି ଏକ୍ସଏଲ୍‌ପିଇ କେବୁଲ୍ ରହିଛି।

କ୍ଷେତ୍ରସ୍ତରରେ ସାମଗ୍ରୀର ତୁରନ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ୫ଟି ମୁଖ୍ୟ ଷ୍ଟୋର୍ ସହାୟତାରେ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ର ବ୍ୟବସ୍ଥା କରାଯାଇଛି।

ବ୍ରହ୍ମପୁରର ଆମ୍ବଗଡ଼ସ୍ଥିତ କେନ୍ଦ୍ରୀୟ ଜରୁରିକାଳୀନ ନିୟନ୍ତ୍ରଣ କେନ୍ଦ୍ର ଟିପିଏସ୍ଓଡିଏଲ୍‌ର ପାୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର ମାଧ୍ୟମରେ ୨୪ ଘଣ୍ଟିଆ ତଦାରଖ ଏବଂ ଜରୁରିକାଳୀନ କାର୍ଯ୍ୟକୁ ସମନ୍ୱୟ କରିବ। ଜୟପୁର, ରାୟଗଡ଼ା ଏବଂ ଭଞ୍ଜନଗରରେ ଥିବା ଏରିଆ ପାୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର ସହିତ ସର୍କଲ୍ ଏବଂ ଡିଭିଜନ୍ ସ୍ତରୀୟ କଣ୍ଟ୍ରୋଲ୍ ରୁମ୍‌ଗୁଡ଼ିକ ସ୍ଥାନୀୟ ତଦାରଖ ଓ କ୍ଷେତ୍ରସ୍ତରୀୟ ସମନ୍ୱୟରେ ସହାୟତା କରିବେ।

ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସ୍ତରୀୟ ସଂଯୋଜନା ରକ୍ଷା ପୂର୍ବକ ଜରୁରିକାଳୀନ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହିତ ଘନିଷ୍ଠ ସମ୍ପର୍କ ରଖିବେ। ନେଟୱର୍କ ସ୍ଥିତି ଉପରେ ନଜର ରଖିବା ଏବଂ ପୁନରୁଦ୍ଧାର ଆବଶ୍ୟକତା ପରିଚାଳନା କରିବା ପାଇଁ କମ୍ପାନୀ ସମ୍ପୃକ୍ତ ବିଦ୍ୟୁତ କ୍ଷେତ୍ର ସହ ଜଡ଼ିତ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ସମନ୍ୱୟ ରକ୍ଷା କରିବ।

ବାତ୍ୟା ସମୟରେ ଗ୍ରାହକମାନଙ୍କୁ ଠିକ୍ ସମୟରେ ସୂଚନା ଦେବା ପାଇଁ ଟିପିଏସ୍ଓଡିଏଲ୍ ଏହାର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ଗ୍ରାହକମାନେ ବିଦ୍ୟୁତ ସମ୍ବନ୍ଧୀୟ ଜରୁରିକାଳୀନ ସୂଚନା ଟିପିଏସ୍ଓଡିଏଲ୍‌ର ୨୪×୭ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୧୨ କିମ୍ବା ୧୮୦୦ ୨୦୨୬ ମାଧ୍ୟମରେ ଜଣାଇପାରିବେ। ଏହା ବ୍ୟତୀତ ଅଭିଯୋଗ ପଞ୍ଜୀକରଣ ପାଇଁ ଏନ୍‌ପିଏସ୍ ମିସ୍ଡ-କଲ୍ ସୁବିଧା ୯୭୭୭୭୭୪୬୯୯ ନମ୍ବରରେ ମଧ୍ୟ ଉପଲବ୍ଧ ରହିଛି।

ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍, କହିଛନ୍ତି, “ଦକ୍ଷିଣ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ତଥା ପ୍ରତିକୂଳ ପାଣିପାଗ ସମୟରେ ଅତ୍ୟାବଶ୍ୟକୀୟ ସେବା ବଜାୟ ରଖିବା ପାଇଁ ପ୍ରସ୍ତୁତି, ସମନ୍ୱିତ ପଦକ୍ଷେପ ଏବଂ ଦୃଢ଼ତାର ଗୁରୁତ୍ୱକୁ ପୁଣିଥରେ ପ୍ରମାଣିତ କରିଛି। ବାତ୍ୟା ‘ଅକୱାନ’ ମାଡ଼ି ଆସୁଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ଭିତ୍ତିଭୂମିର ସୁରକ୍ଷା ସହିତ ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ପ୍ରାଥମିକତା। ଆମେ ୬,୪୭୪ କର୍ମଚାରୀ, ଅତିରିକ୍ତ ମାନବ ସମ୍ବଳ ଏବଂ ଷ୍ଟାଣ୍ଡବାଇ ଟିମ୍ ସହିତ ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବଷ୍ଟେସନ୍, ଜରୁରିକାଳୀନ ଗାଡ଼ି, ଆଲୋକ ବ୍ୟବସ୍ଥା, ଜେନେରେଟର ସେଟ୍ ଏବଂ ଆବଶ୍ୟକୀୟ ପୁନରୁଦ୍ଧାର ସାମଗ୍ରୀ ଜରିଆରେ ଆମର ପ୍ରସ୍ତୁତିକୁ ସୁଦୃଢ଼ କରିଛୁ। ଆମର କଣ୍ଟ୍ରୋଲ୍ ସେଣ୍ଟର ଏବଂ ଫିଲ୍ଡ ଟିମ୍ ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ସମନ୍ୱୟ ରଖି ଯେକୌଣସି ପରିସ୍ଥିତିର ତୁରନ୍ତ ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି। ଆମେ ଗ୍ରାହକମାନଙ୍କୁ ସତର୍କ ରହିବାକୁ, ସରକାରୀ ପରାମର୍ଶ ପାଳନ କରିବାକୁ ଏବଂ ଜଳମଗ୍ନ ଅଞ୍ଚଳରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର, କ୍ଷତିଗ୍ରସ୍ତ ଖୁଣ୍ଟ ଓ ବୈଦ୍ୟୁତିକ ଉପକରଣଠାରୁ ନିରାପଦ ଦୂରତା ବଜାୟ ରଖିବାକୁ ଅନୁରୋଧ କରୁଛୁ।”

ଟିପିଏସ୍ଓଡିଏଲ୍ ପାଣିପାଗ ସ୍ଥିତି ଏବଂ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଉଥିବା ପରାମର୍ଶ ଉପରେ ତୀକ୍ଷ୍ଣ ନଜର ରଖିଛି। ପାଣିପାଗ ସ୍ଥିତି ଏବଂ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି କମ୍ପାନୀ ପକ୍ଷରୁ ଦୋହରାଯାଇଛି।

ଜନସାଧାରଣଙ୍କ ପାଇଁ ସୁରକ୍ଷା ପରାମର୍ଶ

  • ଛିଣ୍ଡି ପଡ଼ିଥିବା କିମ୍ବା ଝୁଲି ରହିଥିବା ବିଦ୍ୟୁତ ତାରଠାରୁ ଦୂରରେ ରହିବାକୁ ଏବଂ ଏପରି ଘଟଣା ବିଷୟରେ ତୁରନ୍ତ ଖବର ଦେବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି।
  • ଜଳମଗ୍ନ ଅଞ୍ଚଳରେ ଥିବା ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସ୍ପର୍ଶ କରନ୍ତୁ ନାହିଁ।
  • ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବିଦ୍ୟୁତ ସୁଇଚ୍ କିମ୍ବା ଉପକରଣ ବ୍ୟବହାର ନକରିବାକୁ ଏବଂ ପିଲାମାନଙ୍କୁ ଖୋଲା ତାର ଓ ବନ୍ୟା ଜଳରୁ ଦୂରରେ ରଖିବାକୁ ମଧ୍ୟ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି।
  • ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଉଥିବା ସରକାରୀ ପାଣିପାଗ ପରାମର୍ଶ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
Leave A Reply

Your email address will not be published.