ହାଇକୋର୍ଟଙ୍କ ନୂତନ ସ୍ଥଗିତାଦେଶ ଦେଖାଇଲେ ଗ୍ରାମବାସୀ, ପୋଲିସ ଫୋର୍ସ ସହ ଫେରିଲା ପ୍ରଶାସନ

8

ଦେଓଗାଁ-ଭାଲିଆଡିହି ରାସ୍ତା ବିବାଦ


ଓଡ଼ଗାଁ, ୧୧।୧୧ (ଶ୍ରୀକାନ୍ତ କୁମାର ମିଶ୍ର)
: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଦେଓଗାଁ-ଭାଲିଆଡିହି ରାସ୍ତା ବିବାଦର ସମାଧାନ ପାଇଁ ପ୍ରଶାସନର ଉଦ୍ୟମ ପୁଣିଥରେ ବିଫଳ ହୋଇଛି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଆଧାରରେ ରାସ୍ତା ନିର୍ମାଣ ଆରମ୍ଭ କରିବାକୁ ବୁଧବାର ଦୁଇ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ଫୋର୍ସ ସହ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଗ୍ରାମବାସୀ ହାଇକୋର୍ଟଙ୍କ ନୂତନ ସ୍ଥଗିତାଦେଶର ନକଲ ଦେଖାଇବା ପରେ ରାସ୍ତା ନିର୍ମାଣ ନିଷ୍ପତ୍ତିରୁ ଓହରି ଅଧିକାରୀମାନେ ଫେରି ଆସିଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଠାରୁ ସୁନାମୁହିଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଦେଓଗାଁ-ଭାଲିଆଡିହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଛି। ହାଇକୋର୍ଟଙ୍କ ଓଜେସି ନଂ ୧୧୧୫୮/୧୯୯୯ ମାମଲାର ନିର୍ଦ୍ଦେଶ ଆଧାରରେ ମଞ୍ଜୁର ହୋଇଥିବା ଅର୍ଥରେ ଦେଓଗାଁଠାରୁ ପାଣ୍ଡେରିପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ବୁଧବାର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ, ସବ୍‌ଇନ୍ସପେକ୍ଟର ଚକ୍ରଧର ସିଂ, ଶରଣକୁଳ ଥାନା ଆଇଆଇସି ଅନିତା ସାହୁ, ଏସ୍‌ଡିପିଓ ଦୀପ୍ତିକାନ୍ତ ପ୍ରଧାନ ଏବଂ ମାଜିଷ୍ଟ୍ରେଟ୍‌ ଭାବେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ସହ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦିବାକର ଦାସ, ଠିକାଦାର ଓ ଶ୍ରମିକମାନେ ମଧ୍ୟ ଉପସ୍ଥିତ ଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସର ସୁରକ୍ଷା ବଳୟରେ ରାସ୍ତା ନିର୍ମାଣ ଆରମ୍ଭ ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଥିବା ସମୟରେ ଏହାକୁ ବିରୋଧ କରୁଥିବା ଭାଲିଆଡିହି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମର ପୁରୁଷ, ମହିଳାଙ୍କ ସହ ଛୋଟ ପିଲାମାନେ ମଧ୍ୟ ଏକତ୍ରିତ ହୋଇ ରାସ୍ତା ନିର୍ମାଣକୁ ନେଇ ଆପତ୍ତି ଉଠାଇଥିଲେ।
ଏହି ସମୟରେ ଆବେଦନକାରୀ ରକ୍ଷପାଳ ଠାକୁରାଣୀଙ୍କ ନାମରେ ରେକର୍ଡଭୁକ୍ତ ପ୍ଲଟ୍‌ ନଂ ୮୫୮ ଓ ୮୬୩ ଉପରେ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ଦର୍ଶାଇ ଗ୍ରାମବାସୀ ସ୍ଥଗିତାଦେଶର ନକଲ ପ୍ରଶାସନକୁ ଦେଖାଇଥିଲେ। ଆଦେଶନାମା ଯାଞ୍ଚ କରିବା ପରେ ଅଧିକାରୀମାନେ ରାସ୍ତା ନିର୍ମାଣ ଆରମ୍ଭ ନକରି ସେଠାରୁ ଫେରି ଆସିଥିଲେ। ତେବେ ଏହି ନୂତନ ସ୍ଥଗିତାଦେଶ ସମ୍ପର୍କରେ ପ୍ରଶାସନ ପୂର୍ବରୁ ଅବଗତ ଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନୂତନ ଆଦେଶ ଯୋଗୁଁ ରାସ୍ତା ନିର୍ମାଣ ପ୍ରକ୍ରିୟା ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଓଜେସି ନଂ ୧୧୧୫୮/୧୯୯୯ ଆଦେଶ ଅନୁଯାୟୀ ଦେଓଗାଁ ଠାରୁ ପାଣ୍ଡେରିପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଦାବି କରି ଦେଓଗାଁ ଗ୍ରାମବାସୀ ନୟାଗଡ଼ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୩୮ ଦିନ ଧରି ଧାରଣାରେ ବସିଛନ୍ତି। ଏହା ପୂର୍ବରୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଅନଶନ କରିଥିଲେ। ଏହି ବିବାଦର ସମାଧାନ ପାଇଁ ଗତ ଅକ୍ଟୋବର ୩୧ ତାରିଖରେ ଉଭୟ ଗ୍ରାମର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଓ ତହସିଲଦାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆଲୋଚନା କରିଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଆଧାରରେ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାଲିଆଡିହି ଗ୍ରାମବାସୀ ନିଷ୍ପତ୍ତିପତ୍ରରେ ଦସ୍ତଖତ କରିନଥିଲେ। ଫଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା।
ଅନ୍ୟପକ୍ଷରେ, ଦେଓଗାଁ ଗ୍ରାମବାସୀ ଧାରଣା ଜାରି ରଖିବା ସହ ପୁନର୍ବାର ଅନଶନରେ ବସିବାକୁ ଚେତାବନୀ ଦେଇଥିଲେ। ଏପରିକି ଦୀପାବଳି ଅବସରରେ ଧାରଣାସ୍ଥଳରେ ସମୁହ ଦୀପଦାନ କରି ପ୍ରତିବାଦ ଜଣାଇଥିଲେ। ଏହାପରେ ପ୍ରଶାସନ ରାସ୍ତା ନିର୍ମାଣ ଆରମ୍ଭ ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ ନୂତନ ସ୍ଥଗିତାଦେଶ ଯୋଗୁଁ ପୁଣିଥରେ ପ୍ରକ୍ରିୟା ଅଟକିଯାଇଛି।ଦୀର୍ଘଦିନ ଧରି ଲାଗିରହିଥିବା ଏହି ରାସ୍ତା ବିବାଦର ସମାଧାନ କେବେ ହେବ ଏବଂ ଦେଓଗାଁ-ପାଣ୍ଡେରିପଡ଼ା ରାସ୍ତା ନିର୍ମାଣ କେବେ ଆରମ୍ଭ ହେବ, ତାହା ଏବେ ଅନିଶ୍ଚିତ ହୋଇପଡ଼ିଛି।

Leave A Reply

Your email address will not be published.