:ରାସନ କାର୍ଡଧାରୀଙ୍କୁ ମିଳିଲା ୫୦ କିଲୋ ଚାଉଳ ଓ ୨୫୦୦ ଟଙ୍କା
ବେଲଗୁଣ୍ଠା-୧୫/୧୧- (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏନଏସି ଅନ୍ତର୍ଗତ ସମସ୍ତ ୧୩ଟି ୱାର୍ଡର ରାସନ କାର୍ଡଧାରୀ ପରିବାରବର୍ଗଙ୍କ ପାଇଁ ବାତ୍ୟା ଅର୍ଣ୍ଣବ ପ୍ରଭାବରେସୃଷ୍ଟି ହୋଇଥିବା ବନ୍ୟା ପ୍ରଭାବିତଙ୍କ ପାଇଁ ଆଜି ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟେକ ରାସନ କାର୍ଡଧାରୀ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଏବଂ ୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ସ୍ତରରେ ଏବଂ ସ୍ଥାନୀୟ ନେତୃତ୍ୱ ପକ୍ଷରୁ ବହୁ ପ୍ରମୁଖ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ବିଧାୟକଙ୍କ ପ୍ରତିନିଧି ତଥା ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାଏକ, ଏନଏସି ଅଧ୍ୟକ୍ଷ ଫିରୋଜ କୁମାର ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ଏବଂ ଯୋଗାଣ ନିରୀକ୍ଷକ ସମ୍ବିତ୍ ପ୍ରସାଦ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିସହିତ ବିଭିନ୍ନ ୱାର୍ଡର କାଉନସିଲରମାନେ, ସ୍ଥାନୀୟ ସଂଗଠକ ତଥା ବହୁ ସଂଖ୍ୟାରେ ସ୍ଥାନୀୟ ପୁରୁଷ ଓ ମହିଳା ହିତାଧିକାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ସହାୟତା ଗ୍ରହଣ କରିଥିଲେ।