ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାସ୍ତା ନିର୍ମାଣ ଦାବିରେ ଦେଓଗାଁ ବାସୀଙ୍କ ଧାରଣା ଜାରି, ଭାଲିଆଡିହିବାସୀଙ୍କ ବିବାଦୀୟ ସ୍ଥାନରେ ରାସ୍ତା ନିର୍ମାଣକୁ ବିରୋଧ,
ଓଡ଼ଗାଁ, ୨୬।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ରଙ୍ଗଣୀପାଟଣା-ସୁନାମୁହିଁ ପୂର୍ତ୍ତ ବିଭାଗ ରାସ୍ତାର ଦେଓଗାଁ ଓ ଭାଲିଆଡିହି ଅଞ୍ଚଳରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ରାସ୍ତା ନିର୍ମାଣ ସ୍ଥାନ ବିବାଦ ନୂଆ ମୋଡ଼ ନେଇଛି। ବିବାଦୀୟ ରାସ୍ତାର ନିର୍ମାଣ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ନିର୍ମାଣସ୍ଥଳ ଓ ଏହାର ସଂଲଗ୍ନ ଅଞ୍ଚଳକୁ ପ୍ରବେଶ ଏବଂ ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ନୟାଗଡ଼ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ୦୮.୧୦.୨୦୨୬ ତାରିଖର ଆଦେଶ ନମ୍ବର ୩୨/୩୩ ଅନୁଯାୟୀ ସୋମବାର ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ସୁପରଭାଇଜର ସୁବାସ ଚନ୍ଦ୍ର ମିଶ୍ର ଓ ରାଜସ୍ୱ ନିରୀକ୍ଷକ ସ୍ୱପ୍ନାଙ୍କ ସମେତ ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ, ସବ୍ଇନ୍ସପେକ୍ଟର ଚକ୍ରଧର ସିଂ ଏବଂ ପୁଲିସ ଫୋର୍ସ ଆଜି ବିବାଦୀୟ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ଅନୁସାରେ ନିଷେଧାଦେଶ ଜାରି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ପ୍ରଶାସନର ଆଦେଶ ଅନୁଯାୟୀ, ନିର୍ଦ୍ଦିଷ୍ଟ ରାସ୍ତା ନିର୍ମାଣ ଅଞ୍ଚଳ ଓ ଏହାର ସଂଲଗ୍ନ ସ୍ଥାନରେ ପାଞ୍ଚ ଜଣ କିମ୍ବା ତଦୁର୍ଦ୍ଧ ବ୍ୟକ୍ତିଙ୍କ ଅନଧିକୃତ ସମାବେଶ, ସାଧାରଣ ସଭା ଓ ସମାଗମ ପାଇଁ ନିଷିଦ୍ଧ କରାଯାଇଛି। ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଦେଓଗାଁ ଓ ଭାଲିଆଡିହି ଗ୍ରାମର ଗ୍ରାମବାସୀଙ୍କ ସମେତ ସାଧାରଣ ଜନତାଙ୍କୁ ନିର୍ମାଣସ୍ଥଳକୁ ପ୍ରବେଶ ପାଇଁ ବାରଣ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜସ୍ୱ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀ, କାର୍ଯ୍ୟକାରୀ ସଂସ୍ଥା, ଠିକାଦାର ଓ ପୁଲିସ କର୍ମଚାରୀଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ନିର୍ଦ୍ଦେଶ ଅମାନ୍ୟ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୨୩ ଏବଂ ଅନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ସୂଚନାନୁଯାୟୀ, ଉକ୍ତ ରାସ୍ତାର ନିର୍ମାଣକୁ ନେଇ ଦୀର୍ଘବର୍ଷ ଧରି ଦେଓଗାଁ ଓ ଭାଲିଆଡିହି ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗିରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ ଦାବି କରି ଦେଓଗାଁ ଗ୍ରାମବାସୀ ଗତ ଅକ୍ଟୋବର ୫ ତାରିଖରୁ ନୟାଗଡ଼ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା ଦେଇଆସୁଛନ୍ତି। ଏପରିକି ଦାବି ପୂରଣ ପାଇଁ ସେମାନେ ବାଚସ୍ପତିଙ୍କ କାରକେଡ୍ ସମ୍ମୁଖରେ ଶୋଇ ପ୍ରତିବାଦ ଜଣାଇଥିବା ବେଳେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ । ତେବେ ବାତ୍ୟା ଅର୍ଣ୍ଣବକୁ ଲକ୍ଷ୍ୟକରି ମୈ।ଖିକ ପ୍ରତିଶୃତି ପାଇ ଆମରଣ ଅନଶନକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷରେ, ବିବାଦୀୟ ରାସ୍ତାର ନିର୍ମାଣ ପ୍ରସଙ୍ଗରେ ଭାଲିଆଡିହି ଗ୍ରାମବାସୀଙ୍କ ବିରୋଧ ଜାରି ରହିଛି। ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ନକରିବାକୁ ସୂଚନା ଦିଆଯାଇଥିଲେ ମଧ୍ୟ ରାଜସ୍ୱ ବିଭାଗ ଦ୍ୱାରା ସ୍ଥିରୀକୃତ ସ୍ଥାନରେ ରାସ୍ତା ନିର୍ମାଣ କରାଇ ନଦେବାକୁ ଭାଲିଆଡିହି ଗ୍ରାମର ମହିଳା ଓ ପୁରୁଷମାନେ ଜିଦ୍ ଧରିଛନ୍ତି। ଏପରିକି ରାସ୍ତା ନିର୍ମାଣକୁ ବିରୋଧ କରି ସେମାନେ ଚରମ ପ୍ରତିବାଦର ଚେତାବନୀ ମଧ୍ୟ ଦେଇଛନ୍ତି। ଫଳରେ ଦୀର୍ଘବର୍ଷର ଏହି ବିବାଦର ସମାଧାନ କରି ରାସ୍ତା ନିର୍ମାଣକୁ ନେଇ ସୃଷ୍ଟି ଅଚଳାବସ୍ଥା ଦୂର କରିବା ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ ପାଲଟିଛି।