ଅସ୍ମିତା ଇଷ୍ଟ ଜୋନ୍ ସାଇକ୍ଲିଂରେ ଓଡ଼ିଶାର ଦମ୍ଦାର ପ୍ରଦର୍ଶନ; ସିନିୟର ଓ ଜୁନିୟର ଇଣ୍ଡିଆନ୍ ସାଇକେଲ୍ ବର୍ଗରେ ସମସ୍ତ ପଦକ ଓଡ଼ିଶା ଖାତାରେ।
ସମ୍ବଲପୁର(ଲିପନ ନାଏକ ): ମହିଳା ସାଇକ୍ଲିଂକୁ ପ୍ରୋତ୍ସାହନ ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ଲକ୍ଷ୍ୟରେ ସମ୍ବଲପୁରର ମାନେଶ୍ୱର ରୋଡ୍, ଜାତୀୟ ରାଜପଥ-୫୫ରେ ଆଜିଠାରୁ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଇଷ୍ଟ ଜୋନ୍ ରୋଡ୍ ସାଇକ୍ଲିଂ ଚାମ୍ପିୟନସିପ୍ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ପ୍ରତିଯୋଗିତା ନଭେମ୍ବର ୧୬ ଓ ୧୭ ତାରିଖରେ ଆୟୋଜିତ ହେଉଛି।
ପ୍ରତିଯୋଗିତାର ପ୍ରଥମ ଦିନରେ ପେଶାଦାର ସାଇକ୍ଲିଂ ବର୍ଗର ମହିଳା ଏଲିଟ୍, ଜୁନିୟର ଓ ସବ୍-ଜୁନିୟର ବର୍ଗରେ ଇଣ୍ଡିଭିଜୁଆଲ୍ ଟାଇମ୍ ଟ୍ରାଏଲ୍ (ITT) ରେସ୍ ଅନୁଷ୍ଠିତ ହୋଇଥିଲା। ସେହିପରି ତୃଣମୂଳ ସ୍ତରରେ ସାଇକ୍ଲିଂକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଇଣ୍ଡିଆନ୍ ସାଇକେଲ୍ ବର୍ଗରେ ସ୍କୁଲ୍ ଛାତ୍ରୀ ଓ ଅନ୍ୟ ମହିଳା ପ୍ରତିଯୋଗୀଙ୍କ ପାଇଁ ମାସ୍ ଷ୍ଟାର୍ଟ ରେସ୍ ଆୟୋଜନ କରାଯାଇଥିଲା। ସମସ୍ତ ବର୍ଗର ବିଜେତାଙ୍କୁ ପଦକ ସହ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।
ପ୍ରଥମ ଦିନର ଫଳାଫଳ ଅନୁଯାୟୀ, ସବ୍-ଜୁନିୟର ଓ ୟୁଥ୍ ITT ବର୍ଗରେ ଓଡ଼ିଶାର ପୂର୍ବାୟୀ ମହାନ୍ତି ସ୍ୱର୍ଣ୍ଣ, ସସ୍ମିତା ପଣ୍ଡା ରୌପ୍ୟ ଏବଂ ବିହାରର ସୁପ୍ରିୟା କୁମାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଜୁନିୟର ITT ବର୍ଗରେ ଝାଡ଼ଖଣ୍ଡର ନିକିତା ସୋରେଙ୍ଗ ସ୍ୱର୍ଣ୍ଣ, ଓଡ଼ିଶାର ରିୟା କୁମାରୀ ରୌପ୍ୟ ଏବଂ ଝାଡ଼ଖଣ୍ଡର ଅଞ୍ଜଳି ଏକ୍କା ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଲିଟ୍ ITT ବର୍ଗରେ ଝାଡ଼ଖଣ୍ଡର ଶ୍ୱେତା କୁମାରୀ ସ୍ୱର୍ଣ୍ଣ, ସିନ୍ଧୁଲତା ହେମ୍ବ୍ରମ୍ ରୌପ୍ୟ ଏବଂ ଲକ୍ଷ୍ମୀ କୁମାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଇଣ୍ଡିଆନ୍ ସାଇକେଲ୍ ବର୍ଗର ସିନିୟର ମାସ୍ ଷ୍ଟାର୍ଟରେ ଓଡ଼ିଶାର ସୁହାନା ପରବୀନ ସ୍ୱର୍ଣ୍ଣ, ଲକ୍ଷ୍ମୀ ଓରାମ ରୌପ୍ୟ ଓ ଆୟୁଶ୍ରୁତି ଓରାମ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଜୁନିୟର ବର୍ଗରେ ଝୁଲି ମାଝୀ ସ୍ୱର୍ଣ୍ଣ, ବିଦୁସ୍ମିତା ଟୁଡୁ ରୌପ୍ୟ ଓ ଲକି ନାଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ଭୋଇ ଉଦ୍ଘାଟକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନର ସଭାପତି ତଥା ଅର୍ଜୁନ ପୁରସ୍କାରପ୍ରାପ୍ତା ଶ୍ରୀମତୀ ମିନତୀ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରାଉତ ଏବଂ ଉପସଭାପତି ଶ୍ରୀ ନିରଞ୍ଜନ ଚରଣ ସାହୁଙ୍କ ସମେତ ଆସୋସିଏସନର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧିକାରୀ ଓ ରାଜ୍ୟ ସାଇକ୍ଲିଂ ଅଧିକାରୀଙ୍କ ସହଯୋଗରେ ଆୟୋଜନଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ଏହି ଚାମ୍ପିୟନସିପ୍କୁ ସଫଳ କରିବାରେ ସହଯୋଗ ପାଇଁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ ପକ୍ଷରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ ପ୍ରାଧିକରଣ (NHAI), ମେଡିକାଲ୍ ଟିମ୍, ପୋଲିସ ବିଭାଗ, ସମ୍ବଲପୁର ମହାନଗର ନିଗମ ଏବଂ ସମସ୍ତ ସହଯୋଗୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ କୃତଜ୍ଞତା ଜଣାଯାଇଛି।
ଚାମ୍ପିୟନସିପ୍ର ଅନ୍ତିମ ଦିବସ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ଶେଷ ଦିନର ପ୍ରତିଯୋଗିତା ପାଇଁ ଖେଳାଳି, ଆୟୋଜକ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି।