‎ରାଜଗୁରୁ ସାହି ୫୨ତମ ଦଶହରା ଉତ୍ସବରେ କୃପାଳୁ ଦିବ୍ୟ ସଂକୀର୍ତ୍ତନ ଓ ଭକ୍ତିମୟ ସତ୍‌ସଙ୍ଗ

14

ମା’ ଦୁର୍ଗାଙ୍କ ଦିବ୍ୟ ଶକ୍ତି ସ୍ୱରୂପ ଓ ହରିନାମ ସଂକୀର୍ତ୍ତନରେ ଉଛୁଳିଲା ରାଧେଗୋବିନ୍ଦ ଧାମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହାସିକ ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହିସ୍ଥିତ ୫୨ତମ ଶାରଦୀୟ ଦଶହରା ପୂଜା ଅବସରରେ ନିମନ୍ତ୍ରିତ କ୍ରମେ ‘ରାଧେଗୋବିନ୍ଦ ଧାମ’ ପକ୍ଷରୁ ଏକ ଭକ୍ତିରସାପ୍ଳୁତ ସତ୍‌ସଙ୍ଗ ଏବଂ କୃପାଳୁ ଦିବ୍ୟ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆନନ୍ଦଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।
‎କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରମପୂଜ୍ୟ ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଦ୍ୱାରା ରଚିତ ଭାବପୂର୍ଣ୍ଣ ପ୍ରେମରସ ସଂକୀର୍ତ୍ତନ ଓ ଯୁଗଳ ସ୍ତୁତି ଗାନ କରାଯାଇଥିଲା। ହରିନାମ ସଂକୀର୍ତ୍ତନର ଦିବ୍ୟ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
‎ଏହି ଅବସରରେ ମା’ ଦୁର୍ଗାଙ୍କ ପ୍ରକୃତ ଆଧ୍ୟାତ୍ମିକ ସ୍ୱରୂପ ଉପରେ ମା’ ପରମବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କର ଅଭିନ୍ନ ଯୋଗମାୟା ଶକ୍ତି। ଜଗଦ୍‌ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଦର୍ଶନ ଅନୁସାରେ, ମା’ ଦୁର୍ଗା ସମଗ୍ର ସଂସାରକୁ ପରିଚାଳନା କରୁଥିବା ପରାଶକ୍ତି। ସେ ଆସୁରିକ ପ୍ରବୃତ୍ତିର ଦଳନକାରିଣୀ ଏବଂ ଶରଣାଗତ ଜୀବ ପାଇଁ ଅହେତୁକୀ କରୁଣାମୟୀ ଜନନୀ। ମା’ଙ୍କ ଆରାଧନାର ଚରମ ଲକ୍ଷ୍ୟ ହେଉଛି ଅନ୍ତରର ବିକାରଗୁଡ଼ିକୁ ବିନାଶ କରି ଭଗବତ୍ ପ୍ରେମ ଲାଭ କରିବା।
‎ସତ୍‌ସଙ୍ଗରେ କୁହାଯାଇଥିଲା ଯେ, କଳିଯୁଗରେ ଚିତ୍ତଶୁଦ୍ଧି ଓ ମନ ନିୟନ୍ତ୍ରଣ ପାଇଁ କୃପାଳୁ ଦିବ୍ୟ ସଂକୀର୍ତ୍ତନ ହିଁ ସହଜ ତଥା ଶ୍ରେଷ୍ଠ ସାଧନା। ଯେତେବେଳେ ଜୀବ ନିଷ୍କପଟ ଭାବରେ ପ୍ରଭୁଙ୍କ ନାମ , ରୂପ , ଗୁଣ ଓ ଲୀଳାରେ ନିଜ ମନକୁ ଲଗାଏ , ସେତେବେଳେ ମା’ ଦୁର୍ଗାଙ୍କ କୃପାରୁ ସମସ୍ତ ମାୟିକ ବନ୍ଧନ ଛିନ୍ନ ହୋଇ ପରମ ଆନନ୍ଦ ପ୍ରାପ୍ତି ହୁଏ।
‎ଏହି ସତ୍‌ସଙ୍ଗରେ ରାଧେଗୋବିନ୍ଦ ଧାମର ସଦସ୍ୟବୃନ୍ଦ , ରାଜଗୁରୁ ସାହି ପୂଜା କମିଟିର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଉପସ୍ଥିତ ରହି ସଂକୀର୍ତ୍ତନରେ ବିଭୋର ହୋଇଥିଲେ। ପରିଶେଷରେ ଆରତି ଓ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

Leave A Reply

Your email address will not be published.