ଜଗତସିଂହପୁର,ତା- ୧୬.୧୧.୨୦୨୬ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ୨୦୨୬ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଭାପତି, ଜିଲ୍ଲା ପରିଷଦ ଜଗତସିଂହପୁର ଶ୍ରୀ ମନୋଜ କୁମାର ଭୋଇ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ ଦିବସ ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ ସାମ୍ବାଦିକମାନେ ସର୍ବଦା ସ୍ୱଚ୍ଛ, ନିରପେକ୍ଷ ଓ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରି ସୁସ୍ଥ ସମାଜ ଗଠନରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ । ସମସ୍ତ ସାମ୍ବାଦିକ ସୁସ୍ଥ ଜୀବନଯାପନ କରିବା ସହ ଏକ ସୁସ୍ଥ ଓ ସକାରାତ୍ମକ ପରିବେଶରେ ନିଜର ବୃତ୍ତିଗତ ଦାୟିତ୍ୱ ତୁଲାଇ ସମାଜର ଉନ୍ନତି ଓ ଗଠନ ପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ୍ ବୋଲି ସେ ଉପଦେଶ ଦେଇଥିଲେ ।
ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସାମ୍ବାଦିକମାନଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରଶଂସନୀୟ ବୋଲି କହିଥିଲେ ।
ସରକାରୀ ଯୋଜନା ଓ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନର ନଜରକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୋସିଆଲ୍ ମିଡିଆର ଏହି ଯୁଗରେ ସାମ୍ବାଦିକମାନେ ସତ୍ୟ, ନିରପେକ୍ଷତା ଓ ବୃତ୍ତିଗତ ନୈତିକତାକୁ ପ୍ରାଧାନ୍ୟ ଦେଇ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ର ମୁଖ୍ୟ ଡଃ ଦେବୀଲାଲ ମିଶ୍ର ଚଳିତ ବର୍ଷ ର ଆଲୋଚ୍ୟ ବିଷୟ ବସ୍ତୁ ‘ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ଆଲୋକ ପାତ କରିଥିଲେ। ସେ କହିଥିଲେ ଯେ ସ୍ୱାଧୀନ ଓ ନିରପେକ୍ଷ ଗଣମାଧ୍ୟମ ଏକ ସୁସ୍ଥ ଗଣତନ୍ତ୍ରର ମୂଳ ଆଧାର। ସ୍ୱାଧୀନତା ସହ ଉତ୍ତରଦାୟିତ୍ୱ, ଦକ୍ଷତା ସହ ନୈତିକତା ଏବଂ ସାମ୍ବାଦିକତା ସହ ଜନସ୍ୱାର୍ଥର ସମନ୍ୱୟ ହିଁ ଏକ ସୁସ୍ଥ ଓ ସଚେତନ ସମାଜ ଗଠନର ମୂଳମନ୍ତ୍ର।
ବର୍ତ୍ତମାନ ଗଣମାଧ୍ୟମ ଏକ ବଜାରଭିତ୍ତିକ ବ୍ୟବସ୍ଥାରେ ପରିଣତ ହେଉଥିବାବେଳେ ଅଧିକ ଲାଇକ୍, ଭ୍ୟୁ, ସେୟାର ଓ ଲୋକପ୍ରିୟତାର ପ୍ରତିଯୋଗିତାରେ ସାମ୍ବାଦିକତାର ମୂଳ ଆଦର୍ଶ ଯେପରି ହଜି ନଯାଏ, ସେଥିପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ। ସାମ୍ବାଦିକମାନଙ୍କ ସୁରକ୍ଷା, ସମ୍ମାନ, ଆର୍ଥିକ ସ୍ଥିତି ଓ ବୃତ୍ତିଗତ ସ୍ୱାଧୀନତା ପ୍ରତି ସମାଜ ଓ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଜଗତସିଂହପୁର ଜିଲ୍ଲାର ସାମ୍ବାଦିକମାନଙ୍କ କ୍ଷେତ୍ରସ୍ତରୀୟ ରିପୋର୍ଟିଂ ଓ ସହଯୋଗ ପ୍ରଶଂସନୀୟ ବୋଲି କହିଥିଲେ । ସାମୟିକ ଲୋକପ୍ରିୟତା ପଛରେ ନପଡ଼ି ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସାମ୍ବାଦିକତାର ମୂଲ୍ୟବୋଧ ବଜାୟ ରଖିବା ଏବଂ ଲୋକଙ୍କ ସମସ୍ୟା ସହିତ ସକାରାତ୍ମକ ଓ ଜନହିତକର କାର୍ଯ୍ୟଗୁଡ଼ିକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ପାଇଁ ସେ ଅନୁରୋଧ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ, ଦେବେନ୍ଦ୍ର ସିଂହ, ମନୋଜ କୁମାର ଦାଶ,ରମାକାନ୍ତ ଦାଶ, ସୁନାକର ବେହେରା,ଶଶାଙ୍କ ଶେଖର ପଣ୍ଡା, ଶୁଭଙ୍କର ଜେନା, ପ୍ରମୋଦ କୁମାର ନାୟକ ନିଜ ନିଜର ସମ୍ୟକ୍ ଅନୁଭୂତି ଓ ଅଭିବ୍ୟକ୍ତି ରଖିଥିଲେ ।
ଜାତୀୟ ପ୍ରେସ ଦିବସ ୨୦୨୬ ଉପଲକ୍ଷେ ଆୟୋଜିତ ହାଇସ୍କୁଲ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷ ରେଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବି, ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସମସ୍ତେ ମଧ୍ୟାହ୍ନ ଭୋଜନ କରିଥିଲେ।