ଅଂଶ ନେବେ ୩,୮୫୨ ପ୍ରତିଯୋଗୀ; ଶ୍ରେଷ୍ଠ ୫୦ ଦଳ ମଧ୍ୟରେ ହେବ ଫାଇନାଲ୍ ମୁକାବିଲା
ରାଉରକେଲା,(ବସନ୍ତ କୁମାର ଜେନା,ଶାସକ ପ୍ରଶାସକ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ପ୍ରମୁଖ ବୈଷୟିକ ଓ ଉଦ୍ଭାବନ କାର୍ଯ୍ୟକ୍ରମ ‘ବିପିୟୁଟି ହ୍ୟାକାଥନ୍-୨୦୨୬’ର ଗ୍ରାଣ୍ଡ ଫିନାଲେ ନଭେମ୍ବର ୧୨ ଓ ୧୩ ଦୁଇଦିନ ଧରି ଛେଣ୍ଡସ୍ଥିତ ବିପିୟୁଟି କ୍ୟାମ୍ପସରେ ଅନୁଷ୍ଠିତ ହେବ। ୩୬ ଘଣ୍ଟିଆ ଏହି ନିରବଚ୍ଛିନ୍ନ ହ୍ୟାକାଥନ୍ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁବ ପ୍ରତିଭାମାନେ ବାସ୍ତବ ସମସ୍ୟାର ବ୍ୟବହାରିକ ଓ ନବୀନ ସମାଧାନ ପ୍ରସ୍ତୁତ କରିବେ।
ଗ୍ରାଣ୍ଡ ଫିନାଲେର ଆନୁଷ୍ଠାନିକ ଉଦ୍ଘାଟନ ନଭେମ୍ବର ୧୨ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ବିପିୟୁଟି କ୍ୟାମ୍ପସସ୍ଥିତ ନେତାଜୀ ସୁଭାଷ ପ୍ରେକ୍ଷାଗୃହରେ ହେବ।
ଏହି ଅବସରରେ ବୁଧବାର ବିଶ୍ୱବିଦ୍ୟାଳୟ ବୋର୍ଡରୁମ୍ରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଓ ହ୍ୟାକାଥନ୍ର ସଂଯୋଜକ ଡ. ଡି. ଚନ୍ଦ୍ରଶେଖର ରାଓ ଗଣମାଧ୍ୟମକୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଡ. ରାଓଙ୍କ ସୂଚନା ଅନୁସାରେ, ହ୍ୟାକାଥନ୍ର ତୃତୀୟ ସଂସ୍କରଣରେ ବିପିୟୁଟିର ୭୧ଟି ଅନୁବନ୍ଧିତ ଓ ସଂଲଗ୍ନ କଲେଜରୁ ୩,୮୫୨ ଜଣ ପ୍ରତିଯୋଗୀ ୭୧୮ଟି ଦଳରେ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବ ସଂସ୍କରଣ ତୁଳନାରେ ୪୦ ପ୍ରତିଶତ ଅଧିକ। ଅକ୍ଟୋବର ୧୦ରୁ ୧୩ ମଧ୍ୟରେ ୧୧ଟି ସହଯୋଗୀ ଶିକ୍ଷାନୁଷ୍ଠାନରେ ବହୁସ୍ତରୀୟ ଯାଞ୍ଚ ଓ ଆଞ୍ଚଳିକ ମୂଲ୍ୟାଙ୍କନ ପରେ ଶ୍ରେଷ୍ଠ ୫୦ଟି ଦଳ ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହୋଇଛନ୍ତି।
ଫାଇନାଲେରେ ଶିଳ୍ପ ବିଶେଷଜ୍ଞ, ବିଚାରକ ଓ ଅଧ୍ୟାପକମାନେ ପ୍ରତିଯୋଗୀଙ୍କୁ ମାର୍ଗଦର୍ଶନ ଓ ମୂଲ୍ୟାୟନ କରିବେ। ଏଥିସହ ରାଉରକେଲା ଓ ଆଖପାଖ ଅଞ୍ଚଳର ୧,୦୦୦ରୁ ଊର୍ଦ୍ଧ୍ୱ ସ୍କୁଲ ଛାତ୍ରଛାତ୍ରୀ ହ୍ୟାକାଥନ୍ରେ ଯୋଗଦେଇ ଉଦ୍ଭାବନ, ଦଳଗତ କାର୍ଯ୍ୟ ଓ ବାସ୍ତବ ସମସ୍ୟା ସମାଧାନର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବେ।
କୁଳପତି ପ୍ରଫେସର ରଥ କହିଥିଲେ ଯେ, ହ୍ୟାକାଥନ୍ କେବଳ ଏକ ପ୍ରତିଯୋଗିତା ନୁହେଁ; ଏହା ଛାତ୍ରକୈନ୍ଦ୍ରିକ ଶିକ୍ଷା, ବ୍ୟବହାରିକ ଜ୍ଞାନ, ଉଦ୍ଭାବନ ଓ ସର୍ବାଙ୍ଗୀନ ବିକାଶର ଏକ ମାଧ୍ୟମ। ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଶିକ୍ଷାର ସୀମା ଟପି ନିଜ ଜ୍ଞାନକୁ ବାସ୍ତବ ଜୀବନର ସମସ୍ୟା ସମାଧାନରେ ବ୍ୟବହାର କରିବାର ସୁଯୋଗ ପାଉଛନ୍ତି।
ସେ କହିଥିଲେ ଯେ, ପରୀକ୍ଷା ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ଲଗାତର ଦୁଇଟି ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରି ବିପିୟୁଟି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନ ହାସଲ କରିଛି। ସେହିପରି ସମାବର୍ତ୍ତନ ଦିନ କଲେଜ ଅଧ୍ୟକ୍ଷମାନଙ୍କୁ ସିଧାସଳଖ ଡିଗ୍ରୀ ସାର୍ଟିଫିକେଟ୍ ଦିଆଯାଇ ଡିଗ୍ରୀ ବଣ୍ଟନ ପ୍ରକ୍ରିୟାକୁ ସରଳ କରାଯାଇଛି।
ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିପିୟୁଟି ପକ୍ଷରୁ ‘ବିପିୟୁଟି ଟେକ୍ କାର୍ଣ୍ଣିଭାଲ୍’ ମଧ୍ୟ ଆୟୋଜନ କରାଯାଉଛି। ଏଥିରେ ଓଡ଼ିଶାର ୧୪୬ଟି ଅନୁବନ୍ଧିତ ଓ ସଂଲଗ୍ନ ଶିକ୍ଷାନୁଷ୍ଠାନ ୫୬ଟି ବିଭିନ୍ନ ଇଭେଣ୍ଟରେ ଭାଗ ନେଉଛନ୍ତି। ଏହାଛଡ଼ା ବୈଷୟିକ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ବୁଟ୍କ୍ୟାମ୍ପ, ତୃଣମୂଳ ସ୍ତରରେ STEM କର୍ମଶାଳା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିଛି।
ସାମ୍ବାଦିକ ସମ୍ମିଳନୀରେ ସିୟୁପିଜିଏସ୍ ନିର୍ଦ୍ଦେଶକ ପ୍ରଫେସର ଶିବକୁମାର ମିଶ୍ର, ଅର୍ଥ ଅଧିକାରୀ ଶ୍ରୀମତୀ ସେବତୀ ଦାନସେନା, ପ୍ରଫେସର ବି.ବି. ମଙ୍ଗରାଜ, ପ୍ରଫେସର ସୁଜିତ କୁମାର ଖୁଣ୍ଟିଆ, ପ୍ରଫେସର ମାନସ ରଞ୍ଜନ ନାୟକ, ପ୍ରଫେସର ପ୍ରଦୀପ କୁମାର ସାହୁ, ପ୍ରଫେସର ପୀୟୂଷ ରଞ୍ଜନ ଦାସ, ଡ. ଭରଦ୍ୱାଜ ନନ୍ଦଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।