ଗୌଡ଼ପୁଟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ରଣପୁର ଏଫ୍‌ସି

10

ଟାଇବ୍ରେକରରେ ନରେଶ ଏଫ୍‌ସି ଭଞ୍ଜନଗରକୁ ୩-୨ ଗୋଲରେ ହରାଇଲା

ଓଡ଼ଗାଁ,୨୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡ଼ପୁଟ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାବୁଢ଼ିଆଣୀ କ୍ରୀଡ଼ା ସଂସଦ ଓ ନେତାଜୀ କ୍ଲବ, ଗୌଡ଼ପୁଟ ଆନୁକୂଲ୍ୟରେ ଆୟୋଜିତ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ରଣପୁର ଏଫ୍‌ସି ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ରଣପୁର ଏଫ୍‌ସି ଟାଇବ୍ରେକରରେ ନରେଶ ଏଫ୍‌ସି, ଭଞ୍ଜନଗରକୁ ୩-୨ ଗୋଲରେ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଉଭୟ ଦଳ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଫଳରେ କୌଣସି ଦଳ କାହାରି ଉପରେ ଗୋଲ୍‌ ସ୍କୋର କରିବାରେ ସଫଳ ହୋଇନଥିଲେ। ଫଳରେ ମ୍ୟାଚ୍‌ ଟାଇବ୍ରେକର ଜରିଆରେ ନିର୍ଣ୍ଣୟ ହୋଇଥିଲା। ଏଥିରେ ରଣପୁର ଏଫ୍‌ସି ୩-୨ ଗୋଲରେ ବିଜୟ ହାସଲ କରିଥିଲା। ଆଜିର ମ୍ୟାଚ୍‌ରେ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନୀଳାଚଳ ଖିଲାର, ପ୍ରଧାନଶିକ୍ଷକ ଦିଲ୍ଲୀପ ଓନ୍ଦ୍ରା, ହାଡ଼ିବନ୍ଧୁ ବେହେରା, ଜୟକୃଷ୍ଣ ମଳିକ, ମାଧବ ଚନ୍ଦ୍ର ପ୍ରଧାନ, ଆନନ୍ଦ ବାରିକ, ମୁକୁନ୍ଦ ବାରିକ, କୁମାର ପ୍ରଧାନ ଓ ପ୍ରହଲ୍ଲାଦ ପ୍ରଧାନ ଯୋଗଦେଇଥିଲେ। ମ୍ୟାଚ୍‌କୁ ମନୋରଞ୍ଜନ ଦାସ, ସୁରେଶ ପରିଡ଼ା, ପ୍ରସନ୍ନ ନାୟକ ଓ ସୂର୍ଯ୍ୟକାନ୍ତ ଦଳବେହେରା ପରିଚାଳନା କରିଥିଲେ। ଶ୍ରୀଧର ପରିଡ଼ା ସଂଯୋଜନା ସହ ଧାରାବିବରଣୀ ପ୍ରଦାନ କରିଥିଲେ। କ୍ଲବର ସଭାପତି ଦିଲ୍ଲୀପ ମାର୍ଥା, ସାଧାରଣ ସମ୍ପାଦକ ତ୍ରିନାଥ ପ୍ରଧାନଙ୍କ ସହ ବିଜୟ ପ୍ରଧାନ, ନରସିଂହ ପୃଷ୍ଟି, ନିତ୍ୟାନନ୍ଦ ପ୍ରଧାନ ଓ ଜଗନ୍ନାଥ ବାରିକ ଖେଳର ସୁପରିଚାଳନା ଓ ତଦାରଖ କରିଥିଲେ। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚ୍‌ରେ ଶରଣକୁଳ ଦଳ ଓ ଖଣ୍ଡପଡ଼ା ଦଳ ମଧ୍ୟରେ ମୁକାବିଲା ହେବ ବୋଲି କ୍ରୀଡ଼ା ସମ୍ପାଦକ କେଦାର ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.