ଜିଓ ଆଇପିଓରେ ଦ୍ୱିତୀୟ ଦିନରେ ମଧ୍ୟ ଜବରଦସ୍ତ ଉତ୍ସାହ, ୫.୫୭ ଗୁଣ ସବସ୍କ୍ରାଇବ୍

15

  • ଦୁଇ ଦିନରେ ୭୫ ଲକ୍ଷରୁ ଅଧିକ ଆବେଦନ, କ୍ୟୁଆଇବି ବର୍ଗ ୧୩.୨୯ ଗୁଣ ସବ୍‌ସ୍କ୍ରାଇବ୍
  • ଆଙ୍କର୍ ନିବେଶକଙ୍କ ସମେତ ପ୍ରାୟ ୩.୭୩ ଲକ୍ଷ କୋଟି ଟଙ୍କାର ବିଡ୍‌, ଅଣ-ଆଙ୍କର୍ ନିବେଶକଙ୍କ ପକ୍ଷରୁ ୧.୨୩ ଲକ୍ଷ କୋଟି ଟଙ୍କାର ବିଡ୍‌
  • ରିଟେଲ୍‌, କର୍ମଚାରୀ ଓ ସେୟାରଧାରକଙ୍କ ସମେତ ସମସ୍ତ ପ୍ରମୁଖ ବର୍ଗ ପୂର୍ଣ୍ଣ; ଆବେଦନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି

ମୁମ୍ବାଇ, ୨୨ ଅକ୍ଟୋବର ୨୦୨୬: ଦେଶର ସବୁଠାରୁ ବଡ଼ ଜିଓ ଆଇପିଓରେ ଦ୍ୱିତୀୟ ଦିନରେ ମଧ୍ୟ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ଜିଓ ପ୍ଲାଟଫର୍ମସର ୩୦,୨୧୩ କୋଟି ଟଙ୍କାର ଆଇପିଓ ୫.୫୭ ଗୁଣ ସବସ୍କ୍ରାଇବ୍ ହୋଇଛି। ଦୁଇ ଦିନ ମଧ୍ୟରେ ଆବେଦନ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ବଡ଼ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ବର୍ଗ ୧୩.୨୯ ଗୁଣ ସବସ୍କ୍ରାଇବ୍ ହୋଇଥିବାବେଳେ ରିଟେଲ୍ ବର୍ଗ ମଧ୍ୟ ୧.୫୪ ଗୁଣ ପୂରଣ ହୋଇଛି।
ଜିଓ ଆଇପିଓର ପ୍ରଥମ ଦିନରେ ମୋଟ ସବସ୍କ୍ରିପ୍‌ସନ୍ ୩.୧୬ ଗୁଣ ଥିଲା, ଯାହା ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୫.୫୭ ଗୁଣରେ ପହଞ୍ଚିଛି। ଅଣ-ଆଙ୍କର୍ ନିବେଶକଙ୍କ ପାଇଁ ଉପଲବ୍ଧ ୧୯.୭୫ କୋଟି ସେୟାର ତୁଳନାରେ ୧୧୦ କୋଟିରୁ ଅଧିକ ସେୟାର ପାଇଁ ବିଡ୍ ଦାଖଲ ହୋଇଛି। ଏହି ବିଡ୍ ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧.୨୩ ଲକ୍ଷ କୋଟି ଟଙ୍କା ରହିଛି। ଏହା ପୂର୍ବରୁ ଆଙ୍କର୍ ନିବେଶକଙ୍କ ପକ୍ଷରୁ ମଧ୍ୟ ପ୍ରାୟ ୨.୫୦ ଲକ୍ଷ କୋଟି ଟଙ୍କାର ବିଡ୍ ମିଳିଥିଲା। ସେହିପରି ଆଙ୍କର୍ ଓ ଅଣ-ଆଙ୍କର୍ ନିବେଶକଙ୍କ ମୋଟ ବିଡ୍ ର ମୂଲ୍ୟ ପ୍ରାୟ ୩.୭୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଜିଓ ଆଇପିଓରେ ଅଣ-ସଂସ୍ଥାଗତ ନିବେଶକ (ଏନଆଇଆଇ) ବର୍ଗ ୫.୯୭ ଗୁଣ ସବସ୍କ୍ରାଇବ୍ ହୋଇଛି। ରିଲାଏନ୍ସ କର୍ମଚାରୀଙ୍କ ପାଇଁ ସଂରକ୍ଷିତ କୋଟା ୨.୧୦ ଗୁଣ ଏବଂ ସେୟାରଧାରକଙ୍କ କୋଟା ୪.୦୫ ଗୁଣ ପୂରଣ ହୋଇଛି। ଏହା ସହିତ ଆଇପିଓର ସମସ୍ତ ପ୍ରମୁଖ ବର୍ଗରେ ଉପଲବ୍ଧ ସେୟାର ତୁଳନାରେ ଅଧିକ ଚାହିଦା ସୃଷ୍ଟି ହୋଇଛି।
ଦ୍ୱିତୀୟ ଦିନରେ ବିଶେଷ କରି ଏନଆଇଆଇ ଏବଂ ରିଲାଏନ୍ସ ସେୟାରଧାରକ ବର୍ଗରେ ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଇଛି। ପ୍ରଥମ ଦିନରେ ଏନଆଇଆଇ ବର୍ଗ ୧.୬୮ ଗୁଣ ଏବଂ ସେୟାରଧାରକ କୋଟା ୧.୪୬ ଗୁଣ ସବସ୍କ୍ରାଇବ୍ ହୋଇଥିଲା। ଦ୍ୱିତୀୟ ଦିନରେ ଏହି ସଂଖ୍ୟା ଯଥାକ୍ରମେ ୫.୯୭ ଗୁଣ ଓ ୪.୦୫ ଗୁଣକୁ ବୃଦ୍ଧି ପାଇଛି।
ଜିଓ ଆଇପିଓରେ ନିବେଶ ପାଇଁ ଏବେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଶୁକ୍ରବାର, ୨୩ ଅକ୍ଟୋବର ହେଉଛି ଆବେଦନର ଶେଷ ତାରିଖ। ଆଇପିଓ ଏକାଧିକ ଗୁଣ ସବସ୍କ୍ରାଇବ୍ ହୋଇସାରିଥିଲେ ମଧ୍ୟ ନିବେଶକଙ୍କ ପାଇଁ ଆବେଦନ କରିବାର ସୁଯୋଗ ଏବେ ବି ଖୋଲା ରହିଛି। ଯେଉଁ ଯୋଗ୍ୟ ନିବେଶକମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଶୁକ୍ରବାର ସୁଦ୍ଧା ଆବେଦନ କରିପାରିବେ।

Leave A Reply

Your email address will not be published.