ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼, ସନ୍ଧ୍ୟା ଆଳତିରେ ସାମିଲ ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା, ୧୫/୧୧: ଭକ୍ତି, ନିଷ୍ଠା ଓ ଉତ୍ସାହର ସହ ଝାରସୁଗୁଡ଼ା ଜିଲ୍ଲାରେ ରବିବାର ପାଳିତ ହୋଇଯାଇଛି ମହାପର୍ବ ଛଟ୍ ପୂଜା। ସୂର୍ଯ୍ୟଦେବଙ୍କ ଉପାସନା ମାଧ୍ୟମରେ ସୁଖ, ସମୃଦ୍ଧି ଓ ଶାନ୍ତି କାମନା କରି ବ୍ରତଧାରୀମାନେ ବିଭିନ୍ନ ନଦୀ ଓ ପୋଖରୀ ଘାଟରେ ପୂଜାର୍ଚ୍ଚନା କରିଥିଲେ। ସହରର ବିଭିନ୍ନ ଘାଟରେ ବିହାରୀ ସମ୍ପ୍ରଦାୟ ସମେତ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଏହି ପବିତ୍ର ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସହରର ତାଳପଟିଆ ଘାଟ, ଇବ୍ ନଦୀ ଘାଟ ଓ ଚୌକିପଡ଼ା ଘାଟ ପରିଦର୍ଶନ କରିଥିଲେ। ସେଠାରେ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କୁ ଭେଟିବା ସହ ସନ୍ଧ୍ୟା ଆଳତିରେ ସାମିଲ ହୋଇ ସୂର୍ଯ୍ୟଦେବଙ୍କ ଆରାଧନା କରିଥିଲେ। ଏଥିସହ ସମସ୍ତଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଛଟ୍ ମହାପର୍ବ ପ୍ରକୃତି, ସୂର୍ଯ୍ୟୋପାସନା ଓ ଭାଇଚାରାର ଏକ ମହାନ ପର୍ବ। ଝାରସୁଗୁଡ଼ା ମାଟିରେ ସମସ୍ତ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ଏହି ପବିତ୍ର ପର୍ବ ପାଳନ କରୁଥିବା ଦେଖି ସେ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାକୁ ସେ ପ୍ରଶଂସା କରିଥିଲେ।
ଅନ୍ୟପକ୍ଷରେ, ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବିଧାୟକ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ବିହାରୀ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଦଳୀୟ କର୍ମୀ ଉପସ୍ଥିତ ରହି ପୂଜା ପରିଚାଳନାରେ ସହଯୋଗ କରିଥିଲେ।