ଭୂସ୍ଖଳନ ବିସ୍ଥାପିତଙ୍କୁ କଂଗ୍ରେସ ଓ ପେଟାପାଙ୍ଗା ଅଞ୍ଚଳବାସୀଙ୍କ ରିଲିଫ୍ ସହାୟତା ପ୍ରଦାନ ।

9

ଘୁ.ଉଦୟଗିରି: ୦୬/୧୧:(ଅବନୀ କୁମାର ପ୍ରଧାନ )ଗିଡ଼ିପାବାଲି ଭୂସ୍ଖଳନରେ ପ୍ରଭାବିତ ହୋଇ ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ବିସ୍ଥାପିତ ପରିବାରଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ ଜାରି ରହିଛି। ଏହି କ୍ରମରେ କଂଗ୍ରେସ ବରିଷ୍ଠ ରାଷ୍ଟ୍ରୀୟ ସଂଯୋଜକ ପ୍ରତାପ ପ୍ରଧାନ ଏବଂ ପେଟାପାଙ୍ଗା ସରପଞ୍ଚଙ୍କ ନେତୃତ୍ୱରେ ବିସ୍ଥାପିତଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଛି। ପ୍ରଥମେ କଂଗ୍ରେସ ବରିଷ୍ଠ ରାଷ୍ଟ୍ରୀୟ ସଂଯୋଜକ ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଦଳର ବହୁ କର୍ମୀ ଗିଡ଼ିପାବାଲି ଭୂସ୍ଖଳନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ କିଲାପାଙ୍ଗା ଆଶ୍ରୟସ୍ଥଳରେ ରହୁଥିବା ପ୍ରଭାବିତ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ଏନ୍‌ଏସିର ୮ ନମ୍ବର ୱାର୍ଡ କାଉନସିଲର ଜାକେଶ କୁମାର ପ୍ରଧାନ, ଏନ୍‌ଏସି କଂଗ୍ରେସ ନଗର ସଭାପତି ସୁବ୍ରମଣ୍ୟମ ନାୟକ, ସଦାନନ୍ଦ ନାୟକ, ମିଥୁନ ପ୍ରଧାନ, ନରେଶ ଆଚାର୍ଯ୍ୟ, ଯୁଗଳ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ।

ସେହିପରି ପେଟାପାଙ୍ଗା ପଞ୍ଚାୟତର ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ନେତୃତ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ସଦସ୍ୟ ଘୁ.ଉଦୟଗିରିସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଇଥିବା ଭୂସ୍ଖଳନ ପ୍ରଭାବିତ ପରିବାରଙ୍କୁ ଭେଟିଥିଲେ। ସେମାନେ ପ୍ରଭାବିତ ଓ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଙ୍କୁ ପୋଷାକ ସମେତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଏହି ଦୁଃଖଦ ସମୟରେ ପ୍ରଭାବିତ ପରିବାରଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କ ଦୁଃଖରେ ସାମିଲ ହେବା ଏବଂ ମାନସିକ ସାହସ ଓ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ଏହା ଏକ ଛୋଟ ପ୍ରୟାସ ବୋଲି ସହାୟତାକାରୀମାନେ କହିଥିଲେ।

Leave A Reply

Your email address will not be published.