ଓଡ଼ଗାଁ ଓ ଶରଣକୁଳରେ ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ

18


ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ମିଳିତ ଯାଞ୍ଚ, ମାଲିକଙ୍କୁ କରାଗଲା ସଚେତନ,

ଓଡ଼ଗାଁ,୧୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ଶିଶୁ ଶ୍ରମିକ ନିୟୋଜନକୁ ରୋକିବା ସହ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ଏକ ମିଳିତ ଯାଞ୍ଚ ଓ ଉଦ୍ଧାର ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ଓଡ଼ଗାଁ ବ୍ଲକ୍‌ ଦାୟିତ୍ୱରେ ଥିବା ସହକାରୀ ଶ୍ରମ ଅଧିକାରିଣୀ ମୋନିକା ସେଠ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ବାହ୍ୟକର୍ମୀ ବିକ୍ରମ ପ୍ରଧାନ, ଚାଇଲ୍ଡ ହେଲ୍ପଲାଇନ୍‌ ସଦସ୍ୟ ଗୌରବ ରାଉତଙ୍କ ସମେତ ପୋଲିସ ଓ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ। ଅଭିଯାନ ସମୟରେ ଶରଣକୁଳ ଓ ଓଡ଼ଗାଁ ବଜାରରେ ଥିବା ବିଭିନ୍ନ ଗ୍ୟାରେଜ୍‌, ଗ୍ରୋସରୀ ଦୋକାନ, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା। ଏହି ସବୁ ସ୍ଥାନରେ ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଉଛି କି ନାହିଁ, ସେନେଇ ଅଧିକାରୀମାନେ ତଦାରଖ କରିଥିଲେ। ଯାଞ୍ଚ ସମୟରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟରତ ଶିଶୁମାନଙ୍କୁ ଚିହ୍ନଟ କରି ଉଦ୍ଧାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଦ୍ଧାର ପରେ ଶିଶୁମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯିବା ସହ ଶିଶୁ ମଙ୍ଗଳ ସମିତିଙ୍କ ନିକଟରେ ଉପସ୍ଥାପନ କରିବା ଏବଂ ସେମାନଙ୍କ ପରବର୍ତ୍ତୀ ଥଇଥାନ ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିସହ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନଙ୍କୁ ଶିଶୁ ଶ୍ରମିକ ନିୟୋଜନର ଆଇନଗତ ପରିଣାମ ସମ୍ପର୍କରେ ଅବଗତ କରାଯାଇଥିଲା। ଶିଶୁମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରି ସେମାନଙ୍କୁ ଶିକ୍ଷା ଓ ସୁରକ୍ଷାର ସୁଯୋଗ ଦେବାକୁ ଅଧିକାରୀମାନେ ଆହ୍ୱାନ ଜଣାଇଥିଲେ। ଏହି ଅଭିଯାନ ମାଧ୍ୟମରେ ଶିଶୁ ଶ୍ରମ ବିରୋଧରେ ପ୍ରଶାସନର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିବାବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡ଼ିଛି। ଶିଶୁଙ୍କ ହାତରେ ଶ୍ରମର ବୋଝ ନୁହେଁ, ରହୁ ଶିକ୍ଷାର ଖାତା ଓ ସୁନ୍ଦର ଭବିଷ୍ୟତର ସ୍ୱପ୍ନ।

Leave A Reply

Your email address will not be published.