ଉତ୍କଳ ଆଲୁମିନାର ସିଏସ୍ଆର୍ ପଦକ୍ଷେପ: ବାଫ୍ଲିମାଳୀ ଖଣି ଅଞ୍ଚଳର ୧୭ଟି ବିଦ୍ୟାଳୟରେ ଉତ୍ସାହର ସହ ପାଳିତ ହେଲା ଶିଶୁ ଦିବସ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରୋତ୍ସାହନ ଏବଂ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଲକ୍ଷ୍ୟରେ ଉତ୍କଳ ଆଲୁମିନାର ସିଏସ୍ଆର୍ ବିଭାଗ ପକ୍ଷରୁ ବାଫ୍ଲିମାଳୀ ଖଣି ଅଞ୍ଚଳର ୧୭ଟି ସରକାରୀ ବିଦ୍ୟାଳୟରେ ଶିଶୁ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସୃଜନଶୀଳତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବକ୍ତୃତା, ଚିତ୍ରାଙ୍କନ, ସଙ୍ଗୀତ, ପ୍ରବନ୍ଧ ଲିଖନ ଓ କୁଇଜ୍ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ଉପସ୍ଥିତି ଉତ୍ସବକୁ ଆହୁରି ଆନନ୍ଦମୟ କରିଥିଲା। ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଇଥିବା ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପ୍ରକଳ୍ପ ନେତ୍ରୀ ଶ୍ରୀମତୀ ନିରୁପମା ବାରିକଙ୍କ ନିଷ୍ଠାପର ନେତୃତ୍ୱ ଓ ଉତ୍ତମ ପରିଚାଳନା ଉଲ୍ଲେଖନୀୟ ଥିଲା। ଏଥିସହ ସିଏସ୍ଆର୍ ମୁଖ୍ୟ ଶ୍ରୀ ମନୋଜ ଦାସ, ଶ୍ରୀ ସୁଶାନ୍ତ ଧୋଳ, ଶ୍ରୀ ସଞ୍ଜୀବ କୁମାର, ଶ୍ରୀ ଦିଲୀପ ନାଏକ ଓ ଶ୍ରୀ ବାଦଲଙ୍କ ମୂଲ୍ୟବାନ ସହଯୋଗ ଓ ସମର୍ଥନ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ସହାୟକ ହୋଇଥିଲା।
ଉତ୍କଳ ଆଲୁମିନା ପକ୍ଷରୁ ଏଭଳି ଶିକ୍ଷାଭିତ୍ତିକ ଓ ସମାଜ କଲ୍ୟାଣମୂଳକ ସିଏସ୍ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଶିକ୍ଷା, ପ୍ରତିଭା ବିକାଶ ଓ ନିଜକୁ ଆଗକୁ ନେବା ପାଇଁ ନିରନ୍ତର ପ୍ରୋତ୍ସାହିତ କରାଯାଉଛି। ଶିଶୁମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଓ ଏକ ସୁନ୍ଦର ଭବିଷ୍ୟତ ଗଠନରେ ସହଯୋଗ କରିବା ଦିଗରେ କମ୍ପାନୀର ଏଭଳି ପ୍ରୟାସ ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ।