ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ: ଲୋକପ୍ରିୟତା ଅପେକ୍ଷା ଦାୟିତ୍ୱବୋଧକୁ ଗୁରୁତ୍ୱ

6

କେନ୍ଦୁଝର, ୧୬/୧୧: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାର ବିଶ୍ୱସନୀୟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଲୋକପ୍ରିୟତା ଅପେକ୍ଷା ସତ୍ୟନିଷ୍ଠା, ନିରପେକ୍ଷତା ଓ ସମାଜ ପ୍ରତି ଦାୟିତ୍ୱବୋଧକୁ ସର୍ବୋପରି ପ୍ରାଧାନ୍ୟ ଦେବା ହିଁ ସାମ୍ବାଦିକତାର ପ୍ରକୃତ ଧର୍ମ ବୋଲି ଜାତୀୟ ପ୍ରେସ୍ ଦିବସ ଅବସରରେ ମତପ୍ରକାଶ ପାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହ-୨୦୨୬ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ ଦାୟିତ୍ୱବୋଧ’ ଉପରେ ଏହି ଅବସରରେ ଆଲୋଚନା ହୋଇଥିଲା।

ପ୍ରେସ୍ କ୍ଲବ୍‌ର ସଭାପତି ଶ୍ରୀ ଜୟକୃଷ୍ଣ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ଏକ ସୁସ୍ଥ ଓ ସଚେତନ ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନା ପହଞ୍ଚାଇବା ସହ ସମାଜର ହିତ ଓ ମଙ୍ଗଳକୁ ପ୍ରାଧାନ୍ୟ ଦେଇ ସାମ୍ବାଦିକମାନେ ସମନ୍ୱିତ ଭାବେ ଅଧିକରୁ ଅଧିକ ଜନକଲ୍ୟାଣମୂଳକ ଓ ସକାରାତ୍ମକ ସମ୍ବାଦ ପରିବେଷଣ କରିବା ଆବଶ୍ୟକ। ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ସହ ସାମ୍ବାଦିକତାର ମର୍ଯ୍ୟାଦା, ନିରପେକ୍ଷତା ଓ ଦାୟିତ୍ୱବୋଧ ବଜାୟ ରଖିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ କହିଥିଲେ ଯେ, ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ୍ୟନିଷ୍ଠା, ନିରପେକ୍ଷତା ଓ ସକାରାତ୍ମକ ଚିନ୍ତାଧାରାକୁ ଆଧାର କରି ସମାଜର ହିତ ପାଇଁ ନିର୍ଭୀକ ଭାବେ ଖବର ପରିବେଷଣ କରିବା ସହ ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିବାକୁ ସେ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ।

ସମାରୋହରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ମହାପାତ୍ର ଏବଂ କେନ୍ଦୁଝରର ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଲବ୍ଧି ଜୈନ ଯୋଗଦେଇଥିଲେ।

ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସତ୍ୟଜିତ ସାମନ୍ତରାୟ, ଦିଲୀପ କୁମାର ସାହୁ, ରାଜେନ୍ଦ୍ର କୁମାର ସାହୁ, ପ୍ରଣୟ ପାଣୀ ଓ ପୂର୍ଣ୍ଣ ପଟ୍ଟନାୟକ ନିଜ ନିଜର ସୁଚିନ୍ତିତ ମତାମତ ରଖିବା ସହ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିସହ ଉପସ୍ଥିତ ସାମ୍ବାଦିକମାନଙ୍କ ମଧ୍ୟରେ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ, ଗଣମାଧ୍ୟମର ସ୍ୱାଧୀନତା, ସତ୍ୟ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଏବଂ ସମାଜର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ମତବିନିମୟ ହୋଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ଏକ ମଜଭୁତ ସେତୁ ଭାବେ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଥିଲେ। ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକମାନଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ। ଏଥିସହ ନିରପେକ୍ଷତା, ସଠିକ୍ ତଥ୍ୟ ଓ ସାମାଜିକ ସମ୍ବେଦନଶୀଳତାକୁ ଆଧାର କରି ଖବର ପରିବେଷଣ କରିବା ସହ ଜନସାଧାରଣଙ୍କ ଆଶାଆକାଂକ୍ଷା ଓ ସମସ୍ୟାକୁ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ଦିଗରେ ସାମ୍ବାଦିକମାନେ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା ଉଚିତ ବୋଲି ସେ ମତ ରଖିଥିଲେ।

ଜିଲ୍ଲାସ୍ତରୀୟ ଏହି ସମାରୋହରେ ଜିଲ୍ଲାର ବହୁ ସାମ୍ବାଦିକ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମାରୋହର ସଫଳ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.