ପର୍ଯ୍ୟଟନ ଋତୁ ପୂର୍ବରୁ ସର୍ବନିମ୍ନ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ
ଓଡ଼ଗାଁ, ୨୨।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ନିହଲପ୍ରସାଦ ଗ୍ରାମ ନିକଟସ୍ଥ ବରକନ୍ୟା ଝରଣାର ଭିତ୍ତିଭୂମି ବିକାଶ ନେଇ ପୁଣିଥରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ଆଗାମୀ ପର୍ଯ୍ୟଟନ ଋତୁ ପୂର୍ବରୁ ଏହି ପର୍ଯ୍ୟଟନସ୍ଥଳୀରେ ସର୍ବନିମ୍ନ ଆବଶ୍ୟକୀୟ ସୁବିଧା ବିକାଶ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗୁରୁବାର ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବାର୍ଚନ ବେହେରା, ସହକାରୀ ବନ ସଂରକ୍ଷକ ଅମ୍ରିତ କୁମାର ସାହୁ, ରୁଦ୍ର ପ୍ରସାଦ ରଥ ଏବଂ ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀ ନରେନ୍ଦ୍ର ଗମାଙ୍ଗ ପ୍ରମୁଖ ବରକନ୍ୟା ଝରଣା ପରିଦର୍ଶନ କରି ସେଠାକାର ସ୍ଥିତି ଓ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଆଗାମୀ ପର୍ଯ୍ୟଟନ ଋତୁ ପୂର୍ବରୁ ଅତି ଆବଶ୍ୟକ କାର୍ଯ୍ୟଗୁଡ଼ିକ ସମ୍ପନ୍ନ କରିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବତନ ବିଜେଡି ସରକାରଙ୍କ ସମୟରେ ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ବରକନ୍ୟା ଝରଣାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ପ୍ରାୟ ୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାପରେ ଏହାର ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୧୯ ଲକ୍ଷ ଟଙ୍କା ବ୍ୟୟରେ କିଛି କାର୍ଯ୍ୟ ହୋଇଥିଲେ ମଧ୍ୟ ବିଭାଗୀୟ ଅବ୍ୟବସ୍ଥା ଓ ସମନ୍ୱୟର ଅଭାବ ଯୋଗୁଁ ପ୍ରକଳ୍ପର ଅଗ୍ରଗତି ଆଗକୁ ବଢ଼ିପାରି ନଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇପାରିନାହିଁ।
ଦୀର୍ଘଦିନ ଧରି ଅଧପନ୍ତରିଆ ଅବସ୍ଥାରେ ରହିଥିବା ଏହି ପର୍ଯ୍ୟଟନ ପ୍ରକଳ୍ପର ବିକାଶ ନେଇ ବିଧାୟକ ଓ ଜିଲ୍ଲା ପ୍ରଶାସନର ଏହି ପରିଦର୍ଶନ ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଯଦି ନିର୍ଦ୍ଧାରିତ ସମୟରେ ଆବଶ୍ୟକ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହୁଏ, ତେବେ ଆଗାମୀ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ ଏହାର ସୁଫଳ ପାଇପାରିବେ। ତେବେ ଏହି ଉଦ୍ୟମ କେତେଦୂର ସଫଳ ହେଉଛି ଏବଂ ବରକନ୍ୟା ଝରଣାର ବିକାଶ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।