ଜାଗୁଳିପାଟଣା ଅନନ୍ତ ପୁରୁଷୋତ୍ତମ ମନ୍ଦିରର ଐତିହ୍ୟ ଖୋଜିଲା ହେରିଟେଜ୍ ୱାକ୍

11

ମନ୍ଦିରର ଇତିହାସ, ପରମ୍ପରା ଓ ଲୋକକଥା ସମ୍ପର୍କରେ ଆଲୋଚନା


ଖୋର୍ଦ୍ଧାରୁ(ସେକ ଜାଫର):ଖୋର୍ଦ୍ଧା, ୨୫ା୧୦: ଖୋର୍ଦ୍ଧାର ଐତିହାସିକ ଓ ଧାର୍ମିକ ଐତିହ୍ୟର ଅନ୍ୱେଷଣ ଉଦ୍ଦେଶ୍ୟରେ ଆୟୋଜିତ ତୃତୀୟ ଖୋର୍ଦ୍ଧା ହେରିଟେଜ୍ ୱାକ୍‌ରେ ଏଥର ଜଗୁଳିପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ମନ୍ଦିରର ଇତିହାସ ଓ ପରମ୍ପରା ସମ୍ପର୍କରେ ଅନୁଧ୍ୟାନ କରାଯାଇଛି। ମନ୍ଦିରର ଇତିହାସ, ଐତିହ୍ୟ କୀର୍ତ୍ତିରାଜି, ସ୍ୱତନ୍ତ୍ର ବିଗ୍ରହ, ପୂଜାବିଧି, ରଥଯାତ୍ରା ଓ ଏହାକୁ ନେଇ ପ୍ରଚଳିତ ଲୋକକଥା ଏହି ପଦଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା।
ରବିବାର ସକାଳ ୯ଟାରେ ଚଣ୍ଡୀଚୁଆ ଛକରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଖୋର୍ଦ୍ଧା ଅଧ୍ୟାୟ ପକ୍ଷରୁ ଅଂଶଗ୍ରହଣକାରୀ ଙ୍କୁ ସ୍ୱାଗତ କରାଯିବା ପରେ ମା’ ଚଣ୍ଡୀଙ୍କ ଦର୍ଶନ କରି ସେମାନେ ଖୋର୍ଦ୍ଧା-ନୟାଗଡ଼ ରାସ୍ତା ଦେଇ ଜଗୁଳିପାଟଣା ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେବାୟତ କମଳଲୋଚନ ଦାସ ମହାରାଜ, ଗଣେଶ ଦାସ ମହାରାଜ, ବୁଦ୍ଧିଜୀବୀ ବୈକୁଣ୍ଠନାଥ ମହାପାତ୍ର, ମୀନକେତନ ମହାନ୍ତି, ପ୍ରଦୀପ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପଟ୍ଟନାୟକ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ସ୍ୱାଗତ କରିଥିଲେ।
ବରିଷ୍ଠ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ ମନ୍ଦିରର ଐତିହାସିକ ପୃଷ୍ଠଭୂମି ଓ ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ତଥ୍ୟ ରଖିଥିଲେ। କମଳଲୋଚନ ଦାସ ମହାରାଜ ମନ୍ଦିରର ନିତିକାନ୍ତି ଓ ପର୍ବପର୍ବାଣି ବିଷୟରେ ଅବଗତ କରାଇଥିବା ବେଳେ ବୈକୁଣ୍ଠନାଥ ମହାପାତ୍ର ଓ ମୀନକେତନ ମହାନ୍ତି ମନ୍ଦିର ସହ ସମ୍ପୃକ୍ତ ଅନ୍ଯ ସାଂସ୍କୃତିକ ତଥ୍ୟ ଉପସ୍ଥାପନ କରିଥିଲେ।
ଗବେଷକ ଙ୍କ ମତ ଓ କିମ୍ବଦନ୍ତୀ ଏବଂ ସେମାନଙ୍କ ଠାରୁ ହସ୍ତଗତ ତଥ୍ଯ ଅନୁଯାୟୀ, ଗଜପତି ଦିବ୍ୟସିଂହ ଦେବ ଦ୍ୱିତୀୟ ଙ୍କ ଜୀବନର ଘଟଣାବଳୀ ସହ ଏହି ମନ୍ଦିରର ଇତିହାସ ଜଡ଼ିତ। ବ୍ରିଟିଶ ଶାସନ ସମୟରେ କଳାପାଣି ଦଣ୍ଡ ଭୋଗୁଥିବା ଗଜପତି ସେଠାରୁ ଖସି ଆସିବା, ପୁନର୍ବାର ଗିରଫ ହୋଇ କଟକ ଜେଲ୍‌ରେ ରହିବା ଏବଂ ପରେ ସେଠାରୁ ମୁକୁଳି ବାବା ରଘୁବୀର ଦାସଙ୍କ ଆଶ୍ରୟ ନେବା ନେଇ ଜନଶ୍ରୁତି ରହିଛି। ସେ ଦୟାନିଧି ଦାସ ନାମରେ ପରିଚିତ ହୋଇଥିବା ମଧ୍ୟ କୁହାଯାଏ।


ଲୋକବିଶ୍ୱାସ ଅନୁଯାୟୀ, ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ପୁରୀର କାରିଗରଙ୍କ ଦ୍ୱାରା ବେରୁହାଁ ଗ୍ରାମରୁ ଦାରୁ ଅଣାଇ ବିଗ୍ରହ ନିର୍ମାଣ କରାଯାଇଥିଲା। ପରେ କେରଳରୁ ଆସିଥିବା ଶୌତ୍ରୀୟ ବ୍ରାହ୍ମଣମାନେ ବିଗ୍ରହଙ୍କ ପ୍ରତିଷ୍ଠା କରିଥିବା କିମ୍ବଦନ୍ତୀ ପ୍ରଚଳିତ ଅଛି। ପ୍ରଥମେ ଏକ କୁଟୀରରେ ପୂଜା ଆରମ୍ଭ ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ଏକ ଭବ୍ଯ ମନ୍ଦିର ନିର୍ମାଣ କରାଯାଇଛି। ସ୍ଥାନଟି ଜଗୁଳିପାଟଣା ନାମରେ ପରିଚିତ ହୋଇଥିବା କୁହାଯାଏ।
ବଡଭାଇ ଅନନ୍ତ, ଦେବୀ ଭୁବନେଶ୍ବରୀ ଭଉଣୀ ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥ ପୁରୁଷୋତ୍ତମ ଙ୍କ ନାମ ଅନୁସାରେ ଏହା ଶ୍ରୀ ଅନନ୍ତ ପୁରୁଷୋତ୍ତମ ଙ୍କ ନାମରେ ଖ୍ଯାତ ଲାଭ କରିଛି ବୋଲି ମତ ରଖିଥିଲେ।
ଏହି ମନ୍ଦିରର ଅନ୍ୟତମ ବିଶେଷତ୍ୱ ହେଉଛି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପୂର୍ଣ୍ଣାଙ୍ଗ ବିଗ୍ରହ। ବଳଭଦ୍ର ହଳ ଓ ମୁଷଳ ଧାରଣ କରିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ ଓ ଚକ୍ର ରହିଛି। ମନ୍ଦିର ପରିସରରେ ଶ୍ରୀଭୈରବେଶ୍ୱର, ଶ୍ରୀଚୈତନ୍ୟ, ହନୁମାନ ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ସହ ମହନ୍ତ ରଘୁବୀର ଦାସଙ୍କ ସମାଧି ରହିଛି।
ମନ୍ଦିରରେ ପୂର୍ବେ ତିନି ରଥରେ ରଥଯାତ୍ରା ହେଉଥିବାବେଳେ କିଛି ସମୟ ପାଇଁ ଏହା ବନ୍ଦ ରହିଥିଲା। ୧୯୮୦ ମସିହାରେ ପୁନର୍ବାର ରଥଯାତ୍ରା ଆରମ୍ଭ ହେବା ପର ଠାରୁ ଏହା ନିୟମିତ ଅନୁଷ୍ଠିତ ହେଉଥିବା ସୂଚନା ଦିଆଯାଇଥିଲା।
ପଦଯାତ୍ରାରେ ସାମିଲ ଅଂଶଗ୍ରହଣକାରୀମାନେ ମନ୍ଦିର ପରିସରରେ ଥିବା କଳ୍ପବଟ, ଶ୍ରୀଭୈରବଙ୍କ ପୀଠ, ପୂର୍ବତନ ମହନ୍ତମାନଙ୍କ ସମାଧି, କାରୁଣ୍ୟ କୁଣ୍ଡ, ଜଗୁଳେଇ ମନ୍ଦିର ଓ ଗୁଣ୍ଡିଚା ମଣ୍ଡପ ପରିଦର୍ଶନ କରିଥିଲେ। ପୂର୍ବତନ ମହନ୍ତମାନଙ୍କ ସମାଧିସ୍ଥଳୀ ଅବହେଳିତ ଅବସ୍ଥାରେ ଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା।
ଖୋର୍ଦ୍ଧାର ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଜ ଅଞ୍ଚଳର ଇତିହାସ ପ୍ରତି ଆଗ୍ରହ ବଢ଼ାଇବା ଏହି ହେରିଟେଜ୍ ୱାକ୍‌ର ମୂଳ ଲକ୍ଷ୍ୟ ବୋଲି ଆୟୋଜକ ମାନେ କହିଥିଲେ। ପ୍ରିତୀପଲ୍ଲଭୀ ମହାପାତ୍ର ସଂଯୋଜନା କରିଥିବା ବେଳେ ଅନ୍ଯ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.