ଗଜଲକ୍ଷ୍ମୀ ପୂଜା ପାଇଁ ଗାଁଠୁ ସହର ଉତ୍ସବମୁଖର

13

ଓଡ଼ଗାଁ, ୨୬।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ମା’ ଦୁର୍ଗାଙ୍କ ମେଲାଣି ପରେ ଧରାବତରଣ କରିଛନ୍ତି ଧନ ଓ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ। ଏହି ଅବସରରେ ଓଡ଼ଗାଁ ଅଞ୍ଚଳର ଗାଁଠୁ ସହର ପର୍ଯ୍ୟନ୍ତ ପୂଜାପାର୍ବଣର ମାହୋଲ ଦେଖିବାକୁ ମିଳିଛି। ବିଭିନ୍ନ ପୂଜାମଣ୍ଡପ ଓ ପୀଠରେ ମା’ଙ୍କୁ ସ୍ୱାଗତ କରିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଚଳିତବର୍ଷ କୁମାର ପୂର୍ଣ୍ଣିମା ପର୍ବ ଦୁଇଦିନ ଧରି ପାଳନ କରାଯାଉଥିବା ବେଳେ ନିର୍ଦ୍ଧାରିତ ସମୟରେ ମା’ଙ୍କ ପୂଜାବିଧି ସମ୍ପନ୍ନ ହୋଇଛି। ଓଡ଼ଗାଁ ଏନ୍‌ଏସି ଅଞ୍ଚଳର ଶିଳ୍ପୀନଗର ସାହି, ବିଜୟ ମଣ୍ଡପ ସାହି, ବଜାର ସାହି, ପାଇକସାହି, ଜାରିଙ୍ଗୀ ଓ ମଠଖଜୁରିଆ ଆଦି ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ସେହିପରି ଓଡ଼ଗାଁ ଲକ୍ଷ୍ମୀ ବଜାରସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ଗଜଲକ୍ଷ୍ମୀଙ୍କ ମନ୍ଦିରରେ ଷୋଡ଼ଶ ଉପଚାର ପୂଜାବିଧି ସମ୍ପନ୍ନ ହୋଇଛି। ଏଥିସହ ତିନିଦିନିଆ ଘୃତଯଜ୍ଞ କାର୍ଯ୍ୟକ୍ରମ ରବିବାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଓଡ଼ଗାଁ ବ୍ଲକ୍‌ର ମଶାବାରୀ, ରଙ୍ଗଣୀପାଟଣା, କୁରୁମବାଙ୍କତରା, କୁରାଳ, ପାଣିବନ୍ଧ, ଗୋଡ଼ିପଲ୍ଲୀ ଓ ନନ୍ଦିଘୋର ସମେତ ବିଭିନ୍ନ ଗ୍ରାମରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ମା’ଙ୍କ ଆଗମନକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଉତ୍ସବର ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଛି।

Leave A Reply

Your email address will not be published.