କୃଷକ ବୈଜ୍ଞାନିକ ଆଲୋଚନାଚକ୍ର

11

ଜଗତସିଂହପୁର: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୂଲ୍ୟରେ ଏକ ଦୁଇ ଦିନିଆ କୃଷକ ବୈଜ୍ଞାନିକ ଆଲୋଚନାଚକ୍ର ନଭେମ୍ବର ୩ ଓ ୪ତାରିଖରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା କୃଷି ବିଭାଗର ଆତ୍ମା ପ୍ରକଳ୍ପ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ୩ଟି ବ୍ଲକ ଯଥା ତିର୍ତୋଲ, କୁଜଙ୍ଗ ଏବଂ ଏରସମାରୁ ସମୁଦାୟ ୨୫ଜଣ ଆଗଧାଡିର ଚାଷୀ ଯୋଗଦେଇଥିଲେ I କାର୍ଯ୍ୟକ୍ରମର ପ୍ରଥମ ଦିନରେ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼. ଜୀବନଜିତ ସେନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଭାଗନେଇଥିବା ଚାଷୀମାନଙ୍କୁ ସ୍ୱାଗତ କରିବାସହ ଜିଲ୍ଲା କୃଷି ଉନ୍ନତିରେ କେନ୍ଦ୍ରର ଭୂମିକା ଏବଂ ଚାଷୀମାନଙ୍କ ପାଇଁ କେନ୍ଦ୍ରଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ I ଡ଼. ସେନ ଚାଷୀମାନଙ୍କୁ କ୍ଷେତ ବଞ୍ଚାଅ ଅଭିଯାନ ବିଷୟରେ ମଧ୍ୟ ବୁଝାଇଥିଲେ I ପ୍ରଥମଦିନର ପ୍ରଥମ ଭାଗରେ କେନ୍ଦ୍ରର ବୈଜ୍ଞାନିକ ଦେବାଶିଷ ପଣ୍ଡା, କୃଷି ଅଧିକାରୀ ସ୍ଵାଗତିକା ମିଶ୍ର ଏବଂ ସ୍ୱରାଜ କୁମାର ବେହେରା ଚାଷୀ ମାନଙ୍କସହ ଧାନ, ମୁଗ ଓ ପନିପରିବା ଆଦି ଚାଷର ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ I ପ୍ରଥମଦିନର ଦ୍ଵିତୀୟ ଭାଗରେ ଡ଼. ଲଳିତ କୁମାର ମହାନ୍ତି, କ୍ଷେତ୍ର ବିଜ୍ଞାନୀ, କୃଷି ବିଜ୍ଞାନ କେନ୍ଦ୍ର, ଯାଜପୁର ଏବଂ ଡ଼. ଦ୍ୱାରିକା ମୋହନ ଦାସ, ସହକାରୀ ଅଧ୍ୟାପକ, କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ, ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱ ବିଦ୍ୟାଳୟ ଆଭାସୀ ମାଧ୍ୟମରେ ଯୋଗଦେଇ ଚାଷୀ ମାନଙ୍କସହ ଯଥାକ୍ରମେ ବିଭିନ୍ନ ଫସଲରେ ତୃଣ ନାଶକ ପରିଚାଳନା ଏବଂ ଆଧୁନିକ କୃଷିରେ ଯନ୍ତ୍ରପାତିର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ, ଡ଼. ଉମାଶଙ୍କର ନାୟକ, ଯୁଗ୍ମ ନିର୍ଦ୍ଧେଶକ, ଗବେଷଣା, ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱ ବିଦ୍ୟାଳୟ ଆଭାସୀ ମାଧ୍ୟମରେ ଯୋଗଦେଇ ପରିବର୍ତ୍ତିତ ଜଳବାୟୁ ପରିପେକ୍ଷୀରେ ଫସଲରେ ରୋଗ ପୋକ ପରିଚାଳନା ବିଷୟରେ ଆଲୋକପାତ କରିଥିଲେ ଏବଂ ରୋଗପୋକ ଉଦ୍ଦିଷ୍ଟ ବିଭିନ୍ନ ସମସ୍ୟାର ସମାଧାନ ଚାଷୀମାନଙ୍କୁ କହିଥିଲେ I କେନ୍ଦ୍ରର ମୃତ୍ତିକା ବିଜ୍ଞାନୀ, ଡ଼. ପ୍ରଦୀପ୍ତ ମାଝୀ ମୃତ୍ତିକା ଓ ଫସଲରେ ସମନ୍ବିତ ଖାଦ୍ୟ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ I କେନ୍ଦ୍ରର ମତ୍ସ୍ୟ ବିଶେଷଜ୍ଞ, ସରିତା ଦାସ ମାଛ ଚାଷରେ ଉନ୍ନତ ବୈଜ୍ଞାନିକ ପ୍ରଣାଳୀ ଏବଂ ବାୟୋଫ୍ଲକ୍ ରେ ମାଛ ଚାଷ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ I ଦ୍ଵିତୀୟ ଦିନର ଶେଷ ଭାଗରେ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ, ଡ଼. ତପନ କୁମାର ପଲାଇ ଘୁଷୁରୀ ପାଳନ ଏବଂ ଗୋ ପାଳନ କ୍ଷେତ୍ରରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରିଥିଲେ I କେନ୍ଦ୍ରର ରୋଗ ପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଦୁଇ ଦିନିଆ ଆଲୋଚନାଚକ୍ର ସଫଳତା ସହ ସମାପ୍ତ ହୋଇଥିଲା I କାର୍ଯ୍ୟକ୍ରମର ଶେଷରେ ଚାଷୀମାନେ କେନ୍ଦ୍ରରେ ଥିବା ବିଭିନ ପ୍ରଦର୍ଶନୀ କ୍ଷେତ୍ର, ଉଦ୍ଭିଦ ସ୍ୱାସ୍ଥ୍ୟ ଶିବିର, ମୃତ୍ତିକା ପରୀକ୍ଷାଗାର, ବିଭିନ୍ନ ପ୍ରୟୋଗଶାଳା ଆଦି ପରିଦର୍ଶନକରି ଜ୍ଞାନ ଆହରଣ କରିଥିଲେ I

Leave A Reply

Your email address will not be published.