ଓଡ଼ଗାଁରେ ୭୮ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ଅନୁଷ୍ଠିତ, ନିଶାର୍ଦ୍ଧରେ ମା’ଙ୍କ ପ୍ରାଣପ୍ରତିଷ୍ଠା ଓ ପୂଜାବିଧି ସମ୍ପନ୍ନ
ଓଡ଼ଗାଁ, ୯।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରାଜ୍ୟ ପରିବହନ ନିଗମର ପୁରାତନ ବସ୍ ଗ୍ୟାରେଜ ସମ୍ମୁଖ ଦୁର୍ଗାମଣ୍ଡପରେ ଚଳିତବର୍ଷ ୭୮ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ଆରମ୍ଭ ହୋଇଛି। ତେବେ ସମୟର ପରିବର୍ତ୍ତନ ସତ୍ତ୍ୱେ ଦୀର୍ଘ ୭୮ ବର୍ଷ ଧରି ବହୁ ବାଧାବିଘ୍ନ ମଧ୍ୟରେ ଏହି ପାରମ୍ପରିକ ପୂଜା ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଛି। ଚଳିତବର୍ଷ ରବିବାର ୮ ତାରିଖ ନିଶାର୍ଦ୍ଧରେ ମା’ କାଳୀଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା ସହ ଷୋଡ଼ଶ ଉପଚାର ବିଧି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଗଠିତ ପୂଜା କମିଟି ପକ୍ଷରୁ ସମସ୍ତ ପୂଜାବିଧି ଓ ଆୟୋଜନ ସୁଚାରୁରୂପେ ପରିଚାଳନା କରାଯାଉଛି। ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ରହିଛି। ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟାରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ୧୧ ତାରିଖ ସନ୍ଧ୍ୟାରେ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କାଳୀପୂଜା କମିଟି ପକ୍ଷରୁ ଜଣାପଡ଼ିଛି।

ଦୀର୍ଘ ୭୮ ବର୍ଷର ଏହି ପରମ୍ପରା ସହ ମା’ କାଳୀଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନ ଏବଂ ଅଷ୍ଟପଦୀ ନୃତ୍ୟମନ୍ଦିରର ଶିଶୁ କଳାକାରମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଏହାକୁ ଉପଭୋଗ କରିବା ପାଇଁ ପୂଜାମଣ୍ଡପରେ ଭକ୍ତ ଓ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା।
ସୂଚନାଯୋଗ୍ୟ, ମା’ କାଳୀଙ୍କ ବୈଦିକ ପୂଜାବିଧି ଅତ୍ୟନ୍ତ ଜଟିଳ ଓ ବିଧିବଦ୍ଧ ହୋଇଥିବାରୁ ଏହାର ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ତଥାପି ଦୀର୍ଘବର୍ଷ ଧରି ଏହି ପୂଜାର ପରମ୍ପରାକୁ ବଜାୟ ରଖିବା ଓଡ଼ଗାଁ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ନିଦର୍ଶନ ପାଲଟିଛି।