ବାଲେଶ୍ୱର, ତା.୧୬.୧୧.୨୦୨୬: ଆଜି ସନ୍ଧ୍ୟା ୬.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଡିଟୋରିୟମ ଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା।
ଚଳିତ ବର୍ଷର ବିଷୟବସ୍ତୁ ଥିଲା – “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ”।
ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ସଭାପତିତ୍ୱ କରିଥିଲେ । ସାମ୍ବାଦିକ ଏତେ ଶକ୍ତି ଶାଳୀ ଯେ, ସେ ଜଣେ ମହାପୁରୁଷ ଏବଂ ଗୋଟିଏ ରାଷ୍ଟ୍ର ତିଆରି କରିପାରେ ବୋଲି ଅତିରିକ୍ତ ଜିଲ୍ଲାପାଳ ମହୋଦୟ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପ୍ରେସ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକପ୍ରିୟତା ପଛରେ ନ ଧାଇଁ ସତ୍ୟ, ନିରପେକ୍ଷ, ଦାୟିତ୍ୱପୂର୍ଣ୍ଣ ଓ ସତ୍ୟ ଆଧାରିତ ସମ୍ବାଦ ପରିବେଷଣ କରିବା ପାଇଁ ସାମ୍ବାଦିକ ମାନଙ୍କୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ ମାନ୍ୟବର ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶ୍ରୀନିବାସ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେ ସଠିକ ଓ ନିର୍ଭୀକ ଭାବେ ସମ୍ବାଦ ପରିବେଷଣ କରିବା ପାଇଁ ସାମ୍ବାଦିକ ମାନଙ୍କୁ ନିବେଦନ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଡ. ମଧୁସ୍ମିତା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକମାନେ ନିଜ ନିଜ ଅଭିଜ୍ଞତା ଓ ମତାମତ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମର ଚାପ ମଧ୍ୟରେ କିପରି ନୈତିକତା ବଜାୟ ରଖି ସାମ୍ବାଦିକତା କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସମ୍ମାନ ଉତ୍ସବ। ଜିଲ୍ଲାରେ ଉଲ୍ଲେଖନୀୟ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ତପନ କୁମାର ଦାସ, ଚକ୍ରଧର ସାହୁ, ବିଜୟ କୁମାର ଦାସ, ଗୋବିନ୍ଦ କୁମାର ରାଠୀ ଏବଂ ସେକ ଅବଦୁଲ ଅଜିମଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଗଣ, ସମାଜ ସେବୀ, ବୁଦ୍ଧିଜୀବୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.