,
ଦର୍ଶକଙ୍କ ମନ ମୋହିଲେ କୁନି କଳାକାର, ନିଜ ବିଦ୍ୟାଳୟରେ ସମ୍ବର୍ଦ୍ଧିତ,
ଓଡ଼ଗାଁ, ୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନି କଳାକାରମାନେ ବ୍ଲକସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ରେ ଦଳଗତ ନୃତ୍ୟ ପରିବେଷଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୋଡ଼ିପଡ଼ାସ୍ଥିତ ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଏହି ଉତ୍ସବରେ ‘ସମୃଦ୍ଧ ଭାଷା, ସମୃଦ୍ଧ ସଂସ୍କୃତି’ ବିଷୟବସ୍ତୁକୁ ଆଧାର କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ଦଳଗତ ନୃତ୍ୟ ପରିବେଷଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପଛରେ ମାର୍ଗଦର୍ଶନ କରିଥିବା ଶିକ୍ଷକ ବିଦ୍ୟାଧର ସାହୁ, ବିଶ୍ୱଜିତ ଦ୍ୱିବେଦୀ ଓ ଶିକ୍ଷୟିତ୍ରୀ ଉର୍ମିଳା ମୁର୍ମୁଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। କୁନି କଳାକାରମାନଙ୍କ ନିଷ୍ଠା, ପରିଶ୍ରମ ଓ ସଫଳତାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀମାଞ୍ଚଳ ପ୍ରଧାନ ମାର୍ଗଦର୍ଶକ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମସ୍ତ ନୃତ୍ୟଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଶୈକ୍ଷିକ ପରିବେଶ ସହିତ ସହଶୈକ୍ଷିକ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ରହି କୁନି କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।