ନାଗରିକ ସେବା, ପରିମଳ ଓ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା, ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ
ଝାରସୁଗୁଡ଼ା, ୩୧/୧୦: ଝାରସୁଗୁଡ଼ା ସହରର ସାମଗ୍ରିକ ବିକାଶ ସହ ନାଗରିକମାନଙ୍କୁ ଉନ୍ନତମାନର ମୌଳିକ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଏଥିପାଇଁ ଚାଲୁ ରହିଥିବା ସମସ୍ତ ବିକାଶମୂଳକ କାର୍ଯ୍ୟରେ ଗୁଣାତ୍ମକ ମାନ ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ା ପୌରପାଳିକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସହରରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଶେଷକରି ସହରର ପରିମଳ ବ୍ୟବସ୍ଥାରେ ସୁଧାର, ନିୟମିତ ପାନୀୟ ଜଳ ଯୋଗାଣ, ରାସ୍ତାଘାଟର ଉନ୍ନତୀକରଣ ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ। ସହରବାସୀଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ ସହ ନାଗରିକ ସେବାକୁ ଅଧିକ ସୁଦୃଢ଼ ଓ ଜନମୁଖୀ କରିବା ଦିଗରେ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ବିକାଶମୂଳକ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ଯେପରି ନ ହୁଏ, ସେଥିପ୍ରତି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ପ୍ରକଳ୍ପଗୁଡ଼ିକର ନିୟମିତ ତଦାରଖ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡ଼ା ସହରକୁ ସ୍ୱଚ୍ଛ, ସୁସଂଗଠିତ ଓ ବିକଶିତ ସହର ଭାବେ ଗଢ଼ିତୋଳିବା ସହ ଜନସାଧାରଣଙ୍କ ଆଶା ଓ ଆବଶ୍ୟକତା ପୂରଣ କରିବା ଉପରେ ସେ ପ୍ରାଥମିକତା ଦେଇଥିଲେ।
ବୈଠକରେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କ ସମେତ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।