ବାହାଡ଼ାଝୋଲାରେ ମଦ ଦୋକାନରୁ ୪୫ ହଜାର ଟଙ୍କା ସହ ମଦ ଚୋରି,

19

  • ଆର୍‌ଏମ୍‌ସିର ରାତ୍ର ଜଗୁଆଳଙ୍କ ଦାୟିତ୍ୱ ନେଇ ପ୍ରଶ୍ନବାଚୀ,
  • ବଜାରରେ କ୍ରମାଗତ ଚୋରି ରୋକିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଦାବି,


ଓଡ଼ଗାଁ, ୩।୧୧(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରେ ଥିବା ବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପରିସରରୁ କ୍ରମାଗତ ଚୋରି ଘଟଣା ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି। ବଜାରର ସୁରକ୍ଷା ପାଇଁ ଆର୍‌ଏମ୍‌ସି ପକ୍ଷରୁ ଜଣେ ରାତ୍ର ଜଗୁଆଳ ନିଯୁକ୍ତ ହୋଇଥିଲେ ମଧ୍ୟ ଚୋରି ଘଟଣା ରୋକିବାରେ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଆର୍‌ଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ନୟାଗଡ଼ରେ ଥିବାରୁ ବାହାଡ଼ାଝୋଲା ବଜାରର ସୁରକ୍ଷା ବ୍ୟବସ୍ଥା ନିୟମିତ ତଦାରଖ ହେଉନଥିବା ଅଭିଯୋଗ ହୋଇଛି। ବଜାର ଓ କାର୍ଯ୍ୟାଳୟର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ସେଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ, ତାହାର ନିୟମିତ ଯାଞ୍ଚ ହେଉନଥିବା ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ୧ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ମୁଖା ପିନ୍ଧିଥିବା କେତେକ ଦୁର୍ବୃତ୍ତ ବାହାଡ଼ାଝୋଲାସ୍ଥିତ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରେ ଚୋରି କରିଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଦୋକାନର ସିସିଟିଭି କ୍ୟାମେରା ଭାଙ୍ଗିବା ସହ ଦୋକାନ ଉପର ମହଲାରେ ଥିବା ରାତ୍ର ଜଗୁଆଳଙ୍କ ବିଶ୍ରାମ କକ୍ଷକୁ ବାହାରପଟୁ ବନ୍ଦ କରିଦେଇଥିଲେ। ପରେ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୫ ହଜାର ଟଙ୍କା ଓ ଦୁଇ ପେଟି ଦାମୀ ମଦ ନେଇଯାଇଥିବା ଅଭିଯୋଗ ହୋଇଛି। ଆଉ ଗୋଟିଏ ମଦ ପେଟି ତଳେ ପଡ଼ି ଭାଙ୍ଗିଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଦୁର୍ବୃତ୍ତମାନେ ନିକଟସ୍ଥ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାର ଦିଗ ପରିବର୍ତ୍ତନ କରିବା ସହ ଦୋକାନ ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ। ସେଥିରେ ସଫଳ ନହେବାରୁ ପରେ ଠିପି ଖୋଲା ମଦ ଦୋକାନକୁ ଯାଇଥିଲେ। ଏହି ସମୟରେ ଶିବାନୀ ବସ୍ତ୍ରାଳୟର ସିସିଟିଭି କ୍ୟାମେରାର ଦିଗ ମଧ୍ୟ ପରିବର୍ତ୍ତନ କରିଥିବା ଜଣାପଡ଼ିଛି।
ଏନେଇ ଠିପି ଖୋଲା ବିଦେଶୀ ମଦ ଦୋକାନର ଭାଗବତ ପ୍ରଧାନ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪୧୯/୨୬ ନମ୍ବରରେ ମାମଲା ରୁଜୁ କରିଛି। ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ତଦନ୍ତ ଆଗକୁ ବଢ଼ିବା ସହ ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ପୁଲିସ ଆଶାବାଦୀ ରହିଛି। ସୂଚନାଯୋଗ୍ୟ, ସେହି ରାତିରେ ଦଶପଲ୍ଲାର ଏକ ମଦ ଦୋକାନରେ ମଧ୍ୟ ଚୋରି ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଗତ ତିନି ମାସ ମଧ୍ୟରେ ବାହାଡ଼ାଝୋଲା ବଜାରରେ ପ୍ରକାଶ ରାଉତ ଓ ଚିତ୍ରସେନ ସାହୁଙ୍କ ଦୋକାନରୁ ଚୋରି ହୋଇଥିବା ବେଳେ ଏହା ପୂର୍ବରୁ ମଧ୍ୟ ଅନେକ ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ବଜାରରେ ବାରମ୍ବାର ଚୋରି ଘଟଣାକୁ ନେଇ ବ୍ୟବସାୟୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ବଜାରର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ରାତ୍ର ଜଗୁଆଳଙ୍କ ନିୟମିତ ଉପସ୍ଥିତି ଓ ସିସିଟିଭି କ୍ୟାମେରାର କାର୍ଯ୍ୟକ୍ଷମତା ଯାଞ୍ଚ କରିବାକୁ ବଜାର କମିଟି ପକ୍ଷରୁ ଦାବି ହୋଇଛି। ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.